ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ପୁଣି ହାତୀ ଆତଙ୍କ । ଜଙ୍ଗଲୀ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣା ଔପଦା ବ୍ଲକ ବଡ଼ପୋଖରୀ ପଞ୍ଚାୟତ ଅନ୍ତର୍ଗତ ବାଲିମୁଣ୍ଡଳୀ-ବିରସାଇ ଗାଁରେ ଘଟିଛି । ଆହତ ବ୍ୟକ୍ତି ହେଲେ ସିଦୁ ଗଇପାଇ, ଯାହାଙ୍କ ବୟସ ପ୍ରାୟ ୫୦ ବର୍ଷ । ସୂଚନା ଅନୁଯାୟୀ, ସିଦୁ ଆଜି ସକାଳେ ନିକଟସ୍ଥ ଜଙ୍ଗଲକୁ ଗୋରୁ ଚରାଇବା ପାଇଁ ଯାଇଥିଲେ । ସେହି ସମୟରେ ହଠାତ୍ ଏକ ଜଙ୍ଗଲୀ ହାତୀ ସହ ତାଙ୍କର ସାମ୍ନାସାମ୍ନି ହୋଇଥିଲା । ହାତୀଟି ତାଙ୍କୁ ଆକ୍ରମଣ କରିବାରୁ ସେ ଗୁରୁତର ଭାବେ ଆହତ ହୋଇଥିଲେ । ଦୀର୍ଘ ସମୟ ଧରି ସିଦୁ ଘରକୁ ଫେରି ନଆସିବାରୁ ପରିବାର ଲୋକେ ଚିନ୍ତିତ ହୋଇ ତାଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ । ପରେ ଜଙ୍ଗଲ ନିକଟରେ ସେ ଗୁରୁତର ଆହତ ଅବସ୍ଥାରେ ପଡ଼ିଥିବା ଦେଖି ତୁରନ୍ତ ଉଦ୍ଧାର କରାଯାଇଥିଲା । ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ସୋର ଉପଖଣ୍ଡ ହସ୍ପିଟାଲକୁ ନେଇଥିବା ଜଣାପଡ଼ିଛି । ବର୍ତ୍ତମାନ ତାଙ୍କର ଚିକିତ୍ସା ଜାରି ରହିଛି । ଏହି ଘଟଣା ପରେ ଅଞ୍ଚଳରେ ହାତୀ ଆତଙ୍କ ଦେଖାଦେଇଥିବାବେଳେ, ଜଙ୍ଗଲ ନିକଟକୁ ଯିବାବେଳେ ସତର୍କତା ଅବଲମ୍ବନ କରିବାକୁ ସ୍ଥାନୀୟ ଲୋକେ ବନ ବିଭାଗକୁ ଦାବି କରିଛନ୍ତି ।










