28.4 C
Bhubaneswar
Tuesday, July 14, 2026
Homeଓଡିଶାବିଧାନସଭା ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଶ୍ରାଦ୍ଧଦିବସ ପାଳିତ

ବିଧାନସଭା ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଶ୍ରାଦ୍ଧଦିବସ ପାଳିତ

ଭୁବନେଶ୍ୱର:ମାନବସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ନିରାଶ୍ରୟ ଓ ନିଃସହାୟ ବ୍ୟକ୍ତିମାନଙ୍କର ସେବାକରି ନିଜର ସେବା ମନୋବୃତ୍ତିକୁ ଯେଭଳି ଚରିତାର୍ଥ କରିଥିଲେ, ସେଭଳି ଯୁବସମାଜକୁ ଆଦର୍ଶ ମାର୍ଗରେ ଗଢ଼ିତୋଳିବା ପାଇଁ ସର୍ବଦା ତତ୍ପର ଥିଲେ । ବନ୍ୟା, ବାତ୍ୟା, ମରୁଡ଼ି, ଦୁର୍ବିପାକରେ ପ୍ରପୀଡ଼ିତ ଜନତାଙ୍କୁ ନିଃସ୍ୱାର୍ଥ ସେବା, ସାହାଯ୍ୟ ଓ ସହାନୁଭୂତି ଯୋଗାଇଦେଇ ପଣ୍ଡିତ ଗୋପବନ୍ଧୁ ମାନବୀୟ ଗୁଣ ଏବଂ ଚିନ୍ତା-ଚେତନାରେ ଉତ୍କଳୀୟ ଭାବନା ରଖି ଜାତୀୟତାର ଉଦାହରଣ ସୃଷ୍ଟି କରିଯାଇଛନ୍ତି ।ଲାଲା ଲାଜପତ ରାୟଙ୍କ ଦ୍ୱାରା ପ୍ରତିଷ୍ଠିତ ଓ ପରିଚାଳିତ ଲୋକସେବକ ମଣ୍ଡଳର ଆଜୀବନ ସଭ୍ୟ ଭାବେ ପଣ୍ଡିତ ଗୋପବନ୍ଧୁ ମନୋନୀତ ହୋଇଥିଲେ । ତା’ପରେ ସେ ସତ୍ୟବାଦୀ ପ୍ରେସ୍‌ ଓ ସମାଜ ଅନୁଷ୍ଠାନକୁ ଲୋକସେବକ ମଣ୍ଡଳକୁ ହସ୍ତାନ୍ତର କରିଥିଲେ ଓ ନିଜେ ଏହି ଅନୁଷ୍ଠାନର ଉପସଭାପତି ହୋଇଥିଲେ । ୧୯୨୮ ଜୁନ୍‌ ୧୭ ତାରିଖ (ନେତ୍ରୋତ୍ସବ ତିଥି)ରେ ପଣ୍ଡିତ ଗୋପବନ୍ଧୁଙ୍କ ଘଟଣାବହୁଳ କର୍ମମୟ ଜୀବନର ଅବସାନ ଘଟିଥିଲା । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧଦିବସ ପାଳନ ଅବସରରେ ଆଜି ବିଧାନସଭା ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ, କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ରାମଚନ୍ଦ୍ର କାଡ଼ାମ, ବିଧାୟକ ଶ୍ରୀ ବାବୁ ସିଂ, ବିଧାୟକ ଶ୍ରୀ ଗଣେଶ୍ୱର ବେହେରା, ବିଧାୟକ ଶ୍ରୀ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଓ ଶ୍ରୀ ଅରବିନ୍ଦ ଢାଲି, ପୂର୍ବତନ ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ, ଉତ୍କଳ ସମ୍ମିଳନୀର ସଦସ୍ୟ, ବହୁ ସମାଜସେବୀ, ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ଶାଶ୍ୱତୀ ସାମାଜିକ-ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଦେଶାତ୍ମବୋଧକ ସଂଗୀତ ପରିବେଷିତ ହୋଇଥିଲା । ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ରୋଜାଲିନ୍‌ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking