ଭୁବନେଶ୍ୱର: ରାଜ୍ୟରେ ସ୍ୱାସ୍ଥ୍ୟ ମିତ୍ରଙ୍କ ସମୂହ ଛଟେଇକୁ ନେଇ ରାଜନୈତିକ ତାପମାତ୍ରା ବଢ଼ିଛି। ପୁନଃନିଯୁକ୍ତି ଦାବିରେ ଲୋୟର ପିଏମଜିରେ ୨୦ ଦିନରୁ ଅଧିକ ସମୟ ଧରି ଧାରଣାରେ ବସିଥିବା ସ୍ୱାସ୍ଥ୍ୟ ମିତ୍ରଙ୍କ ଆନ୍ଦୋଳନକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପୂର୍ଣ୍ଣ ସମର୍ଥନ ଘୋଷଣା କରିଛି। ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ଓ ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ବିଭୁତି ଭୂଷଣ ମହାପାତ୍ର ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।
ଦେବାଶିଷ ନାୟକ କହିଛନ୍ତି ଯେ, ସ୍ୱାସ୍ଥ୍ୟ ମିତ୍ରମାନେ କେବଳ ଜଣେ କର୍ମଚାରୀ ନୁହଁନ୍ତି, ବରଂ ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଦୀର୍ଘଦିନ ଧରି କାର୍ଯ୍ୟ କରିଆସୁଥିଲେ। ସରକାରୀ ସ୍ୱାସ୍ଥ୍ୟ ଯୋଜନାର ସୁବିଧା ଯେପରି ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚିବ, ରୋଗୀମାନେ ଯେପରି ହଇରାଣ ନହୁଅନ୍ତି ଏବଂ ଘରୋଇ ହସ୍ପିଟାଲରେ ସରକାରୀ ଯୋଜନାର ସଠିକ୍ କାର୍ଯ୍ୟକାରିତା ହେଉ, ସେଥିପାଇଁ ସ୍ୱାସ୍ଥ୍ୟ ମିତ୍ରମାନେ କାମ କରୁଥିଲେ। ଏଭଳି କର୍ମଚାରୀଙ୍କୁ ହଠାତ୍ ଚାକିରିରୁ ବିଦା କରି ସରକାର ସେମାନଙ୍କ ଦାନାପାଣି ମାରିଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ଦେବାଶିଷ କହିଛନ୍ତି, ଖରା, ବର୍ଷାକୁ ଖାତିର ନକରି ଶହ ଶହ ସ୍ୱାସ୍ଥ୍ୟ ମିତ୍ର ଗତ ୨୦ ଦିନରୁ ଅଧିକ ସମୟ ଧରି ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି। ସେମାନଙ୍କ ପରିବାର କେମିତି ଚଳିବ, ପିଲାଛୁଆଙ୍କ ଭବିଷ୍ୟତ କଣ ହେବ, ସେଥିପ୍ରତି ସରକାରଙ୍କର କୌଣସି ଚିନ୍ତା ନାହିଁ। ଏହା ଏକ ଜନବିରୋଧୀ ସରକାରର ପରିଚୟ ବୋଲି ସେ କହିଛନ୍ତି। ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଧାରଣାସ୍ଥଳକୁ ଯାଇ ସ୍ୱାସ୍ଥ୍ୟ ମିତ୍ରଙ୍କ ସହ ଆଲୋଚନା କରିଥିବା ଉଲ୍ଲେଖ କରି ସରକାର ତୁରନ୍ତ ଆଲୋଚନା କରି ସେମାନଙ୍କୁ ପୁନଃନିଯୁକ୍ତି ଦେବାକୁ ସେ ଦାବି କରିଛନ୍ତି।
କଂଗ୍ରେସ ମୁଖପାତ୍ର ବିଭୁତି ଭୂଷଣ ମହାପାତ୍ର କହିଛନ୍ତି ଯେ, ପ୍ରାୟ ୯୯୩ ଜଣ ସ୍ୱାସ୍ଥ୍ୟ ମିତ୍ର ୨୦୧୮ ମସିହାରୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟ କରିଆସୁଥିଲେ। ଗରିବ ଲୋକଙ୍କୁ ସରକାରୀ ସ୍ୱାସ୍ଥ୍ୟ ଯୋଜନାର ସୁବିଧା ପହଞ୍ଚାଇବା ସହ ଘରୋଇ ହସ୍ପିଟାଲଗୁଡ଼ିକର ଅନିୟମିତତା ଉପରେ ନଜର ରଖିବାରେ ସେମାନଙ୍କର ବଡ଼ ଭୂମିକା ଥିଲା। କିନ୍ତୁ ଦୀର୍ଘ ୮ ବର୍ଷ ସେବା ପରେ ରାତାରାତି ସେମାନଙ୍କୁ ଚାକିରିରୁ ବିଦା କରିଦିଆଯାଇଛି। ନିର୍ବାଚନ ସମୟରେ ନିଯୁକ୍ତିର ପ୍ରତିଶ୍ରୁତି ଦେଇଥିବା ସରକାର ବର୍ତ୍ତମାନ ଚାକିରି ଛଡ଼ାଇ ନେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ସେ ଆହୁରି କହିଛନ୍ତି, ସ୍ୱାସ୍ଥ୍ୟ ମିତ୍ରଙ୍କ ମଧ୍ୟରେ ଅନେକ ମହିଳା କର୍ମଚାରୀ ନିଜ ଛୋଟ ଛୋଟ ଶିଶୁଙ୍କୁ ଧରି ଧାରଣାରେ ବସିଛନ୍ତି। ତଥାପି ସରକାର ସେମାନଙ୍କ ସମସ୍ୟା ପ୍ରତି ସମ୍ବେଦନଶୀଳ ହେଉନାହାନ୍ତି। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ କଂଗ୍ରେସ ଦଳ ସ୍ୱାସ୍ଥ୍ୟ ମିତ୍ରଙ୍କ ଆନ୍ଦୋଳନକୁ ଦୃଢ଼ ସମର୍ଥନ କରୁଥିବା ବେଳେ ସେମାନଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ବୋଲି କହିଛନ୍ତି।
ରାଜ୍ୟ ସରକାର ଯଦି ସ୍ୱାସ୍ଥ୍ୟ ମିତ୍ରଙ୍କ ଦାବିକୁ ଗୁରୁତ୍ୱର ସହ ବିଚାର କରି ତୁରନ୍ତ ପୁନଃନିଯୁକ୍ତି ନଦିଅନ୍ତି, ତେବେ କଂଗ୍ରେସ ପକ୍ଷରୁ ସ୍ୱାସ୍ଥ୍ୟ ମିତ୍ରଙ୍କୁ ସାଙ୍ଗରେ ନେଇ ଜୋରଦାର ଆନ୍ଦୋଳନ କରାଯିବ ବୋଲି ନେତାମାନେ ଚେତାବନୀ ଦେଇଛନ୍ତି।










