ରାୟଗଡା: ଉଈ ଫର ୟୁ ଚାରିଟେବଲ୍ ଟ୍ରଷ୍ଟ ଦ୍ବାରା ରାୟଗଡାର ବିଜୁ ପଟ୍ଟନାୟକ ଅଡିଟରିଅମ୍ ଠାରେ ଦକ୍ଷିଣ ଓଡ଼ିଶା ଦକ୍ଷତା ସମାବେଶ ୨୦୨୬ ସଫଳତାର ସହ ଆୟୋଜିତ ହୋଇଯାଇଅଛି। ଏହି ସମାବେଶ ମାଧ୍ୟମରେ ଦକ୍ଷିଣ ଓଡ଼ିଶାରେ ଅନ୍ତର୍ଭୁକ୍ତ ଜୀବିକା ସୁଯୋଗକୁ ସୁଦୃଢ଼ କରିବା ପାଇଁ ସରକାରୀ ଅଧିକାରୀ, ଶିଳ୍ପ ନେତୃତ୍ବ, CSR ପ୍ରତିନିଧୂ, ସ୍ବୟଂସେବୀ ସଂଗଠନ, ଶିକ୍ଷାବିଦ୍ ଓ ଦିବ୍ୟାଙ୍ଗ ବ୍ୟକ୍ତିମାନେ ଗୋଟିଏ ମଞ୍ଚରେ ଏକତ୍ରିତ ହୋଇଥିଲେ ।”ସୁଯୋଗ ରୁ ସ୍ଵାବଲମ୍ବନ ପର୍ଯ୍ୟନ୍ତ : ସମାବେଶୀ ଜୀବିକାର ସ୍ଥାନୀୟ ପଥଚିତ୍ର ” ବିଷୟବସ୍ତୁକୁ କେନ୍ଦ୍ର କରି ଆୟୋଜିତ ଏହି ସମାବେଶରେ ଦକ୍ଷତା ବିକାଶ, ନିଯୁକ୍ତି ସୃଷ୍ଟି, ଉଦ୍ୟୋଗୀତା, ସୁଗମତା ଓ ପ୍ରମୁଖ ଅଂଶୀଦାରମାନଙ୍କ ମଧ୍ୟରେ ସଂଯୁକ୍ତ ପ୍ରୟାସ ଉପରେ ଗୁରୁତ୍ବ ଦିଆଯାଇଥିଲା ।
ଏହି ସମାବେଶରେ ରାୟଗଡାର ମାନ୍ୟବର ବିଧାୟକ ଶ୍ରୀ କାଡାରକା ଆପଲା ସ୍ବାମୀ, ରାଜ୍ୟ ଭିନ୍ନକ୍ଷମ କମିଶନରେଟ୍ର କମିଶନର ଶ୍ରୀମତୀ ବ୍ରତତୀ ହରିଚନ୍ଦନ, ସହିତ ବରିଷ୍ଠ ସରକାରୀ ଅଧିକାରୀମାନଙ୍କର ଉପସ୍ଥିତି ଦେଖିବାକୁ ମିଳିଥିଲା । ଏହା ସହିତ TPSODL, ହିଣ୍ଡାଲକୋ, OPGC, JK ପେପର, NALCO, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଓ ଅନ୍ୟାନ୍ୟ ସଂଗଠନର CSR ଏବଂ ଶିଳ୍ପ ପ୍ରତିନିଧୂମାନେ ମଧ୍ୟ ସକ୍ରିୟ ଭାଗୀଦାର ହୋଇଥିଲେ ।ଦିବ୍ୟାଙ୍ଗ ସମେତ ୨୫୦ ରୁ ଅଧିକ ଅଂଶଗ୍ରହଣକାରୀ ଏହି ସମାବେଶରେ ଯୋଗଦେଇଥିଲେ, ଯାହା ଏହାକୁ ଅନ୍ତର୍ଭୁକ୍ତ ବିକାଶ ପାଇଁ ଚର୍ଚ୍ଚା, ସହଯୋଗ ଓ କାର୍ଯ୍ୟନିଷ୍ପାଦନର ଏକ ଦୃଢ଼ ମଞ୍ଚରେ ପରିଣତ କରିଥିଲା । ଆଲୋଚନାରେ ଶିକ୍ଷା, ଦକ୍ଷତା ବିକାଶ, ନିଯୁକ୍ତି, ଉଦ୍ୟୋଗ ଓ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ପାଇଁ ସ୍ଥାୟୀ ଜୀବିକା ସୁନିଶ୍ଚିତ କରିବାରେ ସମାନ ପ୍ରବେଶ ଓ ସଂଯୁକ୍ତ ସହଯୋଗର ଗୁରୁତ୍ବକୁ ବିଶେଷ ଭାବେ ଉଲ୍ଲେଖ କରାଯାଇଥିଲା ।ଅଧିକ ସୁଗମ ଓ ଅନ୍ତର୍ଭୁକ୍ତ ଦକ୍ଷିଣ ଓଡ଼ିଶା ଗଠନ ପାଇଁ ଏକ ସାମୂହିକ ପ୍ରତିବଦ୍ଧତା ସହ ସମାବେଶଟି ସଫଳ ଭାବେ ଶେଷ ହୋଇଥୁଲା ।










