ନୂଆଦିଲ୍ଲୀ : ଦେଶକୁ ପୁଣି ଘାରିଲା କରୋନା ଭୟ । ଆନ୍ଧ୍ରରେ ଜଣେ ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହୋଇଥିବା ବେଳେ ୪ ସକ୍ରିୟ ମାମଲା ଚିହ୍ନଟ କରାଯାଇଛି । ଆନ୍ଧ୍ରପ୍ରଦେଶର କଡ଼ପ୍ପାରେ ୪୬ ବର୍ଷୀୟ ବ୍ୟକ୍ତି କରୋନାରେ ପ୍ରାଣ ହରାଇଛନ୍ତି । ତାଙ୍କୁ ଭେଲ୍ଲୋରର ସିଏମ୍ସି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ କୋଭିଡ୍ ଟେଷ୍ଟ ପଜିଟିଭ ଆସିଥିଲା ଓ ୪ ଦିନ ଚିକିତ୍ସା ପରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ଫୁସ୍ଫୁସ୍ ଖରାପ ହୋଇଯାଇଥିଲା ଏବଂ ସେ ନିମୋନିଆର ଶିକାର ହୋଇଥିଲେ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି । ତାଙ୍କୁ କଣ୍ଟେନମେଣ୍ଟ ଜୋନ୍ରେ ରଖାଯାଇଥିଲା । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯାଉଛି । ସମ୍ପୃକ୍ତ ଅଞ୍ଚଳକୁ ସାନିଟାଇଜ କରାଯାଇଛି । କଡ଼ପ୍ପା ଏବଂ ତିରୁପତି ଜିଲ୍ଲାରେ ଆଉ ୪ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ମେଡିକାଲ ଏଜୁକେସନ ନିର୍ଦ୍ଦେଶକ ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନାରେ ଆଇସୋଲେସନ ବେଡ୍, ଆଇସିୟୁ ବେଡ୍, ଅକ୍ସିଜେନ, ଭେଣ୍ଟିଲେଟର, ଔଷଧ, ରାପିଡ ଟେଷ୍ଟ କିଟ୍, ଆମ୍ବୁଲାନ୍ସ ଏବଂ ମେଡିକାଲ ଷ୍ଟାଫ୍ଙ୍କ ସମ୍ପର୍କରେ ତଥ୍ୟ ମାଗିଛନ୍ତି । ସରକାରୀ ତଥ୍ୟ ଅନୁସାରେ ୨୦୨୨ ଶେଷ ସୁଦ୍ଧା ପ୍ରାୟ ୫ ଦଶମିକ ୩ ଲକ୍ଷ କରୋନାରେ ପ୍ରାଣ ହରାଇଥିଲେ କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଆକଳନ ଅନୁସାରେ ଏହି ସଂଖ୍ୟା ଅଧିକ ହେବ । ତେବେ କେହି ଭୟଭୀତ ନହେବା ପାଇଁ ପରାମର୍ଶ ଦିଆଯାଇଛି ।










