ସମ୍ବଲପୁର: ସମ୍ବଲପୁର ସହରରେ ଡ୍ରେନ୍ ଜବରଦଖଲ ଉଚ୍ଛେଦ ପାଇଁ ମହାନଗର ନିଗମ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସହରର ବିଭିନ୍ନ ଅଞ୍ଚଳରେ ଡ୍ରେନ୍ ଉପରେ ଅନଧିକୃତ ଭାବେ ଦୋକାନ ଓ ଅସ୍ଥାୟୀ ଗଠନ ତିଆରି ହୋଇଥିବା ଦେଖାଯାଇଥିଲା । ଗତକାଲି ରାତିରେ ପ୍ରବଳ ବର୍ଷା ପରେ ସମ୍ବଲପୁର ସହରର ଅନେକ ସ୍ଥାନରେ ପାଣି ଜମି ରହିଥିଲା । ଡ୍ରେନ୍ ଜବରଦଖଲ ଯୋଗୁଁ ପାଣିର ସଠିକ୍ ନିଷ୍କାସନ ହୋଇପାରିନଥିବାରୁ ଜଳଜମା ସମସ୍ୟା ଆହୁରି ଗମ୍ଭୀର ହୋଇଯାଇଥିଲା ।ଏହାପରେ ଆଜି ସକାଳୁ ସମ୍ବଲପୁର ମହାନଗର ନିଗମ ଟିମ ପକ୍ଷରୁ ଡ୍ରେନ୍ ଉପରେ ଥିବା ଅନଧିକୃତ ଦୋକାନ ଓ ଅବରୋଧଗୁଡ଼ିକୁ ଉଚ୍ଛେଦ କରାଯାଇଛି । ନିଗମ ଅଧିକାରୀମାନେ କହିଛନ୍ତି ଯେ ଡ୍ରେନ୍ ସ୍ୱାଭାବିକ ଭାବେ ପାଣି ଚାଲାଚଳ କରିବା ପାଇଁ ଏଭଳି ଅବରୋଧ ହଟାଇବା ଅତ୍ୟାବଶ୍ୟକ । ଆଗାମୀ ଦିନରେ ମଧ୍ୟ ଏଭଳି ଅନଧିକୃତ ଦଖଲ ଉପରେ କଡ଼ା ନଜର ରଖାଯିବ ବୋଲି ସୂଚନା ମିଳିଛି । ସ୍ଥାନୀୟ ଲୋକମାନେ ଏହି ପଦକ୍ଷେପକୁ ସ୍ୱାଗତ କରିଥିବାବେଳେ ଆଗାମୀରେ ସ୍ଥାୟୀ ଭାବେ ଡ୍ରେନ୍ ପରିଚାଳନା ବ୍ୟବସ୍ଥା ସୁଧାରିବାକୁ ଦାବି କରିଛନ୍ତି ।









