ମୁମ୍ବାଇ: ପ୍ରବଳ ବର୍ଷାରେ ବେହାଲ ଦେଶର ବାଣିଜ୍ୟ ନଗରୀ ମୁମ୍ବାଇ । ଆଜି ସକାଳୁ ମୌସୁମୀ ପ୍ରଭାବରେ ବର୍ଷା ଜାରି ରହିଛି । ଲଗାତାର ବର୍ଷା ଫଳରେ ସହରରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ମୁମ୍ବାଇ, ଥାଣେ, ପାଲଘର ଏବଂ ରାୟଗଡ଼ ଜିଲ୍ଲା ପାଇଁ ‘ରେଡ୍ ଆଲର୍ଟ’ ଜାରି କରିଛି । ପାଣିପାଗ ବିଭାଗ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇର ମୁଲୁଣ୍ଡ, ମାଙ୍ଖୁର୍ଦ ଏବଂ ସାନ୍ତାକ୍ରୁଜ୍ ଭଳି ଅଞ୍ଚଳରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ସହରର ପ୍ରମୁଖ ସ୍ଥାନ ଯଥା ଅନ୍ଧେରୀ, କିଙ୍ଗସ୍ ସର୍କଲ୍, ଗାନ୍ଧୀ ମାର୍କେଟ୍ ଏବଂ ପରେଲ୍ରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି । ରାସ୍ତାରେ ପାଣି ଜମି ରହିଥିବାରୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।ଫଳରେ ସ୍ଥାନେ ସ୍ଥାନେ ଟ୍ରାଫିକ ଜାମ୍ ପରିସ୍ଥିତି ଉପୁଜିଛି । ବର୍ଷା ଫଳରେ ରେଳ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି । ଦାଦର ଷ୍ଟେସନରେ ରେଳଧାରଣାଗୁଡ଼ିକ ପାଣିରେ ବୁଡ଼ି ରହିଥିବାରୁ ଲୋକାଲ୍ ଟ୍ରେନ୍ ଯାତାୟାତରେ ବିଳମ୍ବ ହୋଇଛି । ଫଳରେ ଯାତ୍ରୀ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଅନ୍ୟପଟେ, ପାଣିପାଗ ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ ଆଗାମୀ ୪ ରୁ ୫ ଦିନ ପର୍ଯ୍ୟନ୍ତ କୋଙ୍କଣ ଉପକୂଳ, ଗୋଆ ଏବଂ ଦକ୍ଷିଣ ଗୁଜରାଟରେ ଏହିପରି ଅତି ପ୍ରବଳ ବର୍ଷା ଜାରି ରହିବ ବୋଲି ଜଣାପଡ଼ିଛି ।










