ସୋର:ବାଲେଶ୍ୱର ଜିଲ୍ଲା ସୋର-କୁପାରୀ ରାସ୍ତାର ପିତାକାଳିଆ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ପରିବେଶ ସୃଷ୍ଟି ହୋଇଛି।ସୂଚନା ଅନୁଯାୟୀ, ଖଇରା ଥାନା ଅଧୀନ ତେନ୍ତୁଳିଆ ଗ୍ରାମର ଚିନ୍ମୟ କୁମାର ମାଝି (୨୮) ଓ ଭଦ୍ରକ ଅଞ୍ଚଳର ରମେଶ ବିହାରୀ ଏକ ବାଇକ୍ରେ ତୁଡ଼ିଗଡ଼ିଆରୁ ବାଲେଶ୍ୱର ଅଭିମୁଖେ ଯାଉଥିଲେ। ଏହି ସମୟରେ ପିତାକାଳିଆ ନିକଟରେ ପଛପଟୁ ଆସୁଥିବା ଏକ ଅଜଣା ଗାଡ଼ି ସେମାନଙ୍କ ବାଇକ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।ଧକ୍କାରେ ଉଭୟ ରାସ୍ତା ଉପରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ଖବର ପାଇ ସୋର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ପିସିଆର୍ ଭ୍ୟାନ୍ ଯୋଗେ ସୋର ମେଡିକାଲକୁ ନେଇଥିଲା। ଚିନ୍ମୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ତୁରନ୍ତ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ମୃତଦେହ ବ୍ୟବଚ୍ଛେଦ ପରେ ଗ୍ରାମକୁ ଅଣାଯାଇଥିଲା। ଗ୍ରାମରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଚିନ୍ମୟଙ୍କ ଅକାଳ ବିୟୋଗରେ ପରିବାର, ସମ୍ପର୍କୀୟ ଓ ଗ୍ରାମବାସୀଙ୍କ ମଧ୍ୟରେ ଗଭୀର ଶୋକର ଛାୟା ଖେଳିଯାଇଛି।










