ଭୁବନେଶ୍ୱର : ମୁମ୍ବାଇରେ ଆୟୋଜିତ FICCI FRAMES 2026ରେ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ପକ୍ଷରୁ ‘ସୁଭଦ୍ରା ଶକ୍ତି ପପ୍-ଅପ୍ ବଜାର’ ସ୍ଥାପନ କରାଯାଇଥିଲା। ୨୯ ଓ ୩୦ ସେପ୍ଟେମ୍ବରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମହିଳା ଉଦ୍ୟୋଗୀମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା।ଦେଶର ମିଡିଆ ଓ ମନୋରଞ୍ଜନ କ୍ଷେତ୍ରର ଏକ ପ୍ରମୁଖ ମଞ୍ଚ ଭାବେ ପରିଚିତ FICCI FRAMESରେ ଏହି ପପ୍-ଅପ୍ ବଜାର ମାଧ୍ୟମରେ ଓଡ଼ିଶାର ମହିଳା ଉଦ୍ୟୋଗୀମାନଙ୍କ ଦକ୍ଷତା, ସୃଜନଶୀଳତା, ପାରମ୍ପରିକ କାରିଗରୀ ଏବଂ ଉଦ୍ୟୋଗୀ ମନୋଭାବକୁ ଜାତୀୟ ସ୍ତରରେ ପ୍ରଦର୍ଶନ କରାଯାଇଥିଲା।
ବଲିଉଡ୍ ଅଭିନେତା ରବି କିଶନ, ପ୍ରାଜକ୍ତା କୋଲି, ଅମୋଲ ପରାଶର, ରସିକା ଦୁଗଲ ଏବଂ ଚର୍ଚ୍ଚିତ ଶେଫ ରଣବୀର ବ୍ରାରଙ୍କ ସମେତ ଚଳଚ୍ଚିତ୍ର ଓ ମନୋରଞ୍ଜନ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ‘ସୁଭଦ୍ରା ଶକ୍ତି ପପ୍-ଅପ୍ ଷ୍ଟୋର’ ପରିଦର୍ଶନ କରିଥିଲେ। ସେମାନଙ୍କୁ ଓଡ଼ିଶାର ମହିଳା ଉଦ୍ୟୋଗୀଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଉତ୍ପାଦ ସମ୍ବଳିତ ‘ସୁଭଦ୍ରା ଶକ୍ତି’ ଉପହାର ହ୍ୟାମ୍ପର ପ୍ରଦାନ କରାଯାଇଥିଲା।ଏହି ପ୍ରଦର୍ଶନୀ ମାଧ୍ୟମରେ ଓଡ଼ିଶାର ମହିଳା ଉଦ୍ୟୋଗୀଙ୍କ ହାତତିଆରି ଉତ୍ପାଦଗୁଡ଼ିକୁ ବ୍ୟାପକ ବଜାରରେ ଏକ ସ୍ୱତନ୍ତ୍ର ପରିଚୟ ମିଳିବାର ସୁଯୋଗ ସୃଷ୍ଟି ହୋଇଥିଲା। ‘ସୁଭଦ୍ରା ଶକ୍ତି ପପ୍-ଅପ୍ ବଜାର’ ଓଡ଼ିଶାର ମହିଳା ଉଦ୍ୟୋଗୀଙ୍କ ଉତ୍ପାଦକୁ ଜାତୀୟ ଏବଂ ଆନ୍ତର୍ଜାତୀୟ ବଜାର ସହ ସଂଯୋଗ କରିବା ସହିତ ନୂତନ ବଜାର ସୁଯୋଗ ସୃଷ୍ଟି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ସାବ୍ୟସ୍ତ ହୋଇଛି।










