32.5 C
Bhubaneswar
Monday, June 29, 2026
Homeଓଡିଶାଭାରତ ସରକାରଙ୍କ ସମବାୟ ମନ୍ତ୍ରଣାଳୟର ୫ମ ପ୍ରତିଷ୍ଠା ଦିବସର ଉଦ୍‌ଘାଟନୀ ଉତ୍ସବ

ଭାରତ ସରକାରଙ୍କ ସମବାୟ ମନ୍ତ୍ରଣାଳୟର ୫ମ ପ୍ରତିଷ୍ଠା ଦିବସର ଉଦ୍‌ଘାଟନୀ ଉତ୍ସବ

ଭୁବନେଶ୍ୱର: ସମବାୟ ବିଭାଗ,ଓଡ଼ିଶାଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ରାଜ୍ୟ ସମବାୟ ୟୁନିୟନ, ଭୁବନେଶ୍ୱରଙ୍କ ଆନୁକୂଲ୍ୟରେ ଭାରତ ସରକାରଙ୍କ ସମବାୟ ମନ୍ତ୍ରଣାଳୟର ୫ମ ପ୍ରତିଷ୍ଠା ଦିବସର ଉଦ୍‌ଘାଟନୀ ଉତ୍ସବ ଭୁବନେଶ୍ୱରସ୍ଥିତ ସମବାୟ ଭବନ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ଦ୍ୱାରା ନୂତନ ଭାବରେ ପ୍ରତିଷ୍ଠିତ ସମବାୟ ମନ୍ତ୍ରଣାଳୟର ପାଞ୍ଚ ବର୍ଷ ପୂର୍ତ୍ତି ଅବସରରେ ଜନସାଧାରଣଙ୍କୁ ସମବାୟ ଆନ୍ଦୋଳନ ସହ ଯୋଡ଼ିବା ପାଇଁ ତା୨୯/୦୬/୨୦୨୬ ରିଖ ଠାରୁ ୦୬/୦୭/୨୦୨୬ରିଖ ପର୍ଯ୍ୟନ୍ତ ଭାରତ ସରକାର ସମବାୟ ବିଭାଗର ସୁଫଳକୁ ଦେଶର ପ୍ରତିଟି ପ୍ରାନ୍ତରରେ ପହଞ୍ଚାଇବା ନିମନ୍ତେ ଏକ ବୃହତ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନର ଲକ୍ଷ୍ୟ ହେଉଛି ପ୍ରାଥମିକ କୃଷି ସମବାୟ ସମିତି ଗୁଡ଼ିକର ବିକାଶ , କୃଷକଙ୍କୁ ସମ୍ମାନ, ବୃକ୍ଷରୋପଣ ମାଧ୍ୟମରେ ସବୁଜ ସମବାୟ ସୃଷ୍ଟି, ସମବାୟ ପରିସରରେ ଅଧିକରୁ ଅଧିକ ଛାତ୍ରଛାତ୍ରୀ, ଯୁବକ ଓ ମହିଳାମାନଙ୍କୁ ସଂଯୋଗ କରିବା, ନୂତନ ପିଢ଼ି ପାଇଁ ନୂଆ ସମବାୟ ଗଠନ, କୃତ୍ରିମ ବୁଦ୍ଧିମତା ଓ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ଭଳି ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ ଉକ୍ତ ଅଭିଯାନର ପ୍ରମୂଖ ଲକ୍ଷ୍ୟ ରହିଛି ।
ଏହି ଉଦ୍‌ଘାଟନୀ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ ଶ୍ରୀଯୁକ୍ତ ପ୍ରଦିପ ବଳସାମନ୍ତ, ମାନ୍ୟବର ମନ୍ତ୍ରୀ, ସମବାୟ,ହସ୍ତତନ୍ତ,ବୟନ ଓ ହସ୍ତଶିଳ୍ପ ବିଭାଗ, ଓଡିଶା ସରକାର । ସର୍ବପ୍ରଥମେ ମାନନୀୟ ସମବାୟ ମନ୍ତ୍ରୀ ସମବାୟ ଭବନ ପରିସରରେ ସମବାୟ ପତାକା ଉତ୍ତୋଳନ କରିଥିଲେ । ଏହାପରେ ସମବାୟ ଭବନଠାରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ମାନନୀୟ ସମବାୟ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ ବଳ ସାମନ୍ତ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ସମ୍ମାନିତ ଅତିଥି ଭାବରେ ଓଡ଼ିଶା ସମବାୟ ସମିତି ସମୂହର ନିବନ୍ଧକ,ଶ୍ରୀଯୁକ୍ତ ମନୀଷ ଅଗ୍ରୱାଲ, ଆଇ.ଏ.ଏସ୍‌, ଅନ୍ୟତମ ସମ୍ମାନିତ ଅତିଥିଭାବରେ ନିର୍ଦ୍ଦେଶକ, କୃଷି ବିପଣନ ଏବଂ ମେମ୍ବର ସେକ୍ରେଟାରୀ,ଓସ୍‌ମା ବୋର୍ଡ ଶ୍ରୀଯୁକ୍ତ କେ.ସୁଦର୍ଶନ ଚକ୍ରବର୍ତ୍ତି ,ଆଇ.ଏ.ଏସ ଯୋଗଦାନ କରିଥିଲେ ଏବଂ ସଭାପତିତ୍ୱ କରିଥିଲେ ଓଡ଼ିଶା ରାଜ୍ୟ ସମବାୟ ୟୁନିୟନର ସଭାପତି ସୁଶ୍ରୀ ପ୍ରବାସିନୀ ଷଡଙ୍ଗୀ । ମାନନୀୟ ସମବାୟ ମନ୍ତ୍ରୀ ତାଙ୍କ ଅଭି ଭାଷଣରେ କହିଥିଲେ ଯେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କର ଦୂରଦୃଷ୍ଟି ଚିନ୍ତାଧାରା ସମବାୟରୁ ସମୃଦ୍ଧି ଅଭିଯାନକୁ ରାଜ୍ୟରେ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାରଙ୍କ ସମବାୟ ବିଭାଗ ସମସ୍ତ ପ୍ରୟାସ କରିବା ସହିତ ଏହି ଅଭିଯାନକୁ ଫଳପ୍ରଦ କରିବା ପାଇଁ ଅନେକ କିଛି ପଦକ୍ଷେପ ଗ୍ରହଣ କରାଯାଇଛି । ଓଡ଼ିଶାର ପ୍ରତିଟି ପଞ୍ଚାୟତରେ ଗୋଟିଏ ଗୋଟିଏ କୃଷିଋଣ ସମବାୟ ସମିତି / ଦୁଗ୍ଧ ସମବାୟ ସମିତି / ମତ୍ସ୍ୟ ସମବାୟ ସମିତି ଗଠନ ହେବା ପ୍ରକ୍ରିୟା ଜାରି ରହିଛି । ପ୍ୟାକ୍‌ସ ଗୁଡ଼ିକୁ ଏମ୍‌-ପ୍ୟାକ୍ସରେ ପରିଣତ କରାଇ ଏହା ମାଧ୍ୟମରେ ବିଭିନ୍ନ ବ୍ୟବସାୟିକ ତଥା ଉତ୍ପାଦନକ୍ଷମ କାର୍ଯ୍ୟମାନ ହାତକୁ ନିଆଯାଇଛି । ଜାତୀୟ ସମବାୟ ନୀତି-୨୦୨୫ ସହିତ ସମନ୍ୱୟ ରଖି ଓଡ଼ିଶା ସମବାୟ ନୀତି-୨୦୨୬ ପ୍ରସ୍ତୁତ ହୋଇଛି । ସମବାୟ ସମିତି ସମୂହର ନିବନ୍ଧକ ଶ୍ରୀଯୁକ୍ତ ମନୀଷ୍ ଅଗ୍ରୱାଲ ତାଙ୍କ ଅଭିଭାଷଣରେ କହିଥିଲେ ଯେ ସମବାୟ ଅନୁଷ୍ଠାନ ଗୁଡିକୁ କିପରି ଲାଭାନ୍ୱିତ ସଂସ୍ଥାରେ ପହଞ୍ଚା ଯାଇପାରିବ ତାହା ଉପରେ ସୂଚନା ପ୍ରଦାନ କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ରୂପେ ଯୋଗଦାନ କରି ଓଡ଼ିଶାର କୃଷି ବିପଣନ ନିର୍ଦ୍ଦେଶକ ତଥା ଓସ୍‌ମା ବୋର୍ଡର ମେମ୍ବର ସେକ୍ରେଟାରୀ ଶ୍ରୀଯୁକ୍ତ କେ.ସୁଦର୍ଶନ ଚକ୍ରବର୍ତ୍ତି କହିଥିଲେ ଯେ ଓଡ଼ିଶାର ସମବାୟ ଆନ୍ଦୋଳନକୁ ଆଜି ଅଧିକରୁ ଅଧିକ କ୍ରିୟାଶୀଳ କରିବା ପାଇଁ ଭିତ୍ତିଭୂମିର ବିକାଶ ଏକାନ୍ତ ଆବଶ୍ୟକ । ଏଥି ନିମନ୍ତେ ସମବାୟ ବିଭାଗ ତରଫରୁ ଦୁଇବର୍ଷ ଧରି ଭିତ୍ତିଭୂମିର ବିକାଶ କାର୍ଯ୍ୟକୁ ଅଧିକରୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇଛି । ଏହି ଉତ୍ସବରେ ସଭାପତିତ୍ୱ କରୁଥିବା ୟୁନିୟନର ସଭାପତି ସୁଶ୍ରୀ ପ୍ରବାସିନୀ ଷଡଙ୍ଗୀ କହିଥିଲେ ଯେ ଏଭଳି ଏକ ମହତ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବକୁ ୟୁନିୟନକୁ ପ୍ରଦାନ କରାଯାଇଥିବାରୁ ସେ ସମବାୟ ମନ୍ତ୍ରୀ, ସମବାୟ ସଚିବ ଓ ସମବାୟ ସମିତି ସମୂହର ନିବନ୍ଧକଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଉଦ୍‌ଘାଟନୀ ସଭା ଅବସରରେ ୟୁନିୟନ ଦ୍ୱାରା ପ୍ରକାଶିତ ସମବାୟ ସମାଚାରର ସ୍ୱତନ୍ତ୍ର ସଂଖ୍ୟା ଓ ସମବାୟ ସର୍କୁଲାର ପୁସ୍ତକକୁ ମାନ୍ୟବର ସମବାୟ ମନ୍ତ୍ରୀ ଓ ଅନ୍ୟାନ୍ୟ ଅତିଥିମାନେ ଉନ୍ମୋଚନ କରିଥିଲେ ।
ଉକ୍ତ ଉଦ୍‌ଘାଟନୀ ସଭାର ବିଭିନ୍ନ ଦାୟିତ୍ୱ ଓ କାର୍ଯ୍ୟରେ ଓଡ଼ିଶା ରାଜ୍ୟ ସମବାୟ ୟୁନିୟନର ପରିଚାଳନା ପରିଷଦ ସଦସ୍ୟ ଶ୍ରୀ ରଂଜନ କୁମାର ଦାସ, ସମ୍ପାଦକ ଶ୍ରୀମତୀ ସୁନିତା ପତି, ଓ.ଏସ୍‌.ଡି ଶ୍ରୀ ବ୍ରହ୍ମାନନ୍ଦ ପରିଡା ପ୍ରମୁଖ ସହଯୋଗ କରିଥିଲେ । ଏହି ଉତ୍ସବରେ ସମବାୟ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ଉଷାରାଣୀ ଦାସ, ଅତିରିକ୍ତ ସଚିବ ଶ୍ରୀମତୀ ବିଷ୍ଣୁପ୍ରିୟା ସାହୁ, ଅତିରିକ୍ତ ସଚିବ ତଥା ବିତ୍ତ ପରାମର୍ଶ ଦାତା ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ସାହୁ, ଅତିରିକ୍ତ ନିବନ୍ଧକ ଶ୍ରୀ ଭକ୍ତବନ୍ଧୁ ସାହୁ , ଅତିରିକ୍ତ ନିବନ୍ଧକ ଶ୍ରୀମତୀ ରୋଜାଲିନ ସେନାପତି, ଅତିରିକ୍ତ ମହାସମୀକ୍ଷକ ଶ୍ରୀମତୀ ସୁନିତା ଶତପଥି, ଅନ୍ୟାନ୍ୟ ପ୍ରମୁଖ ସମବାୟ ଅଧିକାରୀ, ବିଭିନ୍ନ ସମବାୟ ସଂସ୍ଥାର ପରିଚାଳନା ପରିଷଦ ସଦସ୍ୟ, କର୍ମଚାରୀ, ସଭ୍ୟ, ସମବାୟବିତ ପ୍ରମୁଖ ଯୋଗଦାନ କରିଥିଲେ । ସର୍ବଶେଷରେ ଓଡ଼ିଶା ରାଜ୍ୟ ସମବାୟ ୟୁନିୟନର ସମ୍ପାଦକ ଶ୍ରୀମତୀ ସୁନୀତା ପତି ଧନ୍ୟବାଦ ଅର୍ପଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking