ପୁରୀ: ଶ୍ରୀଜଗନ୍ନାଥ କେବଳ ଦେବତା ନୁହଁନ୍ତି । ସେ ଭକ୍ତଙ୍କ ଘରର ଜଣେ ଆପଣାର ମଣିଷ । ସେଥିପାଇଁ ତାଙ୍କର ପ୍ରତ୍ୟେକ ନୀତି ମାନବ ଜୀବନର ଦୈନନ୍ଦିନ ଆଚାର-ବ୍ୟବହାର ସହ ଜଡ଼ିତ । ଆଜି ପବିତ୍ର ସ୍ନାନପୂର୍ଣ୍ଣିମା । ମହାପ୍ରଭୁଙ୍କ ଜନ୍ମଉତ୍ସବ ଭାବେ ପାଳିତ ହେଉଥିବା ଏହି ଦିନରେ ସକାଳୁ ସକାଳୁ ଶ୍ରୀମନ୍ଦିରରେ ଚାଲିଛି ବିଭିନ୍ନ ନୀତି । ସେହି ନୀତି ମଧ୍ୟରୁ ଅନ୍ୟତମ ହେଉଛି ମୁତୁରି କାଠିରେ ଦାନ୍ତଘଷା । ସୁଗନ୍ଧିତ ଔଷଧୀୟ ଗୁଣରେ ଭରପୂର ମୁତୁରି କାଠିରେ ମହାପ୍ରଭୁଙ୍କ ଦାନ୍ତ ଘଷାଯାଉଛି । ଏହା କେବଳ ଏକ ନୀତି ନୁହେଁ, ବରଂ ମହାପ୍ରଭୁଙ୍କ ମାନବୀୟ ଲୀଳାର ଏକ ଅପୂର୍ବ ଦୃଶ୍ୟ । ଭକ୍ତମାନେ ବିଶ୍ୱାସ କରନ୍ତି, ପ୍ରଭୁଙ୍କ ଏହି ପ୍ରତ୍ୟେକ ଆଚାର ଆମ ଜୀବନକୁ ସୁସଂସ୍କାର ଓ ଶୃଙ୍ଖଳାର ବାର୍ତ୍ତା ଦେଇଥାଏ ।ଦାନ୍ତଘଷା ପରେ ମହାପ୍ରଭୁଙ୍କର ଅନ୍ୟାନ୍ୟ ସକାଳ ନୀତି ସମ୍ପନ୍ନ ହେଉଛି । ଏହାପରେ ଧାଡ଼ି ପହଣ୍ଡିରେ ରତ୍ନବେଦିରୁ ସ୍ନାନମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ସେଠାରେ ୧୦୮ ଗରା ସୁବାସିତ ପବିତ୍ର ଜଳରେ ହେବ ମହାସ୍ନାନ । ଏହି ଦିବ୍ୟ ଲୀଳାକୁ ଦେଖିବା ପାଇଁ ବଡ଼ଦାଣ୍ଡରେ ସକାଳୁ ସକାଳୁ ଭକ୍ତଙ୍କ ସୁଅ ଛୁଟିଛି । କିଏ ହାତରେ ତୁଳସୀମାଳା ଧରିଛନ୍ତି, ତ କିଏ ପୁଣି ହରିବୋଲ ଧ୍ୱନିରେ ପ୍ରକମ୍ପିତ କରୁଛନ୍ତି ପରିବେଶ ।










