ଭୁବନେଶ୍ୱର: ବିଜେଡି ରାଜନୀତିରେ ପୁଣି ଚର୍ଚ୍ଚାରେ ଶଙ୍ଖ ଭବନ । ଦଳର ନୂତନ ସଦସ୍ୟ ସୁଜାତା ରାଉତ ଏବଂ ବରିଷ୍ଠ ନେତା ବବି ଦାସଙ୍କ ମଧ୍ୟରେ ଶଙ୍ଖ ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିବା ସୂଚନା ମିଳିଛି । ଏହି ବୈଠକକୁ ନେଇ ଦଳୀୟ ମହଲରେ ନାନା ପ୍ରକାର ଚର୍ଚ୍ଚା ଜୋର ଧରିଛି । ଗତକାଲି ଆୟୋଜିତ ମିଶ୍ରଣ ପର୍ବରେ ବବି ଦାସ ଉପସ୍ଥିତ ନଥିବାରୁ ବିଭିନ୍ନ ଚର୍ଚ୍ଚା ସୃଷ୍ଟି ହୋଇଥିଲା । ତେବେ କିଛି ସମୟ ପରେ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସୁଜାତା ରାଉତଙ୍କୁ ବିଜେଡି ପରିବାରକୁ ସ୍ୱାଗତ ଜଣାଇଥିଲେ ।ଏହା ପରେ ତାଙ୍କ ଅନୁପସ୍ଥିତିକୁ ନେଇ ଚାଲିଥିବା ଚର୍ଚ୍ଚାକୁ ନୂଆ ମୋଡ଼ ମିଳିଥିଲା । ଏବେ ଶଙ୍ଖ ଭବନରେ ସୁଜାତା ରାଉତ ଓ ବବି ଦାସଙ୍କ ବୈଠକ ହେବା ପରେ ଏହାର ରାଜନୈତିକ ଗୁରୁତ୍ୱକୁ ନେଇ ଆଲୋଚନା ଆରମ୍ଭ ହୋଇଛି । ତେବେ ବୈଠକରେ କେଉଁ ସବୁ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି, ସେନେଇ କୌଣସି ଆନୁଷ୍ଠାନିକ ସୂଚନା ସାମ୍ନାକୁ ଆସିନାହିଁ ।










