ମାଲକାନଗିରି: ମାଲକାନଗିରି ବନ ବିଭାଗକୁ ବଡ଼ ସଫଳତା । ବେଆଇନ କଇଁଛ ଚାଲାଣ ଉପରେ ଚଢ଼ାଉ କରି ବନ ବିଭାଗ ୩୨୪ଟି ସଫ୍ଟ ଶେଲ୍ ଟର୍ଟଲ ବା କଇଁଛ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି । ଏହି ଚଢ଼ାଉ ମାଲକାନଗିରି ଜିଲ୍ଲା ପଦ୍ମଗିରି ଛକ ନିକଟରେ କରାଯାଇଥିଲା । ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ବନ ବିଭାଗର ଟିମ୍ ଏକ ବୋଲେରୋ ଗାଡ଼ିକୁ ଅଟକାଇ ତଲାସି କରିଥିଲା । ତଲାସି ବେଳେ ଗାଡ଼ି ଭିତରୁ ବହୁ ସଂଖ୍ୟକ ଜୀବନ୍ତ ସଫ୍ଟ ଶେଲ୍ କଇଁଛ ଉଦ୍ଧାର ହୋଇଥିଲା । ଗଣନା ପରେ ମୋଟ ୩୨୪ଟି କଇଁଛ ଜବତ କରାଯାଇଥିବା ଜଣାପଡ଼ିଛି ।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହି କଇଁଛଗୁଡ଼ିକୁ ଆନ୍ଧ୍ରପ୍ରଦେଶରୁ ମାଲକାନଗିରି ଜିଲ୍ଲାର ପଦ୍ମଗିରି ଅଞ୍ଚଳକୁ ବେଆଇନ ଭାବେ ଚାଲାଣ କରାଯାଉଥିଲା । ବନ ବିଭାଗ ଗାଡ଼ିର ଡ୍ରାଇଭରଙ୍କ ସମେତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ବେଳେ, ଏହି ଚାଲାଣ ପଛରେ ଥିବା ବଡ଼ ରାକେଟ୍ର ସନ୍ଧାନ ପାଇଁ ତଦନ୍ତ ଜାରି ରହିଛି । ବାରମ୍ବାର କଇଁଛ ଚୋରାଚାଲାଣ ଘଟଣା ସାମ୍ନାକୁ ଆସୁଥିବାରୁ ବନ ବିଭାଗ ପକ୍ଷରୁ ନଜରଦାରିକୁ ଆହୁରି କଡ଼ାକଡ଼ି କରାଯାଇଛି । ଏହି ସଫଳ ଚଢ଼ାଉକୁ ନେଇ ବନ ବିଭାଗର କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଉଛି ।










