29.4 C
Bhubaneswar
Wednesday, June 24, 2026
Homeଓଡିଶାକଳିଙ୍ଗ ଷ୍ଟାଡିୟମରେ ୬୫ତମ ଜାତୀୟ ଆନ୍ତଃ-ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନସିପ୍ ୨୦୨୬ ଆରମ୍ଭ

କଳିଙ୍ଗ ଷ୍ଟାଡିୟମରେ ୬୫ତମ ଜାତୀୟ ଆନ୍ତଃ-ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନସିପ୍ ୨୦୨୬ ଆରମ୍ଭ

ଭୁବନେଶ୍ୱର: ଆଥଲେଟିକ୍ସ ଫେଡେରେସନ ଅଫ୍ ଇଣ୍ଡିଆ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ସହଯୋଗରେ କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ “୬୫ତମ ଜାତୀୟ ଆନ୍ତଃ-ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନସିପ୍ ୨୦୨୬” ଆଜିଠାରୁ ଆରମ୍ଭ ହୋଇଛି । ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହି ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ସୂରଜ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହ ଓଡ଼ିଶାର କ୍ରୀଡ଼ା ଭିତ୍ତିଭୂମିର ପ୍ରଶଂସା କରିଥିଲେ । ଦେଶର ଶ୍ରେଷ୍ଠ ଆଥଲେଟ୍‌ମାନଙ୍କୁ ସ୍ୱାଗତ କରି ସେ ସେମାନଙ୍କର ସଫଳତା କାମନା କରିବା ସହ ଏହି ପ୍ରତିଯୋଗିତା ରାଜ୍ୟ କ୍ରୀଡ଼ା ଇତିହାସରେ ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ିବ ବୋଲି ପ୍ରକାଶ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସାଉଥ୍‌ ଏସିଆନ୍ ଆଥଲେଟିକ୍ସ ଫେଡେରେସନ୍‌ର ସଭାପତି ଡ.ଲଳିତ କୁମାର ଭାନୋଟ୍‌, କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଭୂପେନ୍ଦ୍ର ସିଂ ପୂନିଆ, କ୍ରୀଡ଼ା ନିର୍ଦ୍ଦେଶକ ଡ.ୟେଦୁଲା ବିଜୟ, ଓଡ଼ିଶା ଅଲମ୍ପିକ୍ସ ଆସୋସିଏସନ୍‌ ସଭାପତି ଶ୍ରୀ ଅଭିଜିତ୍ ପାଲ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଚାମ୍ପିୟନସିପ୍‌ଟି ଚଳିତ ବର୍ଷ ସେପ୍ଟେମ୍ବର ୧୯ ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ଜାପାନରେ ହେବାକୁ ଥିବା ‘ଏସିଆନ ଗେମ୍ସ ୨୦୨୬’ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗ୍ୟତା ପର୍ଯ୍ୟାୟ (କ୍ୱାଲିଫାୟର୍) ଅଟେ । ଏହି ୫ ଦିନିଆ ପ୍ରତିଯୋଗିତାରେ ଦେଶର ୨୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ ୬୩୦ ଜଣ ଶ୍ରେଷ୍ଠ ଆଥଲେଟ୍ (୩୪୨ ପୁରୁଷ ଓ ୨୮୮ ମହିଳା) ଭାଗ ନେଉଛନ୍ତି। ଏଥିରେ ମୋଟ ୪୫ଟି ମେଡାଲ୍ ଇଭେଣ୍ଟ ରହିଛି, ଯେଉଁଥିରେ ଦୌଡ଼, ହାଇଜମ୍ପ, ଲଙ୍ଗଜମ୍ପ, ହର୍ଡଲ୍ସ ଏବଂ ଜାଭେଲିନ୍ ଥ୍ରୋ ଭଳି ବିଭିନ୍ନ ଟ୍ରାକ୍ ଆଣ୍ଡ ଫିଲ୍ଡ ପ୍ରତିଯୋଗିତା ଅନ୍ତର୍ଭୁକ୍ତ କରାଯାଇଛି । ଏହି ପ୍ରତିଯୋଗିତାରେ ହରିୟାଣାରୁ ସବୁଠାରୁ ଅଧିକ ୭୦ ଜଣ ଆଥଲେଟ୍ ଭାଗ ନେଉଥିବା ବେଳେ ଓଡ଼ିଶାରୁ ୧୨ ଜଣ ମହିଳାଙ୍କ ସମେତ ମୋଟ ୨୮ ଜଣ ଆଥଲେଟ୍ ପ୍ରତିନିଧିତ୍ୱ କରିଛନ୍ତି ।ଓଡ଼ିଶାର ପ୍ରମୁଖ ଖେଳାଳି ଯେପରିକି ଜାଭେଲିନ୍‌ ତାରକା କିଶୋର ଜେନା, ଦୌଡ଼ରାଣୀ ଶ୍ରାବଣୀ ନନ୍ଦ, ଅନିମେଶ କୁଜୁର, ଲାଲୁ ପ୍ରସାଦ ଭୋଇ, ପ୍ରଜ୍ଞା ପ୍ରସାନ୍ତି ସାହୁ ଏବଂ ସବିତା ଟପ୍ପୋ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି । ଆଥଲେଟିକ୍ସ ଫେଡେରେସନ ଅଫ୍ ଇଣ୍ଡିଆ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ସହଯୋଗରେ ଆୟୋଜିତ ଏହି ପ୍ରତିଯୋଗିତା ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking