ଭୁବନେଶ୍ୱର: ବଦଳିଲା ପାଗର ମିଜାଜ । ପ୍ରବଳ ଗରମ, ଗୁଳୁଗୁଳିରୁ ମିଳିଲା ମୁକ୍ତି । ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ମୌସୁମୀ ବର୍ଷା । ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି । ଓଡ଼ିଶାରେ ଏବେ ମୌସୁମୀ ବାୟୁର ପଥ ସମ୍ପୂର୍ଣ୍ଣ ସୁଗମ ହୋଇଛି । ଆଜି ୨୨ ଜୁନ୍ ୨୦୨୬ରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର ବଲାଙ୍ଗୀର ଓ ସୁନ୍ଦରଗଡ଼ ଦେଇ ଆଗକୁ ବଢ଼ିବା ସହ ଝାଡ଼ଖଣ୍ଡ ଏବଂ ବିହାରର କିଛି ଅଞ୍ଚଳକୁ ଛୁଇଁଛି । ବର୍ତ୍ତମାନ କଟକ ଓ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ଝିପିଝିପି ବର୍ଷା ଜାରି ରହିଛି ।ପାଣିପାଗ ବିଭାଗ ପକ୍ଷରୁ ଆଗାମୀ ଦିନ ପାଇଁ ଆଲର୍ଟ ଜାରି କରାଯାଇଛି । ଆଜି ପାଇଁ ମାଲକାନଗିରି, ରାୟଗଡ଼ା ଓ କୋରାପୁଟ ୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ଏହି ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜ୍ୟର ବାକି ସମସ୍ତ ଜିଲ୍ଲାକୁ ଆଜି ପାଇଁ ୟେଲୋ ଆଲର୍ଟ ଦିଆଯାଇଛି । ଆଗାମୀ ୪ ଦିନ ଅର୍ଥାତ୍ ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ସମଗ୍ର ଓଡ଼ିଶାରେ ମୌସୁମୀ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ରହିବ ।










