ପୁରୀ: ପୁରୀରୁ ଧରାହେଲା ପୁଣି ଜଣେ ଦଲାଲ । ମାଆ ହୋମଗାର୍ଡ ଥିବାବେଳେ ପୁଅ କରୁଛି ଦଲାଲି । ଶ୍ରୀମନ୍ଦିର ନିକଟରେ ଦଲାଲ୍ ପୁଅର ଏଭଳି ଦଲାଲି କାରନାମାକୁ ଧରିଛନ୍ତି ସେବାୟତ । ସେବାୟତଙ୍କ ହାତରେ ଦଲାଲ୍ ଜଣକ ଧରାପଡ଼ିବା ପରେ ସବୁ ସତ ବଖାଣିଛି । ସେବକଙ୍କ ହାତରେ ଧରାପଡିଥିବା ଏହି ଦଲାଲ୍ ଜଣକ ନିଜ ନାମ ଓମ ପ୍ରକାଶ ପାଣି ବୋଲି କହିଛି । କେବଳ ସେତିକି ନୁହେଁ ତାଙ୍କ ମା’ ପୋଲିସ ଚାକିରି କରିଛନ୍ତି ବୋଲି ଦଲାଲ୍ ଜଣକ କହୁଛି । ପୁରୀ ଶ୍ରୀମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତ ଆସୁଥିବା ବେଳେ ଭିଆଇପି ଦର୍ଶନ ନାଁରେ ଦଲାଲ୍ ମାନେ ଭକ୍ତଙ୍କୁ ଶୋଷଣ କରୁଛନ୍ତି ।
କହି ରଖୁଛୁ କି, ଖବର ପ୍ରସାରଣ ପରେ ଆକ୍ସନ ମୋଡ଼କୁ ଆସିଥିଲା ପୁଲିସ । ଗତ ସାତଦିନ ମଧ୍ୟରେ ପୋଲିସ ୧୩ ଜଣ ଦଲାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତଥାପି ଦଲାଲଙ୍କ ମଧ୍ୟରେ ପୁଲିସ ପ୍ରତି ଡରଭୟ ରହୁନାହିଁ ବୋଲି କୁହାଯାଉଛି । ଶ୍ରୀମନ୍ଦିରରେ ମାଳ ମାଳ ଦଲାଲ୍ ପୁଲିସକୁ ଚାଲେଞ୍ଜ କରି ଏବେ ବି ଦଲାଲି କରୁଛନ୍ତି । ଏଣୁ ପୁରୀ ପୁଲିସ ସମସ୍ତ ଦଲାଲମାନଙ୍କୁ ଗିରଫ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି । ତେବେ ଖୋଦ୍ ପୋଲିସର ପୁଅ ଯଦି ଦଲାଲ୍ ସାଜି ଭକ୍ତଙ୍କୁ ଲୁଟୁଛି ତେବେ ପୁରୀ ଏସପି ଏହା ଉପରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଏଣୁ ତୁରନ୍ତ ପୁରୀ ଏସପି ଏହି ଘଟଣାକୁ ଗୁରୁତର ସହ ନେଇ ଘଟଣାର ତଦନ୍ତ କରି ଦୃଢ଼ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକ ରହିଛି ବୋଲି ସାଧାରଣରେ ଦାବି ହୋଇଛି ।










