ଭୁବନେଶ୍ୱର: ପିଲାଙ୍କ ପାଠ୍ୟ ପୁସ୍ତକରେ ମାଳମାଳ ତ୍ରୁଟି ଘଟଣାରେ ଆରମ୍ଭ ହୋଇଛି ତଦନ୍ତ । ଉନ୍ନୟନ କମିସନର ଦେଓ ରଞ୍ଜନ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ କମିଟି ଏହାର ତନାଘନା ଆରମ୍ଭ କରିଛନ୍ତି । କେଉଁ ସ୍ତରରେ ତ୍ରୁଟି ହୋଇଛି ଏବଂ କେଉଁ ଅଧିକାରୀ କିମ୍ବା ସଂସ୍ଥାମାନେ ଦାୟୀ ତାହାର ଅନୁଧ୍ୟାନ କରି ୭ ଦିନ ମଧ୍ୟରେ ରିପୋର୍ଟ ଦେବ କମିଟି । ରିପୋର୍ଟ ଆଧାରରେ ହେବ କାର୍ଯ୍ୟାନୁଷ୍ଠାନ। ସୂଚନା ଅନୁଯାୟୀ ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ଗଠିତ ତଦନ୍ତ କମିଟି ମୁଖ୍ୟତଃ ତିନୋଟି ସଂସ୍ଥାର କାର୍ଯ୍ୟକଳାପକୁ ଅନୁଧ୍ୟାନ କରିବ । ଫୋକସ୍ରେ ରହିବ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଯେଉଁଠି ପାଠ୍ୟପୁସ୍ତକ ପ୍ରସ୍ତୁତ ହୋଇଥିଲା । ପ୍ରତି ପୁସ୍ତକ ପାଇଁ ଗଠିତ ସମ୍ପାଦକମଣ୍ଡଳୀ, ସମୀକ୍ଷକମଣ୍ଡଳୀ, ସଂଯୋଜକ ଓ ମୁଖ୍ୟ ସଂଯୋଜକକୁ କମିଟି ପକ୍ଷରୁ ପଚରାଉଚରା କରାଯିବ ।










