ଭୁବନେଶ୍ବର: ସ୍ବାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟ ସରକାର ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ରାଜ୍ୟର ବିଭିନ୍ନ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସା ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ ଓ ରୋଗୀସେବାକୁ ସୁଦୃଢ଼ କରିବା ପାଇଁ ମୋଟ ୭୫୫ଟି ନୂତନ ପଦକୁ ମଞ୍ଜୁର କରାଯାଇଛି। ଏହି ପଦଗୁଡ଼ିକ ମଧ୍ୟରେ ୭ଟି ପ୍ରଫେସର, ୩୫ଟି ଆସୋସିଏଟ ପ୍ରଫେସର, ୫୦ଟି ଆସିଷ୍ଟାଣ୍ଟ ପ୍ରଫେସର, ୨୯ଟି ଟ୍ୟୁଟର, ୨୪୮ଟି ସିନିୟର ରେସିଡେଣ୍ଟ, ୧୯୦ଟି ଜୁନିୟର ରେସିଡେଣ୍ଟ (ଏମ୍ବିବିଏସ୍), ୧୧୨ଟି କାଜୁଆଲିଟି ମେଡିକାଲ ଅଫିସର (ସିଏମ୍ଓ) ଏବଂ ୮୪ଟି ବ୍ଲଡ୍ ବ୍ୟାଙ୍କ ଅଫିସର (ବିବିଓ) ପଦ ରହିଛି। ଏହି ପଦଗୁଡ଼ିକ ପୂରଣ ହେବା ପରେ ଭେଷଜ ମହାବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ଏବଂ ଚିକିତ୍ସକଙ୍କ ଉପଲବ୍ଧତା ବୃଦ୍ଧି ପାଇବ। ଏହି ଅବସରରେ ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ରାଜ୍ୟ ସରକାର ସ୍ବାସ୍ଥ୍ୟ କ୍ଷେତ୍ରକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି। ଏହି ୭୫୫ଟି ପଦ ମଞ୍ଜୁର ହେବା ଫଳରେ ଭେଷଜ ମହାବିଦ୍ୟାଳୟଗୁଡ଼ିକରେ ମାନବସମ୍ବଳ ବୃଦ୍ଧି ପାଇବ ଏବଂ ଚିକିତ୍ସାସେବା ତ୍ବରାନ୍ବିତ ହୋଇପାରିବ।










