ଭୁବନେଶ୍ୱର: ବୋର୍ଡ – ନିଗମ ନିଯୁକ୍ତି ନେଇ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଜୁନ ୧ ତାରିଖରେ ପବ୍ଲିକ ଏଣ୍ଟରପ୍ରାଇସ ବିଭାଗ ପକ୍ଷରୁ ପିଏସୟୁରେ ନିଯୁକ୍ତି ନେଇ ଚିଠି ଦିଆଯାଇଛି । ଜୁନ ୩୦ ସୁଦ୍ଧା ପିଏସୟୁ ଗୁଡିକରେ ନିଯୁକ୍ତି ସାରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ୩୨ଟି ବିଭାଗରେ ୧ ହଜାର ୧୮୩ ଜଣଙ୍କୁ ନିଯୁକ୍ତି ମିଳିବ । ଏନେଇ ସାଧାରଣ ପ୍ରଶାସନ , ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ନିଯୁକ୍ତି କ୍ଷେତ୍ରରେ କଣ ଅଗ୍ରଗତି ହୋଇଛି ଜାଣିବା ପାଇଁ ମେ ୮ ତାରିଖରେ ଚିଠି କରାଯାଇଥିଲା । ବିଭିନ୍ନ ବିଭାଗରେ ଅଧିନରେ ଆସୁଥିବା ବୋର୍ଡ ନିଗମରେ କେତେ ପଦବୀ ଖାଲି ଅଛି ଏବଂ ନୂଆ ସରକାର ଆସିବା ପରେ କେତେ ନିଯୁକ୍ତି ହୋଇଛି ତାର ତଥ୍ୟ ମାଗିଥିଲେ ସରକାର । ନିର୍ଦ୍ଦେଶ ଅନୁସାରେ ତଥ୍ୟ ଦେଇଛନ୍ତି ବିଭାଗ । ୧୭ଟି ବିଭାଗରେ ୩୨ଟି ବୋର୍ଡ ନିଗମ ବାବଦରେ ତଥ୍ୟ ଦିଆଯାଇଛି । ନୂଆ ସରକାର ଆସିବା ପରେ ୩୨ଟି ବୋର୍ଡ ନିଗମରେ ୬୭୭ ଜଣଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଜୁନ ୩୦ ଭିତରେ ୧୧୮୩ ଜଣଙ୍କୁ ନିଯୁକ୍ତି ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି ବିଭାଗଗୁଡିକ । ୧୭ଟି ବୋର୍ଡ ନିଗମରେ ଜଣେ ବି ନିଯୁକ୍ତ ହୋଇନାହାନ୍ତି । ଦୁଇ ବର୍ଷ ହେବ ବିଭିନ୍ନ ବୋର୍ଡ ନିଗମ ଏବଂ ନିଗମର ଅଧ୍ୟକ୍ଷ ପଦବୀ ଖାଲି ରହିଥିବା ବେଳେ ଖୁବ ଶୀଘ୍ର ଏହାକୁ ପୂରଣ କରାଯାଇପାରେ । ନିକଟରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସଭାପତି ଦିଲ୍ଲୀ ଗସ୍ତରେ ଯାଇଥିବା ବେଳେ କେନ୍ଦ୍ର ନେତୃତ୍ୱଙ୍କ ସହ ଆଲୋଚନା ହୋଇଥିବା କୁହାଯାଇଛି ।










