ବ୍ରହ୍ମପୁର: କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ଘଟଣାରେ କବିସୂର୍ଯ୍ୟନଗର ଥାନା ଓ ବାଲିଛାଇ ଫାଣ୍ଡିରେ କାର୍ଯ୍ୟରତ ୨୭ ପୁଲିସ କର୍ମଚାରୀଙ୍କ ବଦଳି କଲେ ଗଞ୍ଜାମ ଏସପି ହରିଶ ବିସି। ପୁଲିସ ମାଡରେ ସୁବୁଳିଆ ଗ୍ରାମର ଯୁବକ ସୁଶାନ୍ତ ସାହୁଙ୍କୁ ମୃତ୍ୟୁ ଅଭିଯୋଗ ପରେ ଥାନା ଓ ଫାଣ୍ଡିର ସମସ୍ତ କର୍ମଚାରୀଙ୍କୁ ଉପଖଣ୍ଡ ସ୍ତରୀୟ ବଦଳି କରିବାକୁ ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର ନିର୍ଦ୍ଦେଶ ଦେଇଥିଲେ। ସେହିକ୍ରମରେ ଆଜି ଗଞ୍ଜାମ ଜିଲାର ବିଭିନ୍ନ ଥାନାର ମୋଟ ୫୨ ଜଣ କର୍ମଚାରୀଙ୍କ ଅଦଳ ବଦଳ କରାଯାଇଛି।
ସୂଚନାନୁଯାୟୀ, କବି ସୂର୍ଯ୍ୟନଗର ଅଞ୍ଚଳର।ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ପୁଲିସ ମାଡରେ ଜଣେ ଦିବ୍ୟାଙ୍ଗ ଯୁବକଙ୍କ ମୃତ୍ୟୁ ହୋଇଥିଲା। ମୃତକ ହେଲେ ସୁବୁଳିଆ ଗ୍ରାମର ସୁଶାନ୍ତ ସାହୁ। ତାଙ୍କୁ ୬ ଦିନ ଥାନାରେ ଅଟକ ରଖି ମାଡ ମରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଦିବ୍ୟାଙ୍ଗ ଯୁବକ ସୁଶାନ୍ତ ସାହୁଙ୍କ ହାଜତ ମୃତ୍ୟୁ ଅଭିଯୋଗ ଘଟଣା ଏବେ ଦେଶର ସର୍ବୋଚ୍ଚ ମାନବାଧିକାର ସଂସ୍ଥାରେ ପହଞ୍ଚିଛି। ଏହି ସମ୍ବେଦନଶୀଳ ମାମଲାକୁ ଗମ୍ଭୀରତାର ସହ ନେଇ ଜାତୀୟ ମାନବାଧିକାର ଆୟୋଗ (NHRC) ଗଞ୍ଜାମ ଜିଲ୍ଲାପାଳ ଏବଂ ଏସପି ଙ୍କୁ କଡ଼ା ନୋଟିସ୍ ଜାରି କରିଥିଲା।










