ପୁରୀ: ପୁରୀରେ ଆଜିଠୁ ‘ବ୍ରିକ୍ସ’ ସମ୍ମିଳନୀ। ୫ ତାରିଖ ପର୍ଯ୍ୟନ୍ତ ଏହି ସମ୍ମିଳନୀ ଚାଲିବ । ଏଥିରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଓ ବିଶେଷଜ୍ଞମାନେ ଯୋଗ ଦେବେ । ଭାରତର ବ୍ରିକ୍ସ ଅଧ୍ୟକ୍ଷତାରେ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟକାରୀ ଗୋଷ୍ଠୀ (ଡିଆର୍ଆର୍ଡବ୍ଲୁଜି)ର ବୈଷୟିକ ସମ୍ମିଳନୀ ଅନୁଷ୍ଠିତ ହେବ । ବ୍ରାଜିଲ୍, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ୍, ଋଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ୟୁଏଇ ଓ ଚାଇନା ଭଳି ଦେଶର ପ୍ରତିନିଧିଗଣ ସାମିଲ ହେବେ। ଏଥିରେ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧକ୍ଷମତା ବୃଦ୍ଧି ଓ ଅନ୍ତର୍ଜାତୀୟ ସହଯୋଗ ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ।
ମଙ୍ଗଳବାର ଭୁବନେଶ୍ୱର ବିମାନବନ୍ଦରରେ ବ୍ରିକ୍ସ ରାଷ୍ଟ୍ରସମୂହର ପ୍ରତିନିଧି ଦଳଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାଗତ କରାଯାଇଥିଲା। ବିପର୍ଯ୍ୟୟ ପ୍ରତିରୋଧୀ କ୍ଷମତା, ନୂତନ ଜ୍ଞାନକୌଶଳ, ସହଯୋଗ ଓ ସ୍ଥାୟିତ୍ୱ ବିକାଶ ନେଇ ଆଲୋଚନା ହେବ । ଗୋଷ୍ଠୀଭିତ୍ତିକ ଡିଆର୍ଆର୍ ଶାସନ ବ୍ୟବସ୍ଥା, ବିପର୍ଯ୍ୟୟ ସମ୍ଭାବ୍ୟ ବିପଦ ପାଇଁ ସୁଦୃଢ଼ ଅର୍ଥ ବ୍ୟବସ୍ଥା, ବହୁମୁଖୀ ବିପଗ ପ୍ରାରମ୍ଭିକ ସତର୍କ ସୂଚନା ବ୍ୟବସ୍ଥା, ପ୍ରକୃତି ଆଧାରିତ ଓ ସ୍ୱଦେଶୀ ସମାଧାନ, ଡିଆରଆର କ୍ଷେତ୍ରରେ ବିଜ୍ଞାନ, ପ୍ରଯୁକ୍ତି ଓ ନୂତନ ଜ୍ଞାନକୌଶଳ ଉପରେ ଆଲୋଚନା ହେବ। ଜୁନ୍ ୪ରେ ଉଦ୍ଘାଟନୀ କାର୍ଯ୍ୟକ୍ରମ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ।










