ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଗଡ଼ଦେଉଳିଆ ଉପକଣ୍ଠ ନୁଆସାହି ଗ୍ରାମ ନିକଟରେ ଥିବା ଏକ ଜଳାଶୟରେ ଭାସୁଛି ଜଣେ ଅପରିଚିତ ମହିଳାଙ୍କ ମୃତଦେହ l ତେବେ ଜଳାଶୟରେ ମାତ୍ର ଆଣ୍ଠୁଏ ପାଣି ଥିବାରୁ ମହିଳାଙ୍କୁ କେହି ମାରିବା ପରେ ଜଳାଶୟରେ ଫିଙ୍ଗି ଦେଇଥିବା ସନ୍ଦେହ l ବୁଧବାର ଭୋର ସକାଳୁ ଶୌଚ ହେବାକୁ ଯାଇ ଗ୍ରାମବାସୀ ମହିଳାଙ୍କ ମୃତଦେହ ଦେଖି ବୈଶିଙ୍ଗା ଥାନାକୁ ଖବର ଦେଇଛନ୍ତି l ପୁଲିସ ଏବେ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର ପୂର୍ବକ ତଦନ୍ତ ଆରମ୍ଭ କରିଛନ୍ତି l ତେବେ ମହିଳା ଜଣଙ୍କର ପ୍ରକୃତ ପରିଚୟ ମିଳିନଥିବାବେଳେ ସେ ପାଖ ଗାଁରେ ଜଣଙ୍କ ଘରେ ଭଡା ସୂତ୍ରରେ ରହୁଥିବାବେଳେ ତାଙ୍କ ସ୍ୱାମୀ ଛତିଶଗଡରେ ରହି କାମ କରୁଥିବାର ଜଣାପଡିଛି l ପରେ ବୈଶିଙ୍ଗା ଥାନା ସବଇନ୍ସପେକ୍ଟର ସରୋଜ ଜେନା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଜାଣିବାକୁ ପାଇଛନ୍ତି କି ମୃତା ହେଉଛନ୍ତି ସରସ୍ବତୀ ମାଝୀ l ଯେହେତୁ ତାଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନାହିଁ, ତେଣୁ ସେ ଅତ୍ୟଧିକ ନିଶାସକ୍ତ ଅବସ୍ଥାରେ ପାଣିରେ ପଡି ମୃତ୍ୟୁବରଣ କରୁଥିବାର ସନ୍ଦେହ କରୁଛି ପୁଲିସ l ତେବେ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ଶବ ବ୍ୟବଚ୍ଛେଦ କରିବାକୁ ପଠାଇଥିବାବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ସଠିକ କାରଣ ଜଣା ପଡିବ l










