36.1 C
Bhubaneswar
Sunday, May 31, 2026
Homeଅପରାଧଯୌନ ସୌଦାଗରଙ୍କ କଳା କାହାଣୀ

ଯୌନ ସୌଦାଗରଙ୍କ କଳା କାହାଣୀ

ଢେଙ୍କାନାଳ: ‘ଛୁଆଟେ ଥିଲି ବାପାଙ୍କୁ ଦେଖିନି । ମା’ ଆଉ ଜଣକୁ ବାହା ହେଲା । ଦ୍ୱିତୀୟ ଛୁଆ ଜନ୍ମ ବେଳକୁ ଅସ୍ତ୍ରୋପଚାର ପାଇଁ ଟଙ୍କା ଦରକାର ପଡି଼ଲା । ଜଣେ ପରିଚିତ ବ୍ୟକ୍ତି ଭୁବନେଶ୍ୱରରେ ଚାକିରି ଦେବାକୁ କହିଲେ । ରୋଜଗାର କରି ମା’ ପାଇଁ ଟଙ୍କା ପଠାଇବୁ ବୋଲି ଆଶା ଦେଖାଇଲେ । ଆଗପଛ କିଛି ନ ଭାବି ତାଙ୍କ କଥାରେ ଭରସା କଲି । ସେ କିନ୍ତୁ ମୋ ବିଶ୍ୱାସରେ ବିଷ ଦେଲେ । ଉତ୍ତରପ୍ରଦେଶର ଝାନ୍ସିରେ ନେଇ ଲକ୍ଷେ ଟଙ୍କାରେ ବିକିଦେଲେ । ମତେ କିଣିଥିବା ବାପା-ପୁଅ ୩ ମାସ ରଖି ବଳାତ୍କାର କଲେ । ଗର୍ଭ ନଷ୍ଟ କରିବା ପରେ ସେମାନେ ଆଉ ଜଣକ ହାତକୁ ୫୦ ହଜାର ଟଙ୍କାରେ ବିକିଦେଲେ । ସେଠି ୪ ଜଣ ଛୁରି, ବନ୍ଧୁକ ଦେଖାଇ ଯୌନ ଶୋଷଣ କଲେ । ସେମାନଙ୍କ ଖାଦ୍ୟରୁ ବଳିଲେ ଖାଇବାକୁ ଦେଉଥିଲେ । ୨ ବର୍ଷ କାଳ ନର୍କ ଯନ୍ତ୍ରଣା ସହିଲି । ବହୁ କଷ୍ଟରେ ଅଧରାତିରେ ସେଠୁ ଖସି ଆସିଲି । ଆଜି ବି ସେ କଥା ମନେପଡ଼ିଲେ ଦେହ ଶିହରି ଉଠୁଛି ।’ ଯୌନ ସୌଦାଗରଙ୍କ ଦ୍ୱାରା ବାରମ୍ବାର ପଣ୍ୟଦ୍ରବ୍ୟ ଭିଳି ବିକ୍ରି ହୋଇ ବଳାତ୍କାର ଓ ନିର୍ଯାତନାର ଶିକାର ହୋଇଥିବା ଢେଙ୍କାନାଳ କାମାକ୍ଷାନଗର ଅଞ୍ଚଳର ଜଣେ ୧୭ ବର୍ଷୀୟ ନାବାଳିକାଙ୍କ ଏହା ହେଉଛି କୋହଭରା କଥା । ପୀଡ଼ିତା ବହୁକଷ୍ଟରେ ଯୌନ ରାକ୍ଷସଙ୍କ କବଳରୁ ଖସି ଆସିଛନ୍ତି । ଝାନ୍ସି ପୁଲିସ୍‌ର ସହଯୋଗ ନ ପାଇ ଶେଷରେ କାମାକ୍ଷାନଗର ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

କଙ୍କଡ଼ାହାଡ଼ ଅଞ୍ଚଳର ଦଲାଲ ସହ ଝାନ୍ସିରେ ନାବାଳିକାଙ୍କୁ ନିର୍ଯାତନା ଦେଇଥିବା ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ୍‌ ଉଦ୍ୟମ ଆରମ୍ଭ କରିଛି । ଅଭିଯୋଗ ଅନୁସାରେ, ନାବାଳିକାଙ୍କ ମା’ଙ୍କ ଘର କାମାକ୍ଷାନଗର ଥାନା ଅଞ୍ଚଳରେ । ସେ ରାଉରକେଲାରେ ବିବାହ କରିଥିଲେ । ନାବାଳିକା ଛୋଟ ଥିବାବେଳେ ସ୍ୱାମୀଙ୍କୁ ଛାଡ଼ି ପୁଣି କାମାକ୍ଷାନଗର ଚାଲିଆସିଥିଲେ । ପରେ ସେ କଙ୍କଡ଼ାହାଡ଼ ଥାନାଞ୍ଚଳରେ ଅନ୍ୟ ଜଣକୁ ବିବାହ କରିଥିଲେ । ନାବାଳିକା ମାମୁଙ୍କ ପାଖରେ ରହୁଥିଲେ । ୨ ବର୍ଷ ତଳେ ମା’ଙ୍କ ପ୍ରସବ ପାଇଁ ଅସ୍ତ୍ରୋପଚାର ହୋଇଥିଲା । ଏହି ସମୟରେ ନାବାଳିକା ତାଙ୍କ ମା’ଙ୍କ ପାଖକୁ କଙ୍କଡ଼ାହାଡ଼ ଯାଇଥିଲେ । ଅର୍ଥାଭାବ ସମସ୍ୟା ଦେଖାଯାଇଥିଲା । ସେଠାରେ ବିନୋଦ ପାତ୍ର ନାମକ ଜଣେ ବ୍ୟକ୍ତି ନାବାଳିକାଙ୍କୁ ମା’ର ଚିକିତ୍ସା ପାଇଁ ରୋଜଗାର ଆଶା ଦେଖାଇଥିଲା । ଭୁନେଶ୍ୱରରେ ଏକ କମ୍ପାନିରେ କମ୍ପ୍ୟୁଟର କାମ କରିବୁ କହି ମାତ୍ର ୧୫ ବର୍ଷ ବୟସରେ ତାଙ୍କୁ ନେଇଯାଇଥିଲା । ୩ ଦିନ ଗୋଟିଏ ଘରେ ରଖିଥିଲା । ଝାନ୍ସିର ଆଶିଷ ଯାଦବ ନାମକ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଦେଇଥିଲା । ସେଠାରେ ଆଶିଷ ଓ ତା’ ବାପା ତାଙ୍କୁ ଘରେ ବନ୍ଦୀ ରଖି ବଳାତ୍କାର କରିଥିଲେ । ୧ ଲକ୍ଷ ଟଙ୍କାରେ କିଣିଛନ୍ତି ବୋଲି କହି ଘରର ସମସ୍ତ କାମ କରାଉଥିଲେ ।

ନାବାଳିକା ଗର୍ଭବତୀ ହେବାରୁ ତାଙ୍କୁ ଭୟଭୀତ କରାଇ ଗର୍ଭ ନଷ୍ଟ କରିଦେଇଥିଲେ । ୩ ମାସ ପରେ ବାମାକଲ୍ୟାଣ ଯାଦବଙ୍କୁ ୫୦ ହଜାର ଟଙ୍କାରେ ବିକ୍ରି କରିଦେଇଥିଲା ଆଶିଷ । ସେ ନାବାଳିକାଙ୍କୁ କିଛି ଦିନ ରଖି ବଳାତ୍କାର କରିବା ପରେ ପୁଣି ଚନ୍ଦ୍ରପାଳ କୁସୱାସ ନାମକ ଜଣେ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କରେ ବିକ୍ରି କରିଦେଇଥିଲା । ଚନ୍ଦ୍ରପାଳ ତାଙ୍କୁ ଗୃହବନ୍ଦୀ କରି ବିଭିନ୍ନ କାମ କରାଉଥିଲା । ଚନ୍ଦ୍ରପାଳ, ତା’ ବଡ଼ ଭାଇ ଓ ଦୁଇ ଜଣ ଦାଦା ନିୟମିତ ବଳାତ୍କାର କରୁଥିଲେ । ପ୍ରତିବାଦ କଲେ ଛୁରି ଓ ବନ୍ଧୁକ ଦେଖାଇ ମାରିଦେବାକୁ ଧମକ ଦେଉଥିଲେ । ଅସହ୍ୟ ନିର୍ଯାତନା ସହି ଚାଲିଥିବା ବେଳେ ଘରକୁ ଫେରିବା ଆଶା ଛାଡି଼ ଦେଇଥିଲେ । ଦିନେ ସେ ଚତୁରତାର ସହ ଆଉ କେଉଁଆଡ଼େ ଯିବେ ନାହିଁ, ଏଠାରେ ହିଁ ରହିବେ ବୋଲି କହିବାରୁ ଅଭିଯୁକ୍ତମାନେ ତାଙ୍କ ପ୍ରତି କୋହଳ ହୋଇଯାଇଥିଲେ । ଏହି ସୁଯୋଗରେ ଗତ ୨୦ ତାରିଖ ରାତି ପ୍ରାୟ ୨ଟା ବେଳେ ଖସି ଆସିଥିଲେ । ଅନ୍ଧାରରେ ପ୍ରାୟ ୧୦ କିମି ଚାଲିଚାଲି ସକାଳେ ଏକ ବଜାର ଅଞ୍ଚଳରେ ପହଞ୍ଚି ଯାଇଥିଲେ । ସେଠାରୁ କେଉଁଆଡ଼େ ଯିବେ କିଛି ଜାଣିନପାରି ଏକ ହୋଟେଲ ଦୁଆରେ ଦିନରାତି ଭୋକ ବିକଳରେ ବସି ରହିଥିଲେ । ସେଠାରୁ କିଛି ସାହାଯ୍ୟ ମାଗି ବସ୍‌ରେ ଆସି ଝାନ୍ସି ଥାନାରେ ପହଞ୍ଚି ଅଭିଯୋଗ ଜଣାଇଥିଲେ । ମାତ୍ର ପୁଲିସ୍‌ ଅଭିଯୋଗ ରଖିନଥିଲା । ନିଜ ଥାନାରେ ଜଣାଇବାକୁ କହି ନାବାଳିକାଙ୍କୁ ଟ୍ରେନ୍‌ରେ ବସାଇ ଦେଇଥିଲା । ସେ ଭୁବନେଶ୍ୱରରେ ପହଞ୍ଚିବା ସହ ଗତ ୨୩ ତାରିଖରେ କାମାକ୍ଷାନଗର ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ଭଳି ଅନ୍ୟ ଝିଅମାନେ ବି ସେଠାରେ ଏଭଳି ନିର୍ଯାତନା ସହୁଥିବା କହିଛନ୍ତି । ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking