ଦେଶର ପାରମ୍ପରିକ ଖାଦ୍ୟ ଓ ପାନୀୟର ଗୁରୁତ୍ୱକୁ ପୁଣିଥରେ ଉଜାଗର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରବିବାର ପ୍ରସାରିତ ତାଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ସେ ଗ୍ରୀଷ୍ମ ଋତୁରେ ଶରୀରକୁ ସୁସ୍ଥ ଓ ସତେଜ ରଖିବା ପାଇଁ ଦେଶର ବିଭିନ୍ନ ସ୍ଥାନର ପାରମ୍ପରିକ ପାନୀୟ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଓଡ଼ିଶାର ପାରମ୍ପରିକ ବେଲପଣା ଓ ସୁସ୍ୱାଦୁ ଆମ୍ବର ବିଶେଷ ଉଲ୍ଲେଖ କରି ତାହାର ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଥିଲେ ଯେ, ଗ୍ରୀଷ୍ମ ଋତୁରେ ପ୍ରାକୃତିକ ଓ ସ୍ଥାନୀୟ ପାନୀୟର ଚାହିଦା ବଢ଼ିଥାଏ । ଏହି ପାନୀୟ କେବଳ ଶରୀରକୁ ଥଣ୍ଡା ରଖେ ନାହିଁ, ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ ହୋଇଥାଏ । ଦେଶର ବିଭିନ୍ନ ଅଞ୍ଚଳରେ ମିଳୁଥିବା ପାରମ୍ପରିକ ପାନୀୟ ମଧ୍ୟରେ ଓଡ଼ିଶାର ବେଲପଣା ଏକ ସ୍ୱତନ୍ତ୍ର ସ୍ଥାନ ରଖିଛି ବୋଲି ସେ କହିଥିଲେ । ବେଲ ଫଳରୁ ପ୍ରସ୍ତୁତ ଏହି ପାନୀୟ ଶରୀରକୁ ଶୀତଳ ରଖିବା ସହ ପାଚନ ପ୍ରକ୍ରିୟାକୁ ସୁଦୃଢ଼ କରିଥାଏ ବୋଲି ସେ ଉଲ୍ଲେଖ କରିଥିଲେ । ଏହାସହ ଓଡ଼ିଶାର ଆମ୍ବର ସ୍ୱାଦ ଓ ଗୁଣବତ୍ତାକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଉତ୍ପାଦିତ ଆମ୍ବ ଦେଶର ବିଭିନ୍ନ ସ୍ଥାନରେ ଲୋକପ୍ରିୟ ହୋଇଥିବାବେଳେ ଏହା ଚାଷୀଙ୍କ ଆର୍ଥିକ ସ୍ଥିତିକୁ ମଧ୍ୟ ସୁଦୃଢ଼ କରୁଛି ବୋଲି କହିଥିଲେ ।‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ମୋଦି ଦେଶବାସୀଙ୍କୁ ବର୍ତ୍ତମାନର ତୀବ୍ର ଗ୍ରୀଷ୍ମ ପ୍ରବାହ ସମୟରେ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ । ଅଧିକ ପରିମାଣରେ ପାଣି ପିଇବା, ପାରମ୍ପରିକ ପାନୀୟର ବ୍ୟବହାର ବଢ଼ାଇବା ଓ ଖରାର ପ୍ରଭାବରୁ ନିଜକୁ ସୁରକ୍ଷିତ ରଖିବାକୁ ସେ ଆହ୍ୱାନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ମୁଖରୁ ଓଡ଼ିଶାର ବେଲପଣା ଓ ଆମ୍ବର ପ୍ରଶଂସା ଶୁଣି ରାଜ୍ୟବାସୀଙ୍କ ମଧ୍ୟରେ ଖୁସିର ମାହୋଲ ସୃଷ୍ଟି ହୋଇଛି । ଏହା ଓଡ଼ିଶାର ପାରମ୍ପରିକ ଖାଦ୍ୟ ସଂସ୍କୃତି ଓ କୃଷିଜାତ ଉତ୍ପାଦକୁ ଜାତୀୟ ସ୍ତରରେ ଆହୁରି ପରିଚିତ କରିବାରେ ସହାୟକ ହେବ ବୋଲି ମତ ପ୍ରକାଶ ପାଉଛି ।









