ନୂଆଦିଲ୍ଲୀ : ଆଫଗାନିସ୍ତାନରେ ଏକ ଟ୍ରକ୍ ଓଲଟି ପଡ଼ିବା ଫଳରେ ୧୮ ଜଣ ଶରଣାର୍ଥୀଙ୍କ ମୃତ୍ୟୁ ଘଟିଛି। ସେମାନେ ସମସ୍ତେ ପାକିସ୍ତାନରୁ ଫେରୁଥିଲେ। ଦୁର୍ଘଟଣାରେ ୩୫ ଜଣ ଆହତ ହୋଇଥିବା ମଧ୍ୟ ଜଣାପଡ଼ିଛି । ଆହତମାନଙ୍କୁ ଚିକିତ୍ସା ଲାଗି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପାକିସ୍ତାନ ସମ୍ପ୍ରତି ଶରଣାର୍ଥୀଙ୍କୁ ଦେଶ ଛାଡିବାକୁ ବାଧ୍ୟ କରୁଛି। ଏହି ଲୋକମାନେ ପାକିସ୍ତାନରୁ ଆଫଗାନିସ୍ତାନକୁ ଫେରୁଥିଲେ । ମୃତକଙ୍କ ମଧ୍ୟରେ ୧୦ ଜଣ ଶିଶୁ ଏବଂ ୫ ଜଣ ମହିଳା ଅଛନ୍ତି । ଅଧିକାରୀମାନେ କହିଛନ୍ତି ଯେ, ଶନିବାର ପୂର୍ବ ଆଫଗାନିସ୍ତାନର ଏକ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ପ୍ରଦେଶ ରାଜ୍ୟପାଳଙ୍କ ମୁଖପାତ୍ର ଅବଦୁଲ ମାଲିକ ନିଆଜାଇ କହିଛନ୍ତି ଯେ, ଲାଘମାନ ପ୍ରଦେଶର କାବୁଲକୁ ନାଙ୍ଗରହାର ପ୍ରଦେଶକୁ ସଂଯୋଗ କରୁଥିବା ମୁଖ୍ୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଚିକିତ୍ସା ପାଇଁ ନାଙ୍ଗରହାରର ହସ୍ପିଟାଲକୁ ନିଆଯାଇଛି। ତାଲିବାନ ସରକାରଙ୍କ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ପୀଡିତଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।










