27.8 C
Bhubaneswar
Saturday, June 13, 2026
Homeଓଡିଶାବନ୍ୟ ଜନ୍ତୁ ସଂପଦ ରକ୍ଷଣବେକ୍ଷଣରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ: ବିଜେଡି

ବନ୍ୟ ଜନ୍ତୁ ସଂପଦ ରକ୍ଷଣବେକ୍ଷଣରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ: ବିଜେଡି

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଗତ କିଛି ବର୍ଷ ଧରି ବୃଦ୍ଧି ପାଉଥିବା ମାନବ-ହାତୀ ସଂଘର୍ଷ ନେଇ ଗଭୀର ଚିନ୍ତା ପ୍ରକାଶ କରିଛି ବିଜେଡି । ହାତୀ ଆକ୍ରମଣ ଯୋଗୁଁ ମଣିଷର ମୃତ୍ୟୁ, ଫସଲ ନଷ୍ଟ ଓ ଘରବାଡ଼ି କ୍ଷତିଗ୍ରସ୍ତ ହେବା ଘଟଣା ନିରନ୍ତର ବଢ଼ିଚାଲିଛି, ବିଶେଷକରି ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ ଓ ଖୋର୍ଦ୍ଧା ଜିଲ୍ଲାରେ ଏହା ଅଧିକ ଗୁରୁତର ଆକାର ନେଇଛି ।
ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଜନତା ଦଳ ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ, ବର୍ତ୍ତମାନର ରାଜ୍ୟ ସରକାର ହାତୀ କରିଡର ସୁରକ୍ଷା, ଜଙ୍ଗଲ ସଂରକ୍ଷଣ ଓ ବନ୍ୟଜନ୍ତୁ ଆବାସସ୍ଥଳୀ ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଖଣି ଖନନ କାର୍ଯ୍ୟକଳାପ, ବ୍ୟାପକ ଜଙ୍ଗଲ ଧ୍ୱଂସ ଓ ହାତୀ ଚଳପ୍ରଚଳ ଅଞ୍ଚଳରେ ଅନିୟନ୍ତ୍ରିତ ବିକାଶମୂଳକ ପ୍ରକଳ୍ପ ଯୋଗୁଁ ହାତୀମାନେ ମାନବ ବସତି ମଧ୍ୟରେ ପ୍ରବେଶ କରିବାକୁ ବାଧ୍ୟ ହେଉଛନ୍ତି, ଯାହା ଫଳରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲୋକମାନଙ୍କ ଜୀବନ ଓ ଜୀବିକା ଗୁରୁତର ସଙ୍କଟରେ ପଡ଼ିଛି ।

ଶ୍ରୀ ମିଶ୍ର କହିଥିଲେ ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାର ସମୟରେ ହାତୀ ସଂରକ୍ଷଣ ଓ ଆବାସସ୍ଥଳୀ ସୁରକ୍ଷା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଥିଲା । ହାତୀ କରିଡର ଚିହ୍ନଟ, ସୁରକ୍ଷା, ଶିମିଳିପାଳ ଜାତୀୟ ଉଦ୍ୟାନ ଓ ସାତକୋଶିଆ ପରିସରର ସଂରକ୍ଷଣ, ଜଙ୍ଗଲ ଆବାସସ୍ଥଳୀକୁ ସୁଦୃଢ଼ କରିବା ସହିତ ବନ୍ୟଜନ୍ତୁ ପରିଚାଳନା ପଦକ୍ଷେପ କାର୍ଯ୍ୟକରୀ କରାଯାଇଥିଲା । ୨୦୨୪ ମସିହାରେ ହୋଇଥିବା ହାତୀ ଗଣନା ଅନୁସାରେ ଓଡ଼ିଶାରେ ହାତୀ ସଂଖ୍ୟା ୨,୧୦୩ ରେକର୍ଡ କରାଯାଇଥିଲା ।ହାତୀ ମୃତୁ୍ୟ ବୃଦ୍ଧି ପ୍ରସଙ୍ଗରେ ଗଭୀର ଚିନ୍ତା ପ୍ରକାଶ କରି ଶ୍ରୀ ମିଶ୍ର କହିଥିଲେ ଯେ ଗତ ଦୁଇ ବର୍ଷରେ ପ୍ରାୟ ୧୮୫ଟି ହାତୀ ମୃତୁ୍ୟ ଘଟିଛି, ଯାହା ଓଡ଼ିଶାକୁ ଦେଶର ସର୍ବାଧିକ ହାତୀ ମୃତୁ୍ୟ ଘଟୁଥିବା ରାଜ୍ୟମାନଙ୍କ ମଧ୍ୟରେ ରହିଛି । ବିଦୁ୍ୟତ ଆଘାତ, ଟ୍ରେନ୍ ଦୁର୍ଘଟଣା, ଶିକାର, ଜଳାଭାବ, ଖାଦ୍ୟ ଅଭାବ ଓ ଜଙ୍ଗଲ ଭିତରେ ତୀବ୍ର ପାଣି ସଙ୍କଟ ଏହି ମୃତୁ୍ୟର ପ୍ରମୁଖ କାରଣ । ଜଙ୍ଗଲ ଭିତରେ ପାଣି ଧାରଣ କ୍ଷମତା କମିଯିବା ଓ ପ୍ରାକୃତିକ ଜଳସ୍ରୋତ ଓ କୂଅାଁ ଶୁଖିଯାଇଥିବାରୁ ହାତୀମାନେ ଖାଦ୍ୟ ଓ ପାଣି ଖୋଜିବା ପାଇଁ ମାନବ ବସତି ମଧ୍ୟରେ ପ୍ରବେଶ କରୁଛନ୍ତି ।

ସେ ଆହୁରି କହିଥିଲେ ଯେ ଉଇଗଚଇ (ଉକ୍ଟଜ୍ଞକ୍ଟ୍ରରଦ୍ଭଗ୍ଦବଗ୍ଧକ୍ଟକ୍ସଚ୍ଚ ଇଲଲକ୍ଟକ୍ସରଗ୍ଦଗ୍ଧବଗ୍ଧସକ୍ଟଦ୍ଭ ୠଙ୍କଦ୍ଭୟ ଗବଦ୍ଭବଶରଜ୍ଞରଦ୍ଭଗ୍ଧ ବଦ୍ଭୟ ଚକ୍ଷବଦ୍ଭଦ୍ଭସଦ୍ଭଶ ଇଙ୍କଗ୍ଧଷକ୍ଟକ୍ସସଗ୍ଧଚ୍ଚ) ଅଧୀନରେ ମିଳୁଥିବା ଅର୍ଥ ହାତୀ ଆବାସସ୍ଥଳୀ ସଂରକ୍ଷଣ, ସଂଘର୍ଷ ନିୟନ୍ତ୍ରଣ, ଜଳ ପରିଚାଳନା ଓ ଚାରା ବିକାଶ ପାଇଁ ବ୍ୟବହୃତ ହେବା ଉଚିତ, କିନ୍ତୁ ବର୍ତ୍ତମାନ ସରକାର ଏହି ସମ୍ପଦକୁ ସଠିକ ଭାବରେ ବ୍ୟବହାର କରିବାରେ ବିଫଳ ହୋଇଛନ୍ତି । ଶ୍ରୀ ମିଶ୍ର କହିଥିଲେ ଯେ ଓଡ଼ିଶାରେ ମାନବ-ହାତୀ ସଂଘର୍ଷ ଏବେ ଭୟାବହ ସ୍ତରକୁ ପହଞ୍ଚିଛି । ୨୦୨୪–୨୫ ମଧ୍ୟରେ ହାତୀ ଆକ୍ରମଣ ଯୋଗୁଁ ୧୭୧ ଜଣ ଲୋକଙ୍କ ମୃତୁ୍ୟ ଘଟିଥିବା ବେଳେ ପ୍ରାୟ ୫୦୦ ଜଣ ଆହତ ହୋଇଛନ୍ତି । ଗତ ଦୁଇ ବର୍ଷରେ ବନ୍ୟଜନ୍ତୁ ଆକ୍ରମଣରେ ୫୨୩ ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ସେଥିରୁ ୪୪୩ ଜଣଙ୍କ ମୃତୁ୍ୟ କେବଳ ହାତୀ ଆକ୍ରମଣ ଯୋଗୁଁ ଘଟିଛି । ସେହି ସମୟରେ ରାଜ୍ୟରେ ୨୬୪ଟି ହାତୀ ମୃତୁ୍ୟ ମଧ୍ୟ ରେକର୍ଡ ହୋଇଛି । ୨୦୨୪ ଗଣନା ଅନୁସାରେ ୨,୧୦୩ ହାତୀ ସଂଖ୍ୟା ଥିବା ଓଡ଼ିଶାରେ ପ୍ରତି ୧୦୦ ହାତୀ ପିଛା ୧୭ ଜଣ ମଣିଷଙ୍କ ମୃତୁ୍ୟ ଘଟିଛି, ଯାହା ଦେଶରେ ସର୍ବାଧିକ ।
ଶ୍ରୀ ମିଶ୍ର ଆହୁରି କହିଥିଲେ ଯେ ବିଜୁ ଜନତା ଦଳ ସରକାର ସମୟରେ ହାତୀ ସୁରକ୍ଷା ଓ ଲୋକମାନଙ୍କ ସୁରକ୍ଷା ପାଇଁ ହାତୀ କରିଡର ଚିହ୍ନଟ, ହାତୀ ଟ୍ରାକିଂ ବ୍ୟବସ୍ଥା, ପୀଡ଼ିତ ପରିବାରଙ୍କୁ କ୍ଷତିପୂରଣ ବୃଦ୍ଧି ଓ ଜଙ୍ଗଲ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପରି ଅନେକ ପଦକ୍ଷେପ ଗ୍ରହଣ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ସରକାରଙ୍କ ଅବହେଳା ଓ ନିଷ୍କ୍ରିୟତା ଯୋଗୁଁ ପରିସ୍ଥିତି ଗୁରୁତର ଭାବେ ଅବନତି ଘଟିଛି ।

ସେ ଦାବି କରିଥିଲେ ଯେ ସମସ୍ତ ଚିହ୍ନଟ ହୋଇଥିବା ହାତୀ କରିଡରକୁ ତୁରନ୍ତ ଆଇନଗତ ସୁରକ୍ଷା ପ୍ରଦାନ କରାଯାଉ ଏବଂ ହାତୀ ଆକ୍ରମଣ ଓ ଫସଲ କ୍ଷତିରେ ପ୍ରଭାବିତ ପରିବାରମାନଙ୍କୁ ଯଥେଷ୍ଟ ଓ ସମୟୋପଯୋଗୀ କ୍ଷତିପୂରଣ ଦିଆଯାଉ । ବନ୍ୟଜନ୍ତୁ ସମ୍ୱେଦନଶୀଳ ଅଞ୍ଚଳରେ ଖଣି ଖନନ ଓ ଜଙ୍ଗଲ ଧ୍ୱଂସକୁ ବନ୍ଦ କରାଯାଉ ଏବଂ ହାତୀ ଚଳପ୍ରଚଳ ଅଞ୍ଚଳରେ ନିରୀକ୍ଷଣ ଓ ପୂର୍ବ ସତର୍କତା ବ୍ୟବସ୍ଥା କାର୍ଯ୍ୟକରୀ କରାଯାଉ । ଜନସୁରକ୍ଷା ଓ ପ୍ରଭାବଶାଳୀ ବନ୍ୟଜନ୍ତୁ ପରିଚାଳନା ପାଇଁ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ଗଠନ କରାଯାଉ ।ଶ୍ରୀ ମିଶ୍ର ସରକାରଙ୍କୁ ଅନୁରୋଧ କରିଥିଲେ ଯେ ଏହି ଗୁରୁତର ସମସ୍ୟାକୁ କେବଳ ରାଜନୈତିକ ଦୃଷ୍ଟିକୋଣରୁ ନୁହେଁ, ବରଂ ମାନବିକ ଓ ପରିବେଶଗତ ଦୃଷ୍ଟିକୋଣରୁ ବିଚାର କରି ତୁରନ୍ତ ସଂଶୋଧନମୂଳକ ପଦକ୍ଷେପ ଗ୍ରହଣ କରାଯାଉ, ଯାହା ମାନବ ଜୀବନ ଓ ବନ୍ୟଜନ୍ତୁ ଉଭୟଙ୍କ ସୁରକ୍ଷା ସୁନିଶ୍ଚିତ କରିପାରିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking