ମହାରାଷ୍ଟ୍ର: ମହାରାଷ୍ଟ୍ରର ପିମ୍ପରି-ଚିଞ୍ଚୱାଡ୍ ଓ ପୁଣେ ଅଞ୍ଚଳରେ ବିଷାକ୍ତ ମଦ ପିଇ ୧୫ ଜଣଙ୍କର ମୃତ୍ୟୁ ହୋଇଛି ଓ ଅନେକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ପିମ୍ପରି-ଚିଞ୍ଚୱାଡର ଦାପୋଡି ଓ ଫୁଗେୱାଡି ଅଞ୍ଚଳରୁ ଆଠ ଜଣଙ୍କର ମୃତ୍ୟୁ ଘଟିଥିବା ରିପୋର୍ଟ କରାଯାଇଛି। ପୁଣେର କାଲେ ପାଦଲ ଅଞ୍ଚଳରେ ଆଉ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ହଡପସରରୁ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟ ହୋଇଛି। କର୍ତ୍ତୃପକ୍ଷ କହିଛନ୍ତି ଯେ, ମୋଟ ମୃତ୍ୟୁ ସଂଖ୍ୟା ୧୫ରେ ପହଞ୍ଚିଛି। ନକଲି ମଦ ଯୋଗେଶ ୱାଙ୍ଖଡେଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା ବୋଲି ଅଭିଯୋଗ ହୋଇଛି।
ଯୋଗେଶ ଅବୈଧ ମଦ ବ୍ୟବସାୟରେ ସମ୍ପୃକ୍ତ ବୋଲି କୁହାଯାଉଛି ଓ ତାଙ୍କ ବିରୋଧରେ ପୂର୍ବରୁ ଅନେକ ମାମଲା ରହିଛି। ଏହି ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ସୂତ୍ର ଅନୁସାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କଥିତ ବିଷାକ୍ତ ମଦମୃତ୍ୟୁ ଘଟଣା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଣେ ଓ ପିମ୍ପରି-ଚିଞ୍ଚୱାଡର ପୁଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୁଣେ ଓ ପିମ୍ପରି-ଚିଞ୍ଚୱାଡ ପୁଲିସ ବାହିନୀକୁ ମାମଲାର ସମନ୍ୱିତ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଘଟଣା ସହିତ ଜଡିତ ବିଭିନ୍ନ ସ୍ଥାନରେ ବର୍ତ୍ତମାନ ଚଢାଉ ଜାରି ରହିଛି। ଏହି ଦୁଃଖଦ ଘଟଣାରେ ଫୁଗେୱାଡିର ଗୋଟିଏ ପରିବାରର ଦୁଇ ଭାଇଙ୍କ ଜୀବନ ଯାଇଥିବା ଜଣାପଡ଼ିଛି।










