ଭୁବନେଶ୍ୱର: ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଗତ ମେ ୧୨ ତାରିଖରୁ ରାଜ୍ୟର ସମସ୍ତ ପୋଲିସ ରେଞ୍ଜ୍ ଅନ୍ତର୍ଗତ ଜିଲ୍ଲା ଏସପି ଏବଂ ପୋଲିସ କମିଶନର, ଭୁବନେଶ୍ଵର-କଟକଙ୍କ ନେତୃତ୍ଵରେ “ସ୍ପେଶାଲ ଡ୍ରାଇଭ୍” ଅଭିଯାନ ଜାରି ରହିଛି । ବିଗତ ୧୮ ଦିନ ମଧ୍ୟରେ ଅପରାଧ ଏବଂ ଅପରାଧୀଙ୍କ ବିରୁଦ୍ଧରେ ପୋଲିସ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ଏହି ଅଭିଯାନରେ ମୁଖ୍ୟତଃ ଜାମିନ ବିହୀନ ୱାରେଣ୍ଟ (NBW)କୁ କାର୍ଯ୍ୟକାରୀ କରିବା, ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବା, ନିଶା ଦ୍ରବ୍ୟ (ଗଞ୍ଜେଇ ଓ ବ୍ରାଉନସୁଗାର) ଚୋରା ଚାଲାଣକୁ ରୋକିବା, ବେଆଇନ ଅସ୍ତ୍ରଶସ୍ତ୍ର ଏବଂ ବେଆଇନ ଖଣିଜ ଚୋରା ଚାଲାଣରେ ସମ୍ପୃକ୍ତ ଯାନବାହନ ଜବତ କରିବା ସହ ମଦ୍ୟପାନ କରି ଗାଡି ଚାଳନା ଉପରେ କଠୋର ଚଢ଼ାଉ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ସ୍ପେଶାଲ ଅପରେସନରେ ସମସ୍ତ ରେଞ୍ଜ ପୋଲିସ ଅଧିକାରୀ ଓ କର୍ମଚାରୀ ସାମିଲ ହୋଇ ଅପରାଧ ଏବଂ ଅପରାଧୀଙ୍କୁ ରୋକିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଅଭିଯାନ ସାରା ରାଜ୍ୟରେ ସଫଳତାର ସହ କାର୍ଯ୍ୟକାରୀ ହୋଇଯାଇଛି।
ଏହି ୧୮ ଦିନ ମଧ୍ୟରେ ସାରା ରାଜ୍ୟରେ ୫୭୦୩ ଜଣ ବ୍ୟକ୍ତିଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ କାର୍ଯ୍ୟକାରୀ କରାଯାଇଛି । ଫେରାର ଥିବା ୫୨୦ ଜଣ ଅଭିଯୁକ୍ତଙ୍କୁ ଧରି କୋର୍ଟ ଚାଲାଣ କରାଯାଇଥିବା ବେଳେ ୯୫୭ ଜଣ ଅଭ୍ୟାସଗତ ଅପରାଧୀଙ୍କୁ ୧୨୯ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନଏସଏସ୍) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହାସହ ୧୨୬ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଅନୁଯାୟୀ ୨୬୨୦ ଜଣଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରାଯାଇଛି।ବେଆଇନ ନିଶା କାରବାର ରୋକିବା ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏହି ସମୟରେ ୯୭ ଟି ଏନଡିପିଏସ୍ ମାମଲା ରୁଜୁ ହୋଇଥିବାବେଳେ ୧୩୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୭୩୯୮ କେଜି ଗଞ୍ଜେଇ, ୫୮୬ ଗ୍ରାମ ବ୍ରାଉନ୍ ସୁଗର, ୨୨୦ ଗ୍ରାମ ହେରୋଇନ ଏବଂ କଫ ସିରଫ ୨୧୯ ଲିଟର ସହିତ ୧୦୫୦ ବୋତଲ କଫ ସିରଫ ଜବତ କରାଯାଇଛି। ନିଶା କାରବାରରେ ବ୍ୟବହୃତ ୨୭ ଟି ଗାଡ଼ି, ୧୪ ଟି ମୋବାଇଲ୍ ଫୋନ୍, ୩ଟି ପିସ୍ତଲ ସହ ନଗଦ ୨ ଲକ୍ଷ ୯୨ ହଜାର ୮୮ ଟଙ୍କା ମଧ୍ୟ ଜବତ କରାଯାଇଛି। ଏହାସହ ୨୧୫୪ ଟି ଅବକାରୀ ମାମଲା ରୁଜୁ ହୋଇଛି।
ଏହାସହ ସଡ଼କ ସୁରକ୍ଷା ଓ ମୋଟର ଯାନ ଏନଫୋର୍ସମେଣ୍ଟକୁ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି। ନିଶାସକ୍ତ ଅବସ୍ଥାରେ ଗାଡ଼ି ଚାଳନା କରୁଥିବା ୩୨୯୩ ଜଣ ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଗାଡ଼ିଗୁଡ଼ିକୁ ଜବତ କରାଯାଇଛି। ଅନ୍ୟାନ୍ୟ ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ ମାମଲାରେ ମୋଟ ୬ କୋଟି ୪୬ ଲକ୍ଷ ୭ ହଜାର ୫୬୦ ଟଙ୍କା ଜରିମାନା ଆଦାୟ କରାଯାଇଛି।ଗୋ-ଚାଲାଣ ରୋକିବାକୁ ପୁଲିସ ୨୯ ଟି ମାମଲା ରୁଜୁ କରିଥିବାବେଳେ ୧୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୁଲିସର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଫଳରେ ୧୭ ଟି ଗାଡ଼ିରୁ ୨୮୪ ଟି ଗାଈଙ୍କୁ ଉଦ୍ଧାର କରାଯାଇଛି।ଚୋରା ଖଣି କାରବାର ବିରୋଧରେ ମଧ୍ୟ ପୁଲିସ କଡ଼ା ପଦକ୍ଷେପ ନେଇ ୬୫୪ ଟି ମାମଲା ୧୬୨ ଜଣଙ୍କୁ ଗିରଫ କରିଛି। ଗତ ୧୮ ଦିନ ମଧ୍ୟରେ ୮୭୮ ଟି ହାଇୱା, ଟ୍ରକ୍, ଟ୍ରାକ୍ଟର, ଟ୍ରିପର, ପାୱାର ଟିଲର ଓ ଜେସିବି ଜବତ କରାଯାଇଛି।ବେଆଇନ ଅସ୍ତ୍ର କାରବାର ରୋକିବାକୁ ୩୧ ଟି ମାମଲା ରୁଜୁ କରାଯାଇଥିବାବେଳେ ୩୫ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୩୯ ଟି ବନ୍ଧୁକ, ୨୯ଟି ଜୀବନ୍ତ ଗୁଳି ଜବତ କରାଯାଇଛି।
ୱାରେଣ୍ଟ କାର୍ଯ୍ୟକାରୀ କରିବାରେ କେନ୍ଦ୍ରାଞ୍ଚଳ ରେଞ୍ଜ, କଟକ ସର୍ବାଗ୍ରେ ରହିଛି। ଏହି ରେଞ୍ଜରେ ୧୮ ଦିନ ମଧ୍ୟରେ ୧୫୧୯ଟି ୱାରେଣ୍ଟ କାର୍ଯ୍ୟକାରୀ କରାଯାଇଛି। ଦକ୍ଷିଣାଞ୍ଚଳ ରେଞ୍ଜ, ବ୍ରହ୍ମପୁରରେ ୮୪୯ , ପଶ୍ଚିମାଞ୍ଚଳ ରେଞ୍ଜ, ରାଉରକେଲାରେ ୩୨୯ , ପୂର୍ବାଞ୍ଚଳ ରେଞ୍ଜ, ବାଲେଶ୍ଵରରେ ୭୪୫ ଟି, ଉତ୍ତର-କେନ୍ଦ୍ରାଞ୍ଚଳ ରେଞ୍ଜ, ତାଳଚେରରେ ୬୮୩ଟି, ଉତ୍ତରାଞ୍ଚଳ ରେଞ୍ଜ, ସମ୍ବଲପୁରରେ ୪୪୩ , ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜ, କୋରାପୁଟରେ ୫୫୩ ଟି ଏବଂ କମିଶନରେଟ୍ ପୁଲିସ ଅଞ୍ଚଳରେ ୫୮୨ ଟି ୱାରେଣ୍ଟ କାର୍ଯ୍ୟକାରୀ କରାଯାଇଛି।ନିଶା ବିରୋଧୀ ଅଭିଯାନରେ ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜ, କୋରାପୁଟ ସର୍ବାଧିକ ୩୧୭୧ କେଜି ଗଞ୍ଜେଇ ଜବତ କରିଛି। ଦକ୍ଷିଣାଞ୍ଚଳ ରେଞ୍ଜରୁ ୨୮୬୨ କେଜି, କେନ୍ଦ୍ରାଞ୍ଚଳ ରେଞ୍ଜରୁ ୩୮୪ କେଜି, ଉତ୍ତରାଞ୍ଚଳ ରେଞ୍ଜରୁ ୯୬୩ କେଜି ଏବଂ ପଶ୍ଚିମାଞ୍ଚଳ ରେଞ୍ଜରୁ ୧୫୧ କେଜି ଗଞ୍ଜେଇ ଜବତ ହୋଇଛି।
ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ ବିରୋଧରେ ପଶ୍ଚିମାଞ୍ଚଳ ରେଞ୍ଜ ରାଉରକେଲା ସର୍ବାଧିକ ୧ କୋଟି ୭୮ ଲକ୍ଷ ୯୪ ହଜାର ୪୬୦ ଟଙ୍କା ଜରିମାନା ଆଦାୟ କରିଛି। କେନ୍ଦ୍ରାଞ୍ଚଳ ରେଞ୍ଜ କଟକରୁ ୧ କୋଟି ୪୧ ଲକ୍ଷ ୫୦ ହଜାର ୯୦୦ ଟଙ୍କା, ପୂର୍ବାଞ୍ଚଳ ରେଞ୍ଜ ବାଲେଶ୍ଵରରୁ ୯୨ ଲକ୍ଷ ୩୭ ହଜାର ଟଙ୍କା , ଉତ୍ତରାଞ୍ଚଳ ରେଞ୍ଜ ସମ୍ବଲପୁରରୁ ୭୪ ଲକ୍ଷ ୮୭ ହଜାର ୯୦୦ଟଙ୍କା, ଉତ୍ତର-କେନ୍ଦ୍ରାଞ୍ଚଳ ରେଞ୍ଜ ତାଳଚେରରୁ ୬୯ ଲକ୍ଷ ୬୩ ହଜାର ଟଙ୍କା, ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜ କୋରାପୁଟରୁ ୫୧ ଲକ୍ଷ ୫୪ ହଜାର ଟଙ୍କା, ଦକ୍ଷିଣାଞ୍ଚଳ ରେଞ୍ଜ ବ୍ରହ୍ମପୁରରୁ ୩୪ ଲକ୍ଷ ୬୦ ହଜାର ୩୦୦ ଟଙ୍କା ଜରିମାନା ଆଦାୟ ହୋଇଛି।ଖଣି ମାଫିଆଙ୍କ ବିରୋଧରେ କେନ୍ଦ୍ରାଞ୍ଚଳ ରେଞ୍ଜ କଟକରେ ୧୬୫ ଟି ମାମଲା ରୁଜୁ କରାଯାଇ ୪୨ ଜଣଙ୍କୁ ଗିରଫ ଏବଂ ପୂର୍ବାଞ୍ଚଳ ରେଞ୍ଜ ବାଲେଶ୍ଵରରେ ୧୦୫ଟି ମାମଲା ରୁଜୁ କରାଯାଇ ୩୧ ଜଣଙ୍କୁ ଗିରଫ କରିଥିବା ବେଳେ ଉତ୍ତର-କେନ୍ଦ୍ରାଞ୍ଚଳ ରେଞ୍ଜ, ତାଳଚେରରେ ୮୫ ଟି ମାମଲା ରୁଜୁ କରାଯାଇ ୨୨ ଜଣଙ୍କୁ ଗିରଫ କରାଯାଇଛି। ପଶ୍ଚିମାଞ୍ଚଳ ରେଞ୍ଜ, ରାଉରକେଲା ପୋଲିସ ୯୩ ଟି ମାମଲା ରୁଜୁ କରିଥିବା ବେଳେ ୭୭ ଜଣ ନାମରେ ନୋଟିସ ଜାରି କରିଛି। ସେହିପରି ଦକ୍ଷିଣାଞ୍ଚଳ ରେଞ୍ଜ ପୋଲିସ ୨୦ ଟି ବେଆଇନ ଅସ୍ତ୍ରଶସ୍ତ୍ର ଜବତ କରିଥିବାବେଳେ ଉତ୍ତରାଞ୍ଚଳ ରେଞ୍ଜ ପୋଲିସ ୯ ଟି ପିସ୍ତଲ ଓ ୨୯ ଟି ଜୀବନ୍ତ ଗୁଳି ଜବତ କରିଛି। ଉତ୍ତର-କେନ୍ଦ୍ରାଞ୍ଚଳ ରେ ପୋଲିସ ମଧ୍ୟ ୫ ଟି ଦେଶୀ ବନ୍ଧୁକ ଓ ଗୋଟିଏ ପିସ୍ତଲ ଜବତ କରିଛି।ସାଧାରଣ ଲୋକଙ୍କୁ ସେବା ଓ ସୁରକ୍ଷା ଯୋଗାଇ ଦେବାକୁ ଓଡିଶା ପୋଲିସ ସଦାସର୍ବଦା ପ୍ରତିଶୃତିବଦ୍ଧ। ଆଗାମୀ ଦିନରେ ମଧ୍ୟ ଅପରାଧ ଏବଂ ଅପରାଧୀମାନଙ୍କ ବିରୁଦ୍ଧରେ ଏହିପରି ସ୍ପେଶାଲ ଏନଫୋର୍ସମେଣ୍ଟ ଅଭିଯାନ ଜାରି ରହିବ ଏବଂ ବେଆଇନ ମାଫିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ସୂଚନା ଦେଇଛନ୍ତି।










