ଭୁବନେଶ୍ୱର: ବିଦ୍ୟୁତ ସେବା କ୍ଷେତ୍ରରେ ୬ ମାସ ପାଇଁ ଏସ୍ମା ଲାଗୁ । ରାଜ୍ୟର ଶକ୍ତି କ୍ଷେତ୍ର ସହ ଜଡ଼ିତ ସମସ୍ତ ସଂସ୍ଥାରେ ଧର୍ମଘଟକୁ ଛଅ ମାସ ପାଇଁ ନିଷିଦ୍ଧ କରାଯାଇଛି । ଗୃହ ବିଭାଗର ବିଶେଷ ଶାଖା ପକ୍ଷରୁ ଜାରି ଏହି ଆଦେଶ ଅନୁଯାୟୀ, ଓଡ଼ିଶା ଜରୁରୀ ସେବା ରକ୍ଷଣାବେକ୍ଷଣ ଆଇନ ବା ଏସ୍ମା ଲାଗୁ ହୋଇଛି । ଗ୍ରୀଡ୍କୋ, OPTCL, OHPC, OPGC ସହ TPCODL, TPNODL, TPSODL ଓ TPWODL ପରି ବିଦ୍ୟୁତ ବଣ୍ଟନ କମ୍ପାନୀମାନଙ୍କୁ ଏହି ନିଷେଧାଜ୍ଞାର ଅଧୀନରେ ଆଣାଯାଇଛି। ଏଥିସହ ରାଜ୍ୟର ଅନ୍ୟାନ୍ୟ ପାୱାର ଉତ୍ପାଦନ ସଂସ୍ଥାମାନେ ମଧ୍ୟ ଏହି ଆଦେଶର ପରିଧିରେ ରହିବେ। ଏହାର ଫଳରେ ଏହି ସଂସ୍ଥାଗୁଡ଼ିକର କର୍ମଚାରୀ, ଇଞ୍ଜିନିୟର ଓ ଅନ୍ୟ ସଂପୃକ୍ତ ସେବାକର୍ମୀମାନେ ଧର୍ମଘଟ କିମ୍ବା କାମ ବନ୍ଦ ଆନ୍ଦୋଳନ କରିପାରିବେ ନାହିଁ। ଅନଧିକୃତ ଭାବେ କାର୍ଯ୍ୟରୁ ଅନୁପସ୍ଥିତ ରହିବାକୁ ମଧ୍ୟ ଏହି ଆଇନ ଅନୁଯାୟୀ ଧର୍ମଘଟର ଶ୍ରେଣୀରେ ଗଣାଯିବ ବୋଲି ଆଦେଶରେ ସ୍ପଷ୍ଟ କରାଯାଇଛି।










