30.1 C
Bhubaneswar
Sunday, May 24, 2026
Homeରାଜନୀତିବିଜେଡି- କଂଗ୍ରେସ ମୁଖିଆଙ୍କୁ ପଛରୁ ଛୁରୀ ମାରିଲେ ଏହି ବିଧାୟକ

ବିଜେଡି- କଂଗ୍ରେସ ମୁଖିଆଙ୍କୁ ପଛରୁ ଛୁରୀ ମାରିଲେ ଏହି ବିଧାୟକ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ସରିଛି । ହେଲେ ଛାଡ଼ିଯାଇଛି ଅନେକ ପାଦ ଚିହ୍ନ । ବିଜେଡି ଓ କଂଗ୍ରେସ ମୁଖିଆଙ୍କୁ ପଛରୁ ଛୁରୀ ମାରିଥିବା ଦଳୀୟ ବିଧାୟକଙ୍କ ସଦସ୍ୟ ପଦ ରଦ୍ଧ କରିବା ପାଇଁ ଉଭୟ ଦଳ ପକ୍ଷରୁ ଉଦ୍ୟମ ଜାରି ରଖାଯାଇଛି । କେତେଦୂର ଏଥିରେ ଦୁଇ ଦଳ ସଫଳ ହେବେ ତାହା ଭିବିଷ୍ୟତ କହିବ । କିନ୍ତୁ ଯେଉଁ ୧୧ ଜଣ ବିଧାୟକ ଏଭଳି ପଦକ୍ଷେପ ନେଲେ ସେମାନଙ୍କ ଭବିଷ୍ୟତ ରାଜନୈତିକ ଭବିଷ୍ୟତ କ’ଣ ହେବ, ତାହା ହେଉଛି ସବୁଠାରୁ ତାତ୍ପର୍ଯ୍ୟପୂର୍ଣ୍ଣ । ସେମାନଙ୍କ ରାଜ୍ୟନୈତିକ ଭବିଷ୍ୟତ ଉପରେ ଡ଼ୋରି ଲାଗିଯିବନି ତ ଏକଥା ଅନେକଙ୍କ ମନରେ ପ୍ରଶ୍ନ ଉଠୁଛି । ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିଥିବା ଏହି ବିଧାୟକମାନେ ନିଜ ନିଜ ସପକ୍ଷରେ ନର୍ଦ୍ଦୋଷତା ନେଇ ଯୁକ୍ତି ରଖିଛନ୍ତି । ହେଲେ ସେମାନେ ଯେ ଦିଲୀପ ରାୟଙ୍କ ଦ୍ୱାରା ଲୋଭର ବଶବର୍ତ୍ତି ହୋଇ ଏପରି କରି ନାହାନ୍ତି ତାହା କେହି ବିଶ୍ୱାସ କରୁ ନାହାନ୍ତି ବୋଲି କୁହାଯାଉଛି ।

ବିଜେଡିର ୮ଜଣ ବିଧାୟକ ଚକ୍ରମଣି କଅଁର, ସୁବାଶୀନି ଜେନା, ସୌଭିକ୍ ବିଶ୍ୱାଳ, ଦେବି ରଞ୍ଜନ ତ୍ରିପାଠୀ, ସନାତନ ମହାକୁଡ଼, ଅରବିନ୍ଦ ମହାପାତ, ନବ କିଶୋର ମଲିକ, ରମାକାନ୍ତ ଭୋଇ ଏବଂ କଂଗ୍ରେସର ୩ ଜଣ ବିଧାୟକ ସୋଫିଆ ଫିର୍ଦ୍ଦୋସ, ରମେଶ ଜେନା, ଦାଶରଥୀ ଗମାଙ୍ଗୋ କ୍ରସ୍ ଭୋଟିଂ କରିଥିବାରୁ ଏମାନଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ବିଜେଡି ଓ କଂଗ୍ରେସ ମିଳିତ ଭାବେ ଜଣେ ସ୍ୱାଧୀନପ୍ରାର୍ଥୀ ଡ. ଦତ୍ତ୍ୱେଶ୍ୱର ହୋତାଙ୍କୁ ଛିଡ଼ା କରାଇଥିଲେ । ଏମାନେ ଦଳ ନିଷ୍ପତ୍ତି ବିରୋଧରେ ଯାଇ ବିଜେପି ସମର୍ଥିତ ରାଜ୍ୟସଭା ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିଲେ । ଦଳ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିବାରୁ ଆଉ ଦଳକୁ ପୁଣି ଫେରିବାର ସମ୍ଭାବନା କ୍ଷୀଣ । କାରଣ ଅନ୍ୟ କୌଣସି ଘଟଣା ହୋଇଥିଲେ କିଛିଦିନ ପରେ ହୁଏତ ନିଲମ୍ବନ ଉଠାଇ ଦଳ ତାଙ୍କୁ ଆପଣାଇ ନେଇ ଥାଆନ୍ତା । ହେଲେ ସଂପୃକ୍ତ ବିଧାୟକମାନେ ଦଳ ମୁଖିଆଙ୍କ ମୁହଁରେ ଚୂନକାଳୀ ବୋଳି ସାଧାରଣରେ ନିନ୍ଦିତ କରିଥିବାରୁ ସେମାନଙ୍କର ଆଉ ଫେରିବା ସମ୍ଭାବନା ଦେଖାଯାଉ ନାହିଁ । ଦଳୀୟ କାର୍ଯ୍ୟାନୁଷ୍ଠାନ ପରେ ସେମାନେ ଯେଉଁ ସବୁ ବିଶୋଦଗାର ମୁଖିଆଙ୍କ ବିରୋଧରେ କରିଛନ୍ତି ଆଉ ଦଳ ଆପଣାଇବ ବୋଲି ସମ୍ଭାବନା ଦେଖାଯାଉ ନାହିଁ । ନବୀନ ପଟ୍ଟନକ ଯେଉଁଭଳି ବ୍ୟକ୍ତି ସେ କୌଣସି ପରିସ୍ଥିତିରେ ରାଜି ହେଲେ ଏକଥା ବିଶ୍ୱାସ କରାଯାଇପାରିବ ନାହିଁ ।

ତେବେ ଏହି ବିଧାୟକଙ୍କ ଭିତରୁ ଅଧିକାଂଶ ହେଉଛନ୍ତି ଯୁବକ ଓ ଥରେ କିଏ ଦୁଇଥର ବିଧାନସଭାକୁ ଆସିଛନ୍ତିି । ଏମାନଙ୍କର ଦୀର୍ଘ ରାଜନୌତିକ ଭବିଷ୍ୟତ ରହିଛି । ତେବେ ଏାମନେ କରିବେ କ’ଣ । ଯାହା ଆଲୋଚନା ହେଉଛି, ଏହି ରାଜ୍ୟସଭା ଘଟଣା ପରେ ରାଜ୍ୟରେ ଏକ ନୂଆ ସଂଗଠନ ଗଢ଼ି ଉଠିଛି ଯାହାର ନାମ ହେଉଛି ‘ବିଜୁ ଲିଗାସୀ’ । ଏହି ସଂଗଠନରେ ଯେଉଁମାନେ ମୁଖ୍ୟ ପୁରୁଦ୍ଧା ଅଛନ୍ତି ସେମାନେ ସମସ୍ତେ ରାଜନୀତିରେ ବେଶ୍ ଅଭିଜ୍ଞ ଓ ଦୂରଦୃଷ୍ଟି ସମ୍ପନ୍ନ । ବର୍ତ୍ତମାନ ସୁଦ୍ଧା ଉକ୍ତ ସଂଗଠନ କୌଣସି ରାଜନୈତିକ ଦଳରେ ପରିଣତ ହୋଇନାହିଁ । ଭବିଷ୍ୟତରେ ଏହା ଏକ ଆଞ୍ଚଳିକ ରାଜନୈତିକ ଦଳର ରୂପ ନେବଏକଥା ମଧ୍ୟ ପୃଷ୍ଟପୋଷକମାନେ ଖୋଲାଖୋଲି ଭାବେ କହିପାରୁ ନାହାଁନ୍ତି । କାରଣ ଏହା ମୂଳରେ ସବୁଠୁ ବଡ଼ ଆବଶ୍ୟକ ହେଉଛି ଅର୍ଥ । ରାଜ୍ୟସଭା ନିର୍ବାଚନରେ ଏମାନେ ମିଳିମିଶି ଦିଲୀପଙ୍କୁ ଜିତାଇଥିବାରୁ ତାଙ୍କ ଉପରେ ଅନେକ ଭରସା କରୁଛନ୍ତି । କୁହାଯାଉଛି ଦଳ ଗଠନ ହେଲେ ତାହା ଚଳାଇବା ପାଇଁ ବହୁ ଅର୍ଥ ଆବଶ୍ୟକ ହେବ । ଏ ଅଭିଜ୍ଞତା ସଂଗଠନ ଗଢ଼ିଥିବା ବିଜୟ ମହାପାତ୍ରଙ୍କର ରହିଛି । କାରଣ ସେ ନିଜେ ଆଞ୍ଚଳିକ ଦଳ ଗଠନ କରି ସେ କିପରି ବିଫଳ ହେଲେ ତାହା ସେ ଜାଣିଛନ୍ତି । ଦଳ ପାଇଁ ଯେତେ ସାଧନ ଦରକାର ତାହା ଏକାକୀ ଦିଲୀପ ଦେବା ସମ୍ଭବ ନୁହେଁ । ହେଲେ ଅର୍ଥ ସଂଗ୍ରହ କରିବା ପାଇଁ ଦାୟିତ୍ୱ ତାଙ୍କୁ ଦିଆଯାଇଥିବା କଥା କୁହାଯାଇଛି । ଯଦି ଦିଲୀପ ଏଥିରେ ସମର୍ଥ ହେଲେ ତେବେ ‘ବିଜୁ ଲିଗାସୀ’ ଏକ ରାଜନୈତିକ ଦଳର ରୂପରେଖ ନେବ । ନଚେତ ଏହା ଏକ ସଂଗଠନ ହୋଇ ରହିବ ।

କୁହାଯାଉଛି ଯଦି ରାଜନୈତିକ ରୂପରେଖ ନିଏ ତେବେ ସଂପୃକ୍ତ ୧୧ ବିଧାୟକ ଏଥିରେ ଯୋଗଦେଇ ୨୦୨୯ ନିର୍ବାଚନ ଲଢ଼ି ନିଜ ନିଜର ଭିବିଷ୍ୟତ ଗଢ଼ିବାକୁ ସୁଯୋଗ ପାଇବେ । ନଚେତ୍ ଏମାନଙ୍କ ଏକମାତ୍ର ଆଶ୍ରା ରହିଛି ବିଜେପି । ଏମାନେ ବିଧାୟକ ଥିବାରୁ ଦଳ ନେବାରେ କିଛି ଅସୁବିଧା ନାହିଁ । କିନ୍ତୁ ଏମାନଙ୍କୁ ବିରୋଧ କରି ବିଜେପିର ଯେଉଁ ନେତାମାନେ ନିର୍ବାଚନରେ ଲଢ଼ି ପରାଜିତ ହୋଇଛନ୍ତି ଓ ତିକ୍ତତାର ମୁକାବିଲା କରିଛନ୍ତି ସେମାନେ କ’ଣ ସହଜରେ ବାଟ ଛାଡ଼ି ଦେବେ କି? ଯେଉଁ ବିଦ୍ରୋହ ଏକାନଙ୍କ ପାଇଁ ସୃଷ୍ଟି ହେବ ତାହା ବିଜେପି ପାଇଁ କାଳ ମଧ୍ୟ ହୋଇପାରେ । ହୁଏତ ଶେଷ ମୂହୁର୍ତ୍ତରେ ବିଜେପି ଏମାନଙ୍କୁ ଦୂରେଇ ଦେଇପାରେ । ଏକଥାକୁ ଅସ୍ୱୀକାର କରି ହେବନାହିଁ । କୁହାଯାଉଛି ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ ଏ ଦୁଇଜଣଙ୍କର ବିଜେପିରେ ସାମିଲ୍ ହେବାରେ ବିଶେଷ ଅସୁବିଧା ହେବ ନାହିଁ । କିନ୍ତୁ ଅନ୍ୟମାନଙ୍କ ପାଇଁ ଅଡ଼ୁଆ ସୃଷ୍ଟି ହେବ । ଏହି ୧୧ ବିଧାୟକ ବର୍ତ୍ତମାନ ଚାହିଁଲେ ବି ବିଜେପିରେ ମିଶି ପାରିବେ ନାହିଁ । କାରଣ ସେମାନଙ୍କୁ ବିଧାୟକ ପଦ ହରାଇବାକୁ ପଡ଼ିବ । ଏଣୁ ଆଗାମୀ ନିର୍ବିାଚନ ସମୟକୁ ହିଁ ଏମାନଙ୍କୁ ଅପେକ୍ଷା କରିବାକୁ ହେବ । ଫଳରେ କ୍ରସ୍ ଭୋଟିଂ କରିଥିବା ବିଧାୟକମାନଙ୍କ ରାଜନୈତିକ ଭବିଷ୍ୟତ ଅନିଶ୍ଚତତା ଭିତରେ ରହିଛି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ଦେଇଛନ୍ତି । କାରଣ ଏମାନେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କଲେ ଯେ ଜିତବେ ତାହା ମଧ୍ୟ ଅନିଶ୍ଚିତ । ଏହା ପଛରେ କୁହାଯାଉଛି ନେତାଙ୍କ ମୁହଁରେ ଚୂକାଳୀ ଲଗାଇବା ନିଜ ମୁହଁରେ ମଧ୍ୟ କଳା ବୋଳିଛନ୍ତି ବୋଲି ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking