କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରମାଣପତ୍ର ପରୀକ୍ଷା (ଦ୍ବିତୀୟ) ନିମନ୍ତେ ଫର୍ମପୂରଣ ଅବଧି ବୃଦ୍ଧି ପାଇଛି। ଚଳିତ ମାଟ୍ରିକ ପରୀକ୍ଷାରେ ଅକୃତକାର୍ଯ୍ୟ ଓ ଅନୁପସ୍ଥିତ ଥିବା ଛାତ୍ରଛାତ୍ରୀ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଅନ୍ଲାଇନରେ ଫର୍ମପୂରଣ କରିପାରିବେ। ଏଥିପାଇଁ ବୋର୍ଡ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ଚଳିତବର୍ଷ ୧୭ ହଜାର ୫୫ ଛାତ୍ରଛାତ୍ରୀ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଛନ୍ତି। ଏଥିସହ ୮ ହଜାର ୩୬୪ ଜଣ ଅନୁପସ୍ଥିତ ରହିଥିଲେ। ତେଣୁ ମୋଟ ୨୫ ହଜାର ୪୧୯ ଛାତ୍ରଛାତ୍ରୀ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବାକୁ ଥିବାବେଳେ ଆସନ୍ତା ଜୁଲାଇ ପ୍ରଥମ ସପ୍ତାହରେ ଏହି ପରୀକ୍ଷା ହେବ। ଅଗଷ୍ଟ ଶେଷ ସୁଦ୍ଧା ଫଳ ପ୍ରକାଶ ପାଇବ। ଗତ ୮ ତାରିଖ ଠାରୁ ଫର୍ମପୂରଣ ଆରମ୍ଭ ହୋଇଥିଲା; ଆଜି ଶେଷ ତାରିଖ ଥିବାବେଳେ ବହୁ ଛାତ୍ରଛାତ୍ରୀ ଏବେ ସୁଦ୍ଧା ଫର୍ମପୂରଣ କରିନାହାନ୍ତି। ତେଣୁ ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଅନୁରୋଧକ୍ରମେ ଅବଧି ବୃଦ୍ଧି କରାଯାଇଥିବା ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି।










