ନୂଆଦିଲ୍ଲୀ: ଇରାନ ଯୁଦ୍ଧ ଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ବଡ଼ ବୃଦ୍ଧି ଘଟିଛି । ବ୍ୟାରେଲ ପିଛା ଏହା ୧୦୦ ଡଲାର ପାର୍ । ଏହାର ସିଧା ପ୍ରଭାବ ଘରୋଇ ବଜାର ଉପରେ ପଡ଼ିଛି । ପେଟ୍ରୋଲ ଏବଂ ଡିଜେଲ ଦର ୩ ଟଙ୍କା ଲେଖାଏଁ ବଢ଼ିଛି । ଅନୁମାନ କରାଯାଉଛି, ଆଗାମୀ ଦିନରେ ଦର ଆହୁରି ବଢ଼ିବ । ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପରେ ଆଉ ଏକ ଝଟ୍କା ଦେଇଛି ସର୍ବଭାରତୀୟ ମୋଟର ପରିବହନ କଂଗ୍ରେସ(ଏଆଇଏମ୍ଟିସି) । ଡିଜେଲ ଦର ବୃଦ୍ଧିକୁ ଆଖି ଆଗରେ ରଖି ଏହା ମାଲ ପରିବହନ ଭଡ଼ା ବଢ଼ାଇବାକୁ ଘୋଷଣା କରିଛି । ସଂସ୍ଥା ଏହାର ସଦସ୍ୟମାନଙ୍କୁ ଏକ ପତ୍ର ଲେଖି ଜଣାଇଛି ଯେ, କିଲୋମିଟର ପିଛା ମାଲ ପରିବହନ ଭଡ଼ା ୧୦ ଟଙ୍କା ବଢ଼ାଯିବ । ପ୍ରକାଶଯୋଗ୍ୟ, ଏଆଇଏମ୍ଟିସି ୩,୩୦୦ରୁ ଅଧିକ ସ୍ଥାନୀୟ ଏବଂ ରାଜ୍ୟସ୍ତରୀୟ ସଂଘଗୁଡ଼ିକ ତରଫରୁ ପ୍ରତିନିଧିତ୍ୱ କରିଥାଏ । ଏହି ସଂସ୍ଥାଗୁଡ଼ିକରେ ୯୫ ଲକ୍ଷ ଟ୍ରକର, ୫୦ ଲକ୍ଷ ବସ୍ ଏବଂ ଟୁରିଷ୍ଟ ଅପରେଟର ଜଡ଼ିତ ଅଛନ୍ତି । ଡିଜେଲ ଭାରତର ପରିବହନ ନେଟ୍ୱର୍କର ମେରୁଦଣ୍ଡ ସଦୃଶ । ଟ୍ରକ, ବସ୍, କୃଷି ଉପକରଣ ଏବଂ ଶିଳ୍ପ ଲଜିଷ୍ଟିକ୍ ନେଟ୍ୱର୍କ ଏହା ଦ୍ୱାରା ଚାଲିଥାଏ । ଇନ୍ଧନ ଦରରେ ସାମାନ୍ୟ ବୃଦ୍ଧି ବିଭିନ୍ନ ଶିଳ୍ପ କ୍ଷେତ୍ରକୁ ପ୍ରଭାବିତ କରିବ । ଯୋଗାଣ ଶୃଙ୍ଖଳକୁ ଏକ୍ଦମ୍ ବିଗାଡ଼ିଦେବ । ଫଳରେ ଦେଶରେ ଜୀବନଧାରଣ ଖର୍ଚ୍ଚ ବଢ଼ିଯିବ । ପରିବା, ଫଳ, ସଉଦା, ଦୁଗ୍ଧ, ପ୍ୟାକେଟ ଖାଦ୍ୟ, ଔଷଧ ଏବଂ ଜରୁରୀ ସାମଗ୍ରୀ ପରିବହନ ହେଉଥିବା ଅଧିକାଂଶ ଟ୍ରକ ଡିଜେଲରେ ଚାଲିଥାଏ । ବସ୍, ଟ୍ରାକ୍ଟର, ଜେନେରେଟର ଏବଂ ବାଣିଜ୍ୟିକ ଯାନ ବି ଏହା ଉପରେ ନିର୍ଭର ।
ଡିଜେଲ ଦର ବଢ଼ିବା ଦ୍ୱାରା ପରିବହନକାରୀମାନଙ୍କୁ ସାମଗ୍ରୀ ପଠାଇବା ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିଥାଏ। କମ୍ପାନିଗୁଡ଼ିକ ଏହାର ବୋଝ ଗ୍ରାହକଙ୍କ ଉପରେ ପକାଇବେ । ଟମାଟୋ, ପିଆଜ ଏବଂ ଫଳ ଆଦି ଦର ବଢ଼ିବ । ଇନ୍ଧନ ଦର ବଢ଼ିବାର ପ୍ରଥମ ପ୍ରଭାବ ହାଣ୍ଡିଶାଳ ବଜେଟ ଉପରେ ପଡ଼ିଥାଏ । ପନିପରିବା, ଫଳ, ଦୁଗ୍ଧ, ଦହି, ପନୀର, ଶସ୍ୟ ଦର ବଢ଼ିବ । ଏଭଳି ସାମଗ୍ରୀକୁ ଶୀଘ୍ର ପହଞ୍ଚାଇବାକୁ ପଡ଼ିଥାଏ । କାରଣ ଏହା ଅତି ଶୀଘ୍ର ନଷ୍ଟ ହୋଇଯାଇଥାଏ । ଏଥିପାଇଁ ରେଫ୍ରିଜରେଟେଡ୍ ଯାନ କିମ୍ବା ଶୀତଳ ଭଣ୍ଡାର ବ୍ୟବସ୍ଥାର ଆବଶ୍ୟକ ହୋଇଥାଏ । ଏହିଭଳି ଭାବେ ଗାଡ଼ିରେ ଅଧିକ ତେଲ ଆବଶ୍ୟକ ହୋଇଥାଏ । ଇନ୍ଧନ ଖର୍ଚ୍ଚ ବଢ଼ିବା ସହ ଦରଦାମ ତେଜିବା ସ୍ୱାଭାବିକ । ପ୍ରକାଶଯୋଗ୍ୟ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଫଳରେ ପ୍ରତି ମାସ ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସ ବିକ୍ରିରେ ତୈଳ ବିପଣନ କମ୍ପାନିଗୁଡ଼ିକ ୩୦,୦୦୦ କୋଟି ଟଙ୍କାର କ୍ଷତି ସହୁଛନ୍ତି । ଏହି କ୍ଷତିକୁ ଭରଣା କରିବା ପାଇଁ ଏଇ ୩ ଟଙ୍କାର ବୃଦ୍ଧି ଯଥେଷ୍ଟ ନୁହେଁ । ଆଗକୁ ଇନ୍ଧନ ଦରରେ ଆହୁରି ବୃଦ୍ଧି ସମ୍ଭାବନା ରହିଥିବା ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।










