ସୁନ୍ଦରଗଡ଼: ସୁନ୍ଦରଗଡ଼ ସହରର ପ୍ରତିଷ୍ଠିତ କୋଇଲା ପରିବହନ ବ୍ୟବସାୟୀ ସଞ୍ଜୟ ନନ୍ଦ (ପିଲୁ)ଙ୍କ ବାସଭବନ ଉପରକୁ ଶନିବାର ବିଳମ୍ବିତ ରାତିରେ ଗୁଳିମାଡ଼ ହୋଇଛି। ବାଇକ୍ ଓ କାର୍ରେ ଆସି ଦୁର୍ବୃତ୍ତମାନେ ରାତି ପ୍ରାୟ ୧ଟା ୩୦ ମିନିଟ୍ରେ ଏହି ଗୁଳିମାଡ଼ କରିଥିବା ସଦର ଏସଡିପିଓ ନିର୍ମଳ ମହାପାତ୍ର ସୂଚନା ଦେଇଛନ୍ତି। ତେବେ ଏହି ଘଟଣାରେ କାହାରି କୌଣସି କ୍ଷତି ହୋଇ ନ ଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଶନିବାର ରାତି ପ୍ରାୟ ୧୨ଟା ୩୦ ମିନିଟ୍ ସମୟରେ କିଛି ଯୁବକ ବାଇକ୍ରେ ଆସି ପିଲୁ ନନ୍ଦଙ୍କ ବାସଭବନ ଆଗରେ ପାଟିତୁଣ୍ଡ କରିଥିଲେ। କୋଇଲା ପରିବହନରେ ନିୟୋଜିତ କେତେକ କଳା ତାଲିକାଭୁକ୍ତ ଟ୍ରକଗୁଡ଼ିକୁ ବନ୍ଦ କରିବା ପାଇଁ ସେମାନେ ଦାବି କରୁଥିଲେ। ଏହି ସମୟରେ ଘରେ ନିୟୋଜିତ ସୁରକ୍ଷା କର୍ମୀଙ୍କ ସହ ଉକ୍ତ ଯୁବକମାନଙ୍କର ପ୍ରବଳ ଯୁକ୍ତିତର୍କ ଓ ପାଟିତୁଣ୍ଡ ହୋଇଥିଲା। ଏହାର କିଛି ସମୟ ପରେ ଦୁର୍ବୃତ୍ତମାନେ ପୁଣି ଫେରିଆସି ଘର ଉପରକୁ ଗୁଳିମାଡ଼ କରି ସେଠାରୁ ଫେରାର ହୋଇଯାଇଥିଲେ।
ଗୁଳିମାଡ଼ ସମ୍ପର୍କରେ ଖବର ପାଇ ଟାଉନ ଥାନାର ପାଟ୍ରୋଲିଂ ପୋଲିସ ଗାଡ଼ି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ପରବର୍ତ୍ତୀ ସମୟରେ ସାଇଣ୍ଟିଫିକ ଟିମ୍ ସହ ପୋଲିସର ବରିଷ୍ଠ ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାସ୍ଥଳରୁ ପୋଲିସ ଗୋଟିଏ ବ୍ୟବହୃତ ଗୁଳିର ଖୋକା ଜବତ କରିଛି। କୋଇଲା ପରିବହନ ବ୍ୟବସାୟକୁ ନେଇ ରହିଥିବା ଶତ୍ରୁତା କିମ୍ବା ବିବାଦରୁ ହିଁ ଏହି ଗୁଳିମାଡ଼ ହୋଇଥିବା ପୋଲିସ ପ୍ରାଥମିକ ସନ୍ଦେହ କରୁଛି।










