ଭୁବନେଶ୍ୱର : ଦିନରେ ଜଳାଉଛି, ରାତିରେ ଭିଜାଉଛି । ବଦଳୁଛି ପାଣିପାଗର ମିଜାଜ । ବର୍ତ୍ତମାନ ରାଜ୍ୟରେ ଗ୍ରୀଷ୍ମର ପ୍ରବାହ ଚରମ ସୀମାରେ ପହଞ୍ଚିଛି । ସକାଳ ୯ଟା ବାଜିଲା ବେଳକୁ ସୂର୍ଯ୍ୟଙ୍କ କିରଣ ଅସହ୍ୟ ହୋଇପଡ଼ୁଛି । ଟାଇଁ ଟାଁ ଖରାରେ ବାହାରକୁ ବାହାରିବା କଷ୍ଟକର ହୋଇପଡୁଥିବା ବେଳେ ଲୋକେ ଗରମ ଓ ଗୁଳୁଗୁଳିରେ ଛଟପଟ ହେଉଛନ୍ତି । ଏହି ତାତିରୁ ରକ୍ଷା ପାଇବା ପାଇଁ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି । ତେବେ ସନ୍ଧ୍ୟା ହେଲେ ପାଣିପାଗର ମିଜାଜ୍ ବଦଳୁଛି । କାଳବୈଶାଖୀ କିଛି ସମୟ ପାଇଁ ଧରଣୀକୁ ଶୀତଳ କରୁଥିଲେ ମଧ୍ୟ ଏହାର ରୂପ ଅତ୍ୟନ୍ତ ଭୟଙ୍କର । ପ୍ରବଳ ପବନ ଓ ବର୍ଷା ଯୋଗୁଁ ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ୁଛି ଏବଂ ବିଦ୍ୟୁତ ସେବା ବାଧାପ୍ରାପ୍ତ ହେଉଛି । କାଳବୈଶାଖୀର ଏହି ତାଣ୍ଡବରେ କେବଳ ଯେ ସାଧାରଣ ଜୀବନଯାତ୍ରା ବ୍ୟାହତ ହେଉଛି ତାହା ନୁହେଁ, ବରଂ ଧନଜୀବନର ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟୁଛି ।










