ଭୁବନେଶ୍ୱର: ଓଡ଼ିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଯାଇଛି ବୋଲି ଅଭିଯୋଗ କରିଛି ବିଜୁ ଜନତା ଦଳ । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ବିଜେପି ଦଳ କ୍ଷମତାସୀନ ହେବା ପରଠାରୁ ସର୍ବସାଧାରଣରେ ପୋଲିସ କର୍ମୀଙ୍କ ସହ ନିରୀହ ଲୋକଙ୍କୁ ହତ୍ୟା, ରାହାଜାନୀ, ଅରାଜକତା, ବର୍ବରତା, ଧର୍ଷଣ ଓ ଲୁଣ୍ଠନ ଆଦି ଘଟଣା ବହୁମାତ୍ରାରେ ବୃଦ୍ଧି ପାଇଛି । ଯେଉଁଭଳି ଭାବେ ବାଲିଅନ୍ତା ଠାରେ ସୌମ୍ୟ ରଞ୍ଜନଙ୍କୁ ଦିନ ଦ୍ବିପ୍ରହରରେ ପୋଲିସ ଉପସ୍ଥିତିରେ ପିଟି ପିଟି ମାରିଦିଆଗଲା, ନୟାଗଡ଼ରେ ମାଫିଆମାନେ ଜଣକୁ ହତ୍ୟା କଲେ ଏଥିରୁ ସ୍ପଷ୍ଟ ଜଣାପଡୁଛି ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡ଼ିଯାଇଛି ।ଏଭଳି ଅମାନୁଷିକ ଘଟଣା ମାନଙ୍କ ଉପରେ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ବିଜେପି ସରକାରଙ୍କ ଏକ ପ୍ରକାର ସ୍ଥାଣୁତା ଓ ଅପାରଗତା ସଭ୍ୟ ସମାଜକୁ ଚକିତ ଓ ବିଚଳିତ କରୁଛି ବୋଲି ବିଜେଡି ଉପସଭାପତି ପ୍ରତାପ ଜେନା ଏକ ସାମ୍ବାଦିକ ସମ୍ମିଳନୀରେ ବଡ଼ ଅଭିଯୋଗ ଆଣିଛନ୍ତି । ରାଜ୍ୟର ମୁଖ୍ୟ ବିରୋଧୀ ଦଳ ହିସାବରେ ବିଜେଡି ଆସନ୍ତା ୧୪ ତାରିଖ ଦିନ କଟକ ଜିଲ୍ଲା ବିଜେଡି ପକ୍ଷରୁ ଡିଜିଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯିବ ଏବଂ ପୋଲିସ ଡିଜିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯିବ । ତୁରନ୍ତ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବିଜେଡି ରାଜ୍ୟବ୍ୟାପୀ ରାସ୍ତାକୁ ଓହ୍ଲାଇବ ବୋଲି ପ୍ରେସମିଟରେ ବିଜେଡି ନେତା ସୂଚନା ଦେଇଛନ୍ତି ।










