ଭୁବନେଶ୍ୱର: ଧରଣୀଧର ନାୟକ (ଭୂୟାନ)ଙ୍କ ୧୯୨ତମ ଜନ୍ମ ଜୟନ୍ତୀ ଅବସରରେ ବିଜୁ ଜନତା ଦଳ ପକ୍ଷରୁ ଶଙ୍ଖ ଭବନରେ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହା ସହିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ବରିଷ୍ଠ ନେତୃମଣ୍ଡଳୀ ଓ ଦଳୀୟ କର୍ମୀମାନେ ଏହି ଅବସରରେ ଯୋଗଦେଇ ଏହି ମହାନ ବ୍ୟକ୍ତିତ୍ୱଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ, ଯିଏ ମାଟିର ପୁଅ ଓ ସାଂସ୍କୃତିକ ଜାଗରଣର ଏକ ପ୍ରବର୍ତ୍ତକ ଥିଲେ । ଧରଣୀଧର ନାୟକଙ୍କ ଅପାର ଅବଦାନ, ସାହସ ଓ ସମାଜ କଲ୍ୟାଣ ପ୍ରତି ତାଙ୍କର ଅତୁଟ ପ୍ରତିବଦ୍ଧତା ସଦା ସ୍ମରଣୀୟ ରହିବ । ତାଙ୍କର ଜୀବନ ଆଗାମୀ ପିଢିକୁ ସମର୍ପଣ ଓ ନିଷ୍ଠାର ସହିତ ସେବା କରିବା ପାଇଁ ପ୍ରେରଣା ଦେଇଆସୁଛି।
ଶଙ୍ଖ ଭବନରେ ତାଙ୍କର ଅମୂଲ୍ୟ ଅବଦାନ ଉପରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା । ସଭାକୁ ସମ୍ୱୋଧନ କରି ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ, ଧରଣୀଧର ନାୟକ କେନ୍ଦୁଝରରେ ବ୍ରିଟିଶ ସରକାରର ଶୋଷଣ ନୀତି ବିରୋଧରେ ଐତିହାସିକ ବିଦ୍ରୋହର ନେତୃତ୍ୱ ନେଇଥିଲେ । ସେ ଭୂୟାନ ଜାତି ସହିତ ସ୍ଥାନୀୟ ସମୁଦାୟମାନଙ୍କୁ ନ୍ୟାୟ ଓ ସ୍ୱାୟତ୍ତତା ପାଇଁ ଏକତ୍ର କରିଥିଲେ । ସେ ଔପନିବେଶିକ ଶାସକ ଓ ଜମିଦାରୀ ପ୍ରଥା ଦ୍ୱାରା ଆଦିବାସୀ ସମୁଦାୟ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ସ୍ୱର ଉଠାଇଥିଲେ । ଏହି ଅବସରରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି, ସାଧାରଣ ସମ୍ପାଦକ ଶ୍ରୀ ବିଜୟ ନାୟକ, ମୁଖପାତ୍ର ଶ୍ରୀ ନାରାୟଣ ଜେନା, ସାଧାରଣ ସମ୍ପାଦକ ଶ୍ରୀ ସୁରେନ୍ଦ୍ର ମହାପାତ୍ର, ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରୀ ସଭାପତି ଶ୍ରୀ ଶୁଭେନ୍ଦୁ ମଙ୍ଗରାଜ ଓ ମହିଳା ନେତ୍ରୀ ଶ୍ରୀମତୀ ଅଂଶୁ ତ୍ରିପାଠୀ ସଭାକୁ ସମ୍ୱୋଧନ କରି ନିଜର ମତାମତ ପ୍ରକାଶ କରିଥିଲେ । ଡ଼ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଜ୍ଞାପନ କରିଥିଲେ ।










