ନୂଆଦିଲ୍ଲୀ: ଚୀନର ଲିଉୟାଙ୍ଗରେ ଏକ ବାଣ କାରଖାନାରେ ବିସ୍ପୋରଣ ଘଟିଛି । ଏଥିରେ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬୧ ଜଣ ଆହତ ହୋଇଛନ୍ତି । ସୋମବାର ସନ୍ଧ୍ୟା ପ୍ରାୟ ୫ଟାରେ ଗୁଆଣ୍ଡୁ ଟାଉନସିପରେ ଥିବା ଲିଉୟାଙ୍ଗ ହୁଆଶେଙ୍ଗ ବାଣ କାରଖାନା ନିର୍ମାଣ ଏବଂ ପ୍ରଦର୍ଶନ ସହଯୋଗ କାରଖାନାରେ ଏହି ଦୁର୍ଘଟଣା ଘଟିଥିଲା । ଉଦ୍ଧାର ଏବଂ ଅଗ୍ନିଶମ ବାହିନୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରିଲିଫ କାର୍ଯ୍ୟ ଆରମ୍ଭ କରିଥିଲେ । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏବଂ ସେମାନଙ୍କର ଚିକିତ୍ସା କରାଯାଉଛି । ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଉଦ୍ଧାର କାର୍ଯ୍ୟରେ ଚେଷ୍ଟା ଜାରି ରଖିବାକୁ ଆହ୍ୱାନ ଦେଇଛନ୍ତି ଏବଂ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଲି କ୍ୱିଆଙ୍ଗ ମଧ୍ୟ ରାଷ୍ଟ୍ରପତିଙ୍କ ଚିନ୍ତାକୁ ଦୃଢ଼ କରିଛନ୍ତି, ଭବିଷ୍ୟତରେ ସମାନ ଦୁଃଖଦ ଘଟଣା ଏଡାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକରେ ସୁରକ୍ଷା ନିୟମାବଳୀକୁ କଡ଼ାକଡ଼ି ଲାଗୁ କରିବାକୁ ଅନୁରୋଧ କରିଛନ୍ତି।










