ଭୁବନେଶ୍ୱର: ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଳକ୍ ଅନ୍ତର୍ଗତ ବଡ ବଦାଙ୍ଗୀ ଗ୍ରାମରେ ଦଳିତ ସମ୍ପ୍ରଦାୟର ଲୋକମାନେ ଏକ ବିବାହ ଶୋଭାଯାତ୍ରାରେ ମୁଖ୍ୟରାସ୍ତାରେ ଯାଉଥିବା ବେଳେ ଗାଁର ସବର୍ଣ୍ଣ ଲୋକମାନେ ଜାତିଆଣ ମନୋଭାବ ନେଇ ସଂଘବଦ୍ଧ ଭାବେ ସେମାନଙ୍କୁ ବିରୋଧ କରିବା ସହ ଶୋଭାଯାତ୍ରା ନକରି ଫେରିଯିବାକୁ କହିଥିଲେ । ଶୋଭାଯାତ୍ରାକାରୀମାନେ ସେଥିରେ ରାଜି ନହେବାରୁ ଠେଙ୍ଗାବାଡି ଓ ମାରଣାସ୍ତ୍ରରେ ସଜ୍ଜିତ ସବର୍ଣ୍ଣ ଲୋକମାନେ ସେମାନଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ଫଳରେ 10ରୁ ଉର୍ଦ୍ଧ୍ୱ ଦଳିତ ଲୋକ ଗୁରୁତ୍ତର ଭାବେ ଆହତ ହୋଇଛନ୍ତି । ଆକ୍ରମଣ ଭୟରେ ଗାଁର ଦଳିତ ଲୋକମାନେ ଘରଦ୍ଵାର ଛାଡି ବାହାରକୁ ଚାଲି ଯାଇଛନ୍ତି । ଏହି ଘଟଣାରେ ସ୍ଥାନୀୟ ସୋରଡ଼ା ଥାନାରେ ସେଦିନ ଏତଲା ଦିଆଯାଇଥିବା ବେଳେ ଏତଲା ନରଖି ଆସନ୍ତା କାଲି ଆସ ବୋଲି କହିଥିଲେ । ଗତକାଲି ପିଡୀତ ଦଳିତ ଲୋକମାନେ ଏତଲା ଦେବାକୁ ପୁଣି ଥରେ ସକାଳୁ ଯିବା ପରେ ସେମାନଙ୍କୁ ସନ୍ଧ୍ୟା ଯାଏଁ ଏତଲା ନନେଇ ଅପେକ୍ଷା କରାଇଥିଲେ । ଶେଷରେ ଏତଲା ରଖିଥିଲେ ମଧ୍ୟ ତାକୁ ବଦଳାଇ ନିଜ ଇଛା ମୁତାବକ ରଖିବାକୁ ବାଧ୍ୟ କରିଥିଲେ । ଏତଲାକୁ ପଞ୍ଜିକରଣ କରି ତା’ର କପି ଦେବା ପରିବର୍ତ୍ତେ ଆସନ୍ତା 15 ଦିନ ପରେ ତଦନ୍ତ କରି ପଞ୍ଜିକରଣ କରାଯିବ ବୋଲି କହିଥିଲେ ।
ଏଠାରେ ଉଲ୍ଲେଖନୀୟ ଯେ ବଡ ବଦାଙ୍ଗି ଗ୍ରାମରେ ଦଳିତ ଲୋକମାନେ ଲଗାତାର ଭାବେ ଜାତିଆଣ ଭେଦଭାବ ଓ ହିଂସାର ଶିକାର ହୋଇ ଆସୁଛନ୍ତି । ଗାଁର ସର୍ବସାଧାରଣ ପୋଖରୀ, ମନ୍ଦିର ଆଦିରେ ଦଳିତମାନଙ୍କ ପ୍ରବେଶ ଉପରେ କଟକଣା ଜାରି ରହିଛି । ଗାଁର ହୋଟେଲରେ ଜାତି ଆଧାରରେ ଦୁଇଟି ଗ୍ଳାସର ବ୍ୟବସ୍ଥା ସହ ଦୋକାନରୁ ଜିନିଷ ପତ୍ର କିଣିବା ବେଳେ ଦଳିତ ଲୋକଙ୍କୁ ଜିନିଷ ଫୋପାଡ଼ି ଦିଆଯାଉଛି । ଏହାକୁ ନେଇ ପିସିସି ସଭାପତି ବିଜେପି ସରକାରଙ୍କ ଦଳିତ ଆଦିବାସୀ ମାନଙ୍କପ୍ରତି ବୃଦ୍ଧି ହେଉଥିବା ଅତ୍ୟାଚାର ପ୍ରତି ଘୋର ଦୁଃଖପ୍ରକାଶ କରି ସରକାରଙ୍କ ଉଦାସୀନତାକୁ କଟୁ ସମାଲୋଚନା କରିଛନ୍ତି ଏବଂ ଜାତିଆଣ ମନୋଭାବକାରୀଙ୍କ ପ୍ରତି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କଠାରେ ଦାବୀ କରିଛନ୍ତି l










