ପଞ୍ଜାବ : ପଞ୍ଜାବର ପଟିଆଲାରେ ଭୟଙ୍କର ବିସ୍ଫୋରଣ ଘଟିଛି । ଶମ୍ଭୁ-ଅମ୍ବାଲା ରେଲୱେ ଟ୍ରାକ ନିକଟରେ ଏହି ବିସ୍ଫୋରଣ ଘଟି ଟ୍ରାକ୍ କ୍ଷତିଗ୍ରସ୍ତ ହୋଇଛି । ଘଟଣାସ୍ଥଳରୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ମାଲବାହୀ ଟ୍ରେନ୍ ପାଇଁ ସଂରକ୍ଷିତ ଟ୍ରାକ୍ ନିକଟରେ ବିସ୍ଫୋରଣ ଘଟିଥିଲା ।
ବିସ୍ଫୋରଣର ସୂଚନା ପାଇ ଡିଆଇଜି ଏବଂ ପଟିଆଲା ଏସଏସପି ବରୁଣ ଶର୍ମାଙ୍କ ସମେତ ବରିଷ୍ଠ ପୁଲିସ୍ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ସରକାରୀ ରେଳବାଇ ପୁଲିସ୍ ଏବଂ ରେଳବାଇ ସୁରକ୍ଷା ବଳ ଦଳ ମଧ୍ୟ ତଦନ୍ତ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେପଟେ ଏହି ଘଟଣାକୁ ନେଇ ଏସଏସପି ବରୁଣ ଶର୍ମା କହିଛନ୍ତି ଯେ, ବିସ୍ଫୋରଣ ଯୋଗୁଁ ରେଲୱେ ଟ୍ରାକ୍ କିଛି ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି । ଏହା କମ୍ ତୀବ୍ରତାର ବିସ୍ଫୋରଣ ଥିଲା । ଏବେ ସମ୍ପୂର୍ଣ୍ଣ ଘଟଣା ତଦନ୍ତାଧୀନ ରହିଛି ।










