ଯୁଯୁମୁରା: ଯୁଯୁମୁରା ଥାନା ଅନ୍ତର୍ଗତ ଯୁଯୁମୁରା କୁଡାପଡାର ଆନନ୍ଦ ମିର୍ଦ୍ଧା ଗତକାଲି ମଧ୍ୟାହ୍ନ ସମୟରେ ନିକଟସ୍ଥ ପୋଖରୀକୁ ସ୍ନାନ କରିବାକୁ ଯାଇଥିଲେ । ଗାଧୋଉଥିବା ସମୟରେ ସେ ଅଚାନକ ପାଣିରେ ବୁଡି ଯାଇଥିବା ଅନୁମାନ କରାଯାଉଛି । ଘଟଣା ପରେ ସେ ଘରକୁ ଫେରିନଥିଲେ । ପରିବାର ଓ ଗ୍ରାମବାସୀ ତାଙ୍କୁ ଖୋଜାଖୋଜି କରି ନିରାଶ ହୋଇଥିଲେ । ଆଜି ସକାଳେ ସ୍ଥାନୀୟ ଲୋକେ ପୋଖରୀରେ ତାଙ୍କ ଶରୀର ଭାସୁଥିବା ଦେଖି ପୁଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ଯୁଯୁମୁରା ଅଗ୍ନିଶମ ବାହିନୀ ଓ ପୁଲିସ ଦଳ ଘଟଣାସ୍ଥଳକୁ ପହଞ୍ଚିଥିଲେ । ସେମାନେ ପୋଖରୀରୁ ଶବକୁ ଉଦ୍ଧାର କରିଥିଲେ । ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଘଟଣା ସଂପର୍କରେ ପୁଲିସ ତଦନ୍ତ ଜାରି ରଖିଛନ୍ତି ।










