ଭୁବନେଶ୍ୱର: ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA), ଏସିଆନ୍ ଡିଜାଷ୍ଟର ପ୍ରିପେୟାର୍ଡନେସ୍ ସେଣ୍ଟର (ADPC) ସହଯୋଗରେ, “ଓଡିଶାରେ ଭବିଷ୍ୟତ ବିପତ୍ତି, ପ୍ରସ୍ତୁତି ଓ ସହନଶୀଳତା – ଭିଜନ ୨୦୩୬ ଓ ୨୦୪୭ ଅଧୀନରେ ୧୦ ବର୍ଷୀୟ କୌଶଳଗତ ଦୃଷ୍ଟିକୋଣ ପାଇଁ ଚିନ୍ତନ ନେତୃତ୍ୱକୁ ସୁଦୃଢ କରିବା” (“Future Risk, Preparedness and Resilience in Odisha – Strengthening Thought Leadership Towards a 10-Year Strategic Outlook under Vision 2036 & 2047”) ସମ୍ପର୍କିତ ଦୁଇଦିନିଆ ଆଲୋଚନା କାର୍ଯ୍ୟକ୍ରମ ୱେଲକମ୍ ହୋଟେଲଠାରେ ଉଦଘାଟିତ ହୋଇ ଯାଇଛି l
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଓଡ଼ିଶା ସରକାରଙ୍କ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଆଲୋଚନାକୁ ଉଦଘାଟନ କରି କହିଲେ ଯେ, ଆମ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ମଡେଲ୍ ସମଗ୍ର ବିଶ୍ୱରେ ପ୍ରଶଂସିତ ହୋଇଛି l ଆମ ସଭିଙ୍କର ସାମୂହିକ ପରିଚାଳନା ଦ୍ଵାରା ପ୍ରତିଥର ଆମେ ବିପର୍ଯ୍ୟୟକୁ ପ୍ରତିହତ କରିବାରେ ସକ୍ଷମ ହେବା l ଏହି ଅବସରରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ସଦସ୍ୟ ଶ୍ରୀମତୀ ରୀତା ମିଶାଲ୍, OSDMAର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରାଜେଶ ପ୍ରଭାକର ପାଟିଲ୍,କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. କମଳ ଲୋଚନ ମିଶ୍ର, କାର୍ଯ୍ୟନିର୍ବାହୀ ନିର୍ଦେଶିକା ଶ୍ରୀମତୀ ସୁସ୍ମିତା ବେହେରା ଏବଂ ADPCର ୟୁନିଟ୍ ହେଡ୍ ଡ. ମୋନା ଛାବ୍ରା ଆନନ୍ଦଙ୍କ ସହ ଉଚ୍ଚପଦସ୍ଥ ସରକାରୀ କର୍ମକର୍ତ୍ତା ଏବଂ ଜାତୀୟ ତଥା ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏହି ଆଲୋଚନା ରାଜ୍ୟର ବିପର୍ଯ୍ୟୟ ପରିଚାଳନା ଦକ୍ଷତା ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ପ୍ରକାଶ କରିଛି।
ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସରକାରୀ ଅଧିକାରୀ, ବିଶେଷଜ୍ଞମାନେ ଓ ଜାତୀୟ-ଆନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ଯୋଗଦେଇ ଭବିଷ୍ୟତ ବିପଦ ଓ ଜଳବାୟୁ ସମ୍ବନ୍ଧୀୟ ସମସ୍ୟା ଏବଂ ଆଗାମୀ ଦଶକରେ ଓଡିଶାର ପ୍ରତିରୋଧ ଦକ୍ଷତା ବୃଦ୍ଧି ପାଇଁ ଏକ ସୁସଂଗଠିତ ରୋଡମ୍ଯାପ୍ ଉପରେ ଗଭୀର ଆଲୋଚନା କରିଥିଲେ l ଏହି ଦିଗରେ ରାଜ୍ୟ ବିପର୍ଯୟ ପରିଚାଳନା ପ୍ରତିଷ୍ଠାନ ଆଗାମୀ ଦିନରେ କାର୍ଯ୍ୟକରିବ l ନିଜର ବକ୍ତବ୍ୟରେ ଅତିଥିମାନେ ବିପର୍ଯ୍ୟୟ ପୂର୍ବ ପ୍ରସ୍ତୁତି, ପୂର୍ବ ସଚେତନତା ସମ୍ବନ୍ଧୀୟ ସୂଚନା ପ୍ରସାରଣ ଏବଂ ଗୋଷ୍ଟି ପରିଚାଳନା ବ୍ୟବସ୍ଥାରେ ଓଡିଶାର ଉଲ୍ଲେଖନୀୟ ସଫଳତାକୁ ଉଦ୍ଧୃତ କରିଥିଲେ। ଜଳବାୟୁ ପରିବର୍ତ୍ତନ, ଦ୍ରୁତ ସହରୀକରଣ ଓ ପରିବର୍ତ୍ତନଶୀଳ ସାମାଜିକ ଚଳଣି ଦ୍ଵାରା ଉତ୍ପନ୍ନ ହେଉଥିବା ନୂତନ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥାଗୁଡ଼ିକୁ ଆହୁରି ସୁଦୃଢ଼ କରିବାର ଆବଶ୍ୟକତା ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ। ଭବିଷ୍ୟତରେ ରାଜ୍ୟ ବିପର୍ଯୟ ପରିଚାଳନା ପ୍ରତିଷ୍ଠାନର ଏହି ସବୁ ବିଷୟରେ ତାଲିମ ଦେଇ ଜନସାଧାରଣଙ୍କ ଦକ୍ଷତା ବୃଦ୍ଧିରେ ସହାୟକ ହେବ ।
ଏହି ନୀତି ଆଲୋଚନା ସଭାରେ ଭବିଷ୍ୟତ ବିପର୍ଯ୍ୟୟ ମୂଲ୍ୟାଙ୍କନ, ପ୍ରଯୁକ୍ତିର ବ୍ୟବହାର, ପ୍ରତିଷ୍ଠାନମାନଙ୍କର ସୁଦୃଢୀକରଣ, ଆର୍ଥିକ ସାମର୍ଥ୍ୟ ଓ ସମୁଦାୟ ଅଂଶଗ୍ରହଣ ଇତ୍ୟାଦି ବିଷୟରେ ବିଶେଷଜ୍ଞମାନଙ୍କ ଦ୍ଵାରା ଉପସ୍ଥାପନା, ଆଲୋଚନା ଅଧିବେଶନ ଏବଂ ବିଭିନ୍ନ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅଂଶଗ୍ରହଣକାରୀମାନେ ସେମାନଙ୍କର ଅନୁଭବ ଓ ସର୍ବୋତ୍ତମ ପ୍ରୟୋଗଗୁଡ଼ିକ ସମ୍ପର୍କରେ ଆଲୋଚନା କରିବା ସହ ରାଜ୍ୟର ବିପର୍ଯ୍ୟୟ ପରିଚାଳନାକୁ ସର୍ବୋତ୍ତମ କରିବା ଦିଗରେ ଏକ ସକରାତ୍ମକ ଉତ୍ସାହ ନିମନ୍ତେ ମତବ୍ୟକ୍ତ କରିଥିଲେ l ଆଲୋଚନାସବୁ ଓଡିଶାର ସାମଗ୍ରିକ ବିକାଶର ଦୃଷ୍ଟିକୋଣ “ଭିଜନ 2036” ଓ “ଭିଜନ 2047” ସହ ସମନ୍ୱିତ ଥିଲା। ଏହି କାର୍ଯ୍ୟକ୍ରମର ଏକ ମୁଖ୍ୟ ଉଦ୍ଦେଶ୍ୟ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରତିଷ୍ଠାନ (SIDM)କୁ ପ୍ରଶିକ୍ଷଣ, ଗବେଷଣା ଓ ଜ୍ଞାନ ସୃଷ୍ଟି ପାଇଁ ଏକ କେନ୍ଦ୍ରୀୟ ଉତ୍କର୍ଷ କେନ୍ଦ୍ର (CoE) ଭାବେ ଗଢି ତୋଳିବା lଏହି ଦ୍ୱିଦିବସୀୟ ଆଲୋଚନାର ଫଳପ୍ରସୂ ପରିଣାମସ୍ଵରୁପ ଭବିଷ୍ୟତ ନୀତି ଗଠନ, ଦକ୍ଷତା ବିକାଶ ଓ ପୂର୍ବପ୍ରସ୍ତୁତିକୁ ସୁଦୃଢ଼ କରି ଓଡିଶାର ସମସ୍ତ ଗୋଷ୍ଟିର ସୁରକ୍ଷା ଓ ପ୍ରଶମନ କ୍ଷମତାକୁ ସୁନିଶ୍ଚିତ କରିବ ବୋଲି ସଭିଏଁ ଆଶାବ୍ୟକ୍ତ କରିଥିଲେ l










