ଭୁବନେଶ୍ବର: ଲଖନପୁର ବ୍ଲକର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ସମ୍ପର୍କରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି l ବିଭିନ୍ନ କାରଣରୁ ଅବହେଳା କରି କାମ ସାରି ନଥିବା ସଂସ୍ଥା ଅଥବା ଠିକାଦାରମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ସହ ଆବଶ୍ୟକସ୍ଥଳେ ସେମାନଙ୍କ କାର୍ଯ୍ୟାଦେଶ ରଦ୍ଦ କରିବାକୁ ମାନ୍ୟବର ମନ୍ତ୍ରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l ସାଧାରଣ ଲୋକଙ୍କ ପାଇଁ ଭଲ କାମ କରିବା ନିମନ୍ତେ ଠିକାଦାରମାନଙ୍କୁ ତାଗିଦ୍ କରିବା ସହ ଧାର୍ଯ୍ୟ ସମୟ ମଧ୍ୟରେ କାମ ସାରିବା ଆମର ନୈତିକ ଦାୟିତ୍ଵ ବୋଲି ମାନ୍ୟବର ମନ୍ତ୍ରୀ କହିଛନ୍ତି l ବିଗତ ଦୁଇ ବର୍ଷ ମଧ୍ୟରେ ଲଖନପୁର ବ୍ଲକରେ ୪୫ କୋଟି ୨ ଲକ୍ଷ ୯୭ ହଜାର ୩୪୩ ଟଙ୍କା ଖର୍ଚ ହୋଇ ୮୩୧ ଗୋଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିବା ବେଳେ, ୭୩କୋଟି ୧୪ ଲକ୍ଷ ୩୪ ହଜାର ୭୭୬ଟଙ୍କା ଅଟକଳରେ ବର୍ତମାନ ୮୦୩ ଗୋଟି ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରକାଶ କରିଥିଲେ I
ଏହି ପରିପ୍ରେକ୍ଷୀରେ ସିଏସଆର୍ ପ୍ରକଳ୍ପ ଅଧୀନରେ ଚାଲୁଥିବା କାର୍ଯ୍ୟଗୁଡ଼ିକ ଶୀଘ୍ର ସମାପ୍ତ କରିବା ପାଇଁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି l ୨୧୭ଟି ରାସ୍ତା ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ଆସନ୍ତା ମଇ ୧୫ ତାରିଖ ସୁଦ୍ଧା ସମସ୍ତ ପ୍ରକଳ୍ପ କାର୍ଯ୍ୟ ସମ୍ପନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି l ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ପକ୍ଷରୁ ଯଥାଶୀଘ୍ର ପାଣ୍ଠି ସଂଗ୍ରହ ହୋଇ ଜୁନ୍ ୧୫ ତାରିଖ ପୂର୍ବରୁ ୮୪ଟି ଜଳାଶୟ ପ୍ରକଳ୍ପ ସାରିବାକୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି I ସେହିପରି ଅନ୍ୟାନ୍ୟ ପ୍ରକଳ୍ପମାନଙ୍କ ମଧ୍ୟରେ ୧୧୮ଟି ଗାଧୁଆ ଘାଟ ଜୁନ୍ ୧୫ ସୁଦ୍ଧା ସମାପ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି l ସେହିପରି କୁତ୍ରାପଲି ଏବଂ ଭିକମପଲିର କଲ୍ୟାଣ ମଣ୍ଡପ ଆଦି କାର୍ଯ୍ୟ ଚାଲୁ ରହିଥିବା ବେଳେ ଶୀଘ୍ର ସାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି l ୩୩ ଗୋଟି ସର୍ବସାଧାରଣ ସୁବିଧା କେନ୍ଦ୍ର (ପିୟୁସି) ମଧ୍ୟରୁ ୧୭ଟି ସମାପ୍ତ ହୋଇଥିବା ବେଳେ, ୧୪ଟିର କାର୍ଯ୍ୟ ଚାଲୁ ରହିଛି ଏବଂ ବଳକା ଆରମ୍ଭ ହୋଇନଥିବା ଦୁଇଟି ସର୍ବସାଧାରଣ ସୁବିଧା କେନ୍ଦ୍ର କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି l ଭିକମପଲିର କୃଷି ଗବେଷଣା କେନ୍ଦ୍ର (ଏଆରସି), ବିଭିନ୍ନ ସ୍ଥାନର ଷ୍ଟ୍ରିଟ ଲାଇଟ୍ ଆଦି ଶୀଘ୍ର ସାରିବା ସହ ଜିଲ୍ଲା ପ୍ରଶାସନର ପାଣ୍ଠିରେ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ନିମନ୍ତେ ଏସଏଚଜି ୱାର୍କ୍ ସପ୍ ସେଣ୍ଟର୍ ସ୍ଥାପନ ତ୍ଵରାନ୍ୱିତ କରି ଶୀଘ୍ର ସମାପ୍ତ କରିବାକୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି l ସେହିପରି ୬୨ ଗୋଟି ସ୍କୁଲର ଗୃହ ନିର୍ମାଣ ପାଇଁ ଏମସିଏଲ୍ ଠାରୁ ପାଣ୍ଠି ସଂଗ୍ରହ କରିବାକୁ ଥିବା ବେଳେ ସେଥିନିମନ୍ତେ ଭିତ୍ତିଭୂମି ସର୍ଭେ କାର୍ଯ୍ୟ ସମ୍ପାଦନ ନିମନ୍ତେ ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ) ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି l ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପାନୀୟ ଜଳ ପ୍ରକଳ୍ପଗୁଡ଼ିକର ଗୁଣବତ୍ତା ଯାଞ୍ଚ କରିବା ସହ ଲଖନପୁର ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମରେ ଯେପରି ପାନୀୟ ଜଳ ସୁବିଧା ପହଞ୍ଚିପାରିବ, ତାହାକୁ ସୁନିଶ୍ଚିତ କରିବା ପାଇଁ ରାଜସ୍ୱ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।ବୈଠକରେ ମାନ୍ୟବର ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ପ୍ରଦୀପ କୁମାର ସାହୁ, ଲଖନପୁରର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଓ ଆଭାସୀ ମାଧ୍ୟମରେ ଝାରସୁଗୁଡ଼ାର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ନିର୍ବାହି ଅଧିକାରୀ ,ଏମସିଏଲ, ବୁର୍ଲାର ନିର୍ଦ୍ଦେଶକ ତଥା ଅନ୍ୟାନ୍ୟ ଅଧିକାରୀବୃନ୍ଦ ଓ ପାଞ୍ଚାୟତ ସମିତି ଅଧ୍ୟକ୍ଷା ଏବଂ ଜନପ୍ରତିନିଧିଗଣ ଯୋଗ ଦେଇଥିଲେ I










