27.4 C
Bhubaneswar
Wednesday, April 22, 2026
Homeଓଡିଶାଆକ୍ରୋଶର ନିଆଁ ଗାଁରୁ ସହର ପର୍ଯ୍ୟନ୍ତ ବ୍ୟାପିବ, ବିରୋଧୀଙ୍କ ରାଜନୈତିକ ଭବିଷ୍ୟତ ଧୂଳିସାତ୍ ହୋଇଯିବ: ମୁଖ୍ୟମନ୍ତ୍ରୀ

ଆକ୍ରୋଶର ନିଆଁ ଗାଁରୁ ସହର ପର୍ଯ୍ୟନ୍ତ ବ୍ୟାପିବ, ବିରୋଧୀଙ୍କ ରାଜନୈତିକ ଭବିଷ୍ୟତ ଧୂଳିସାତ୍ ହୋଇଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ସଂସଦରେ ବାଧାପ୍ରାପ୍ତ କରି କଂଗ୍ରେସ ସମେତ ଅନ୍ୟାନ୍ୟ ବିରୋଧି ଦଳଗୁଡିକ ଦେଶର ଅଧା ଜନସଂଖ୍ୟା ସହ ବିଶ୍ୱାସଘାତକତା କରିଛନ୍ତି । ମହିଳାଙ୍କ ସାମ୍ବିଧାନିକ ଅଧିକାରକୁ ହତ୍ୟା କରିଛନ୍ତି ବିରୋଧୀ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳାଙ୍କୁ ବିଧାନସଭା ଓ ଲୋକସଭାରେ ୩୩ ପ୍ରତିଶତ ସଂରକ୍ଷଣ ଦେଇ ସେମାନଙ୍କୁ ନୀତି ନିର୍ଦ୍ଧାରଣ ପ୍ରକ୍ରିୟାରେ ସାମିଲ କରିବାକୁ ଚାହୁଁଥିବାବେଳେ ବିରୋଧୀ ଦଳ ଗୁଡିକ ନିଜର ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ପାଇଁ ଏହାକୁ ବିଫଳ କରିଛନ୍ତି । ଏହା କେବଳ “ଏକ ବିଲ୍ ର ପରାଜୟ ନୁହେଁ, ବରଂ ମା’ ମାନଙ୍କ ସ୍ୱପ୍ନର ଭୃଣହତ୍ୟା” । ଏହା ମୋଦିଙ୍କ ପରାଜୟ ନୁହେଁ, ଦେଶର ସମଗ୍ର ମହିଳାଙ୍କ ପାଇଁ ଶକ୍ତ ଧକ୍କା । ବିଶେଷକରି କଂଗ୍ରେସ ଏବଂ ଅନ୍ୟ ବିରୋଧୀଦଳଗୁଡିକ କେବଳ ମହିଳାଙ୍କୁ ଭୋଟ୍ ବ୍ୟାଙ୍କ ଭାବେ ବ୍ୟବହାର କରୁଥିବାବେଳେ, ମୋଦୀ ସରକାର ସେମାନଙ୍କୁ ପ୍ରକୃତ ସଶକ୍ତିକରଣ ପ୍ରଦାନ କରିବାକୁ ସଂକଳ୍ପବଦ୍ଧ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।

ଗତବର୍ଷ କାଶ୍ମୀରର ଘାଟିରେ ଆତଙ୍କବାଦୀଙ୍କ ଦ୍ୱାରା ହତ୍ୟା କରାଯାଇଥିବା ମହିଳା ପର୍ଯ୍ୟଟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ମୋଦୀ ସରକାର ‘ଅପରେସନ ସିନ୍ଦୁର’ ମାଧ୍ୟମରେ ଆତଙ୍କବାଦୀଙ୍କୁ ସମୁଚିତ ଜବାବ ଦେଇ ପ୍ରମାଣିତ କରିଛନ୍ତି ଯେ, ଭାରତୀୟ ନାରୀର ସମ୍ମାନ ଉପରେ ଅଙ୍ଗୁଳି ଉଠାଉଥିବା ବ୍ୟକ୍ତି ନିଶ୍ଚିନ୍ତ ଦଣ୍ଡ ପାଇବେ । ରାଜ୍ୟରେ ମହିଳାଙ୍କ ଆର୍ଥିକ ଆତ୍ମନିର୍ଭରଶୀଳତା ପାଇଁ ‘ସୁଭଦ୍ରା ଯୋଜନା’ ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହାସହ ସେ ଘୋଷଣା କରିଛନ୍ତି ଯେ ଖୁବଶୀଘ୍ର ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା’ ଆରମ୍ଭ ହେବ, ଯେଉଁଥିରେ ଜନ୍ମ ସମୟରେ ୨୦ହଜାର ଟଙ୍କା ଏବଂ ସ୍ନାତକ ଶେଷ ପରେ ୧ଲକ୍ଷ ୧ ଟଙ୍କା ପ୍ରଦାନ କରାଯିବ । ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ‘ଲକ୍ଷପତି ଦିଦି’ ଭାବେ ଗଢିବା ଆମ ସରକାରଙ୍କ ମୂଳ ଲକ୍ଷ୍ୟ । ମୋଦିଙ୍କ ଉପରେ ନାରୀମାନଙ୍କ ଭରସା ଅଛି, ଆଗାମୀ ଦିନରେ ଏହା ପୂରଣ ହେବ । ନାରୀଙ୍କ ଅଧିକାର ପାଇଁ ଲଢେଇ ଜାରି ରହିବ । ଯେଉଁ ନାରୀ ପରିବାର ଚଳାଏ, ସେ ରାଷ୍ଟ୍ରର ନୀତି ନିର୍ଦ୍ଧାରଣ ବି କରିପାରିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।

ବିରୋଧୀ ଦଳର ନେତାମାନେ ପ୍ରଧାନମନ୍ତ୍ରୀ ଓ ନାରୀ ସମାଜ ପ୍ରତି ବ୍ୟବହାର କରୁଥିବା ଅଶୋଭନୀୟ ଭାଷାକୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନିନ୍ଦା କରି କହିଛନ୍ତି ଯେ; ବିରୋଧୀଙ୍କ ୯୯ଟି ପାପ ପୂର୍ଣ୍ଣ ହୋଇସାରିଛି, ୧୦୦ଟି ଗାଳି ପରେ ଶିଶୁପାଳର ଯାହା ଅବସ୍ଥା ହୋଇଥିଲା କଂଗ୍ରେସ ମଧ୍ୟ ସମାନ ଅବସ୍ଥା ଭୋଗିବାକୁ ଯାଉଛି । ଆଜିର ଏହି ଆକ୍ରୋଶର ନିଆଁ ଗାଁରୁ ସହର ପର୍ଯ୍ୟନ୍ତ ବ୍ୟାପିବ ଏବଂ ଏହି ଜନ ଆକ୍ରୋଶରେ ବିରୋଧୀଙ୍କ ରାଜନୈତିକ ଭବିଷ୍ୟତ ଧୂଳିସାତ୍ ହୋଇଯିବ । ମହିଳାମାନେ ଚୁପ୍ ନରହି ନିଜ ଅଧିକାର ପାଇଁ ସ୍ୱର ଉତୋଳନ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହ୍ୱାନ ଦେଇଛନ୍ତି । ନାରୀମାନଙ୍କ ପାଇଁ ସଂସଦରେ ୧୭ ତାରିଖ ଦିନ ଯେଉଁ ଆଲୋଚନା ହୋଇଥିଲା, ତାହା ଦେଶର ଇତିହାସ ବଦଳିଥାନ୍ତା । କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ ଏହି ବିଲକୁ ଅନୁମୋଦନ କରିବାକୁ ଦେଲେ ନାହିଁ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ରାହୁଲ ଗାନ୍ଧୀ ଏବଂ ଅନ୍ୟଦଳ ଗୁଡିକ ଯେଉଁ ଉତ୍ସବ ପାଳନ କଲେ, ତାକୁ ଯେତେ ନିନ୍ଦା କଲେ କମ ହେବ ଏବଂ ଦେଶବାସୀ କେବେହେଲେ କ୍ଷମା ଦେବେ ନାହିଁ । ବିରୋଧୀ ଦଳଙ୍କ ମହିଳା ବିରୋଧୀ ଅଭିମୁଖ୍ୟ ବିରୋଧରେ ଆଜି ରାଜ୍ୟସ୍ତରୀୟ ପଦଯାତ୍ରା ହୋଇଛି । ଆଗାମୀ ଦିନରେ ଏହାକୁ ଜିଲ୍ଲା, ମଣ୍ଡଳ ଓ ବୁଥସ୍ତର ପର୍ଯ୍ୟନ୍ତ ନିଆଯିବ । ମହିଳାମାନଙ୍କୁ ସାମ୍ବିଧାନିକ ସମ୍ମାନ ଦେବା ପାଇଁ ଶେଷ ପର୍ଯ୍ୟନ୍ତ ଲଢେଇ ଜାରୀ ରହିବ । ବିରୋଧୀମାନେ ବିଲ୍‌କୁ ପୁଣି ସମର୍ଥନ କରିବାକୁ ବାଧ୍ୟ ହେବେ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ନାରୀଶକ୍ତି ରାଷ୍ଟ୍ରଶକ୍ତି । ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଅନେକ ପ୍ରଚେଷ୍ଟା କରୁଛନ୍ତି । ବିଜେପି ସଦାସର୍ବଦା ନାରୀମାନଙ୍କ ସମ୍ମାନ ପାଇଁ ଲଢେଇ କରିଛି । ରାଜନୀତି କ୍ଷେତ୍ରରେ ମହିଳାମାନଙ୍କ ଭାଗିଦାରିତାକୁ ନାରୀ ଶକ୍ତି ବନ୍ଦନ ଅଧିନିୟମ ଦୃଢୀଭୁତ କରିବ । କଂଗ୍ରେସ ଓ ବିଜେଡି ଉଭୟ ମହିଳା ବିରୋଧୀ । ମହିଳାମାନଙ୍କୁ ସେମାନଙ୍କ ଅଧିକାରରୁ ବଂଚିତ କରିବା ପାଇଁ ସଂସଦରେ ଏହି ଅଧିନିୟମ ବିରୋଧରେ କଂଗ୍ରେସ ସମେତ ଡିଏମ୍‌କେ, ଟିଏମ୍‌ସି, ସମାଜବାଦୀ ପାର୍ଟି ପ୍ରମୁଖ ଭୋଟ ଦେଇଥିବାବେଳେ ବିଜେଡି ସେମାନଙ୍କୁ ସମର୍ଥନ ଜଣାଇଥିଲା । ଓଡ଼ିଶାର ମହିଳାମାନେ ଏହାକୁ କେବେବି କ୍ଷମା ଦେବେ ନାହିଁ ବୋଲି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଛନ୍ତି । ମହିଳାମାନଙ୍କ ଆକ୍ରୋଶକୁ ସମ୍ମାନ ଓ ସମର୍ଥନ ଜଣାଇ ଭାରତୀୟ ଜନତା ପାର୍ଟିର୍ ତରଫରୁ ଆଜି ରାଜଧାନୀ ଭୁବନେଶ୍ୱରରେ ପ୍ରଦର୍ଶନୀ ପଡ଼ିଆରୁ ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ବିଶାଳ “ଜନ ଆକ୍ରୋଶ ମହିଳା ପଦ ଯାତ୍ରା” ଅନୁଷ୍ଠିତ ହୋଇଯାଇଛି । ଏହି ଯାତ୍ରାରେ ସମାଜରୁ ଆସିଥିବା ପ୍ରତ୍ୟେକ ବର୍ଗର ମହିଳା କଳା ପଟି ପିନ୍ଧି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଏହି ଅବସରରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହେବା ବିରୋଧୀ ନେତାଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଶ୍ରୀ ରବି ନାଏକ, ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ସାଂସଦ ଶ୍ରୀ ପ୍ରତାପ ଷଡଙ୍ଗୀ, ଶ୍ରୀମତୀ ଅନିତା ଶୁଭଦର୍ଶନୀ ପଟ୍ଟନାୟକ, ରାଜ୍ୟ ସାଧାରଣ ସଂପାଦିକା ଶ୍ରୀମତୀ ପୂର୍ଣ୍ଣିମା ନାୟକ, ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ । ପରିଶେଷରେ ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା. ଐଶ୍ଚର୍ଯ୍ୟା ବିଶ୍ୱାଳ ଧନ୍ୟବାଦ ଜ୍ଞାପନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking