ଢେଙ୍କାନାଳ: ଢେଙ୍କାନାଳରେ ହେବ ଜେଏସ୍ଡବ୍ଲୁ ଓ ପୋସ୍କୋର କାରଖାନା । ଏନେଇ ସ୍ବାକ୍ଷିରିତ ହୋଇଛି ଗୁରୁତ୍ବପୂର୍ଣ୍ଣ ଚୁକ୍ତି । ଶିଳ୍ପପତି ସଜ୍ଜନ ଜିନ୍ଦଲଙ୍କ କମ୍ପାନି ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ଓ ଦକ୍ଷିଣ କୋରିଆର ପୋସ୍କୋ ମଧ୍ୟରେ ଯୌଥ ଉଦ୍ୟୋଗ ସ୍ଥାପନକୁ ନେଇ ଗୁରୁତ୍ବପୂର୍ଣ୍ଣ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଉଭୟ କମ୍ପାନି ମିଶି ଓଡ଼ିଶାରେ ବାର୍ଷିକ ୬ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଇସ୍ପାତ୍ କାରଖାନା ସ୍ଥାପନ କରିବେ । ଏହି କାରଖାନା କେଉଁ ସ୍ଥାନରେ ପ୍ରତିଷ୍ଠା ହେବ ତାହାକୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜିଲ୍ଲା କେନ୍ଦୁଝରରେ ଉକ୍ତ କାରଖାନା ନିର୍ମାଣ କରାଯିବ ବୋଲି ବ୍ୟାପକ ପ୍ରଚାର କରାଯାଉଥିଲା । କିନ୍ତୁ ଜେଏସ୍ଡବ୍ଲ୍ୟୁ ଗ୍ରୁପ୍ ପକ୍ଷରୁ ଆଜି ସୂଚନା ଦିଆଯାଇଛି ଯେ, ପ୍ରସ୍ତାବିତ କାରଖାନା ଢେଙ୍କାନାଳ ଜିଲ୍ଲାରେ ସ୍ଥାପନ କରାଯିବ। ସେଠାରେ କମ୍ପାନି ପାଖରେ ପୂର୍ବରୁ ଜମି ଥିବା ଜେଏସ୍ଡବ୍ଲ୍ୟୁ ଜଣାଇଛି। ପ୍ରସ୍ତାବିତ କାରଖାନାରେ ଅଟୋମୋବାଇଲ୍ ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ପାଇଁ ଉଚ୍ଚ ମାନର ଇସ୍ପାତ ଉତ୍ପାଦନ କରାଯିବ। ଏହି ପ୍ରକଳ୍ପରେ ୩୫ ହଜାର କୋଟି ଟଙ୍କା ନିବେଶ ହେବ। ନୂଆଦିଲ୍ଲୀରେ ଅନୁଷ୍ଠିତ ଭାରତ-କୋରିଆ ବ୍ୟବସାୟ ସମ୍ମିଳନୀ ଅବସରରେ ଜେଏସ୍ଡବ୍ଲ୍ୟୁ ଓ ପୋସ୍କୋ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର ହୋଇଯାଇଛି।










