ନୂଆଦିଲ୍ଲୀ: ଛଅ ସପ୍ତାହ ଧରି ଚାଲିଥିବା ଭୟଙ୍କର ଯୁଦ୍ଧ ଟିକେ ନିଶ୍ବାସ ମାରିବା ପରେ ଫଟାଫଟ୍ ବଢ଼ିଯାଇଥିଲା ସୁନା ଓ ରୁପାର ଭାଉ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୫ ଦିନିଆ ଯୁଦ୍ଧବିରତି ଘୋଷଣା କରିବା ପରେ ସୁନା,ରୁପା ବଜାରରେ ତୀବ୍ର ବୃଦ୍ଧି ଦେଖିବାକୁ ମିଳିଥିଲା । କିନ୍ତୁ ମାତ୍ର ଗୋଟିଏ ଦିନ ପରେ ପୁଣିଥରେ ଶସ୍ତା ହୋଇଛି ସୁନା-ରୁପା । ଯଦି ଆଗକୁ ଘରେ ବାହାଘର ଅଛି ତା’ହେଲେ ଆଉ ଡେରୀ ନକରି ତୁରନ୍ତ କିଣିନିଅନ୍ତୁ ସୁନା,ରୁପା । ସପ୍ତାହର ଚତୁର୍ଥ ବାଣିଜ୍ୟ ଦିନରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ଫ୍ୟୁଚର୍ସ କାରବାର ଆରମ୍ଭ ହେବା ମାତ୍ରେ ରୁପାର ମୂଲ୍ୟ ଗୋଟିଏ ଝଟକାରେ ୪୭୦୦ ଟଙ୍କାରୁ ଅଧିକ ହ୍ରାସ ପାଇଛି । ଏହି ହ୍ରାସ ପରେ, ୧ କିଲୋଗ୍ରାମ ରୁପାର ମୂଲ୍ୟ ସର୍ବୋଚ୍ଚ ମୂଲ୍ୟଠାରୁ ୨.୦୪ ଲକ୍ଷ ଟଙ୍କା ହ୍ରାସ ପାଇଛି । ରୁପା ସହିତ ସୁନା ମୂଲ୍ୟ ମଧ୍ୟ କମିଛି । ବୁଧବାର MCX ରୁପା ମୂଲ୍ୟ ପ୍ରତି କିଲୋଗ୍ରାମ ୨ ଲକ୍ଷ ୩୯ ହଜାର ୯୧୮ ଟଙ୍କାରେ ବନ୍ଦ ହୋଇଥିଲା କିନ୍ତୁ ଗୁରୁବାର ବଜାର ଖୋଲିବା ମାତ୍ରେ ୨ ଲକ୍ଷ ୩୫ ହଜାର ୧୩୩ କୁ ହ୍ରାସ ପାଇଥିଲା ।










