26.4 C
Bhubaneswar
Tuesday, April 7, 2026
Homeଓଡିଶାଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସଂଘ ସହ ଆଲୋଚନା ଅନୁଷ୍ଠିତ

ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସଂଘ ସହ ଆଲୋଚନା ଅନୁଷ୍ଠିତ

ଭୁବନେଶ୍ୱର:  ରାଜ୍ୟରେ ସବୁ ସମୟରେ ଖାଉଟିମାନଙ୍କ ପାଇଁ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ କରାଇବା ଓ ଯୋଗାଣ ଶୃଙ୍ଖଳକୁ ଅବ୍ୟାହତ ରଖିବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାର ଵ୍ୟବସାୟୀ ସଂଘର ପ୍ରତିନିଧି ମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଛି । ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଯୋଗାଣ ନିଗମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ ବିଭିନ୍ନ ଜିଲ୍ଲାର ଵ୍ୟବସାୟୀ ସଂଘର ପ୍ରତିନିଧି ମାନେ ଯୋଗ ଦେଇଥିଲେ । ବିଭିନ୍ନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟବୃଦ୍ଧି ନିୟନ୍ତ୍ରଣ,ଖାଦ୍ୟ ସାମଗ୍ରୀର ବଜାର ଉପଲବ୍ଧତା, ସାମଗ୍ରୀର ଅନାବଶ୍ୟକ ମହଜୁଦ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଛି । ଏଥିନିମନ୍ତେ ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିନିଧି ମାନେ ପ୍ରତିଶ୍ରୁତି ଦେଇଥିଲେ । ଏଥିସହ ବ୍ୟବସାୟୀ ଓ ଖାଉଟି ମାନଙ୍କ ସ୍ୱାର୍ଥ ରକ୍ଷା ଦିଗରେ ସରକାରଙ୍କ ସହ ସମନ୍ୱୟ ରଖିବା ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି । ଏତଦବ୍ୟତୀତ ପ୍ରତି ଜିଲ୍ଲାରେ ପରିବା ମଣ୍ଡି ପ୍ରତିଷ୍ଠା, ସ୍ୱତନ୍ତ୍ର ବ୍ୟବସାୟିକ ପେଣ୍ଠସ୍ଥଳୀ ନିର୍ମାଣ ଉପରେ ପ୍ରତିନିଧି ମାନଙ୍କ ଦାବିକୁ ଗୁରୁତର ଭାବେ ଗ୍ରହଣ କରି ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ଶ୍ରୀ ପାତ୍ର ପ୍ରତିଶ୍ରୁତି ଦେଇଥିଲେ । ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସହ ଏ ଦିଗରେ ଆଲୋଚନା କରାଯିବ ବୋଲି ମନ୍ତ୍ରୀ କହିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ପୁରନ୍ଦର ଧରୁଆ,ବିପ୍ପଣୀ ଗୁପ୍ତବାର୍ତ୍ତା ଉପନିର୍ଦ୍ଦେଶକ ଶ୍ରୀ ଦୀପକ ଶତପଥୀ,ରାଜ୍ୟର ବିଭିନ୍ନ ଵ୍ୟବସାୟୀ ସଂଘର ପ୍ରତିନିଧି ଶ୍ରୀ ସୁଧାକର ପଣ୍ଡା, ଶ୍ରୀ ଶକ୍ତିଶଙ୍କର ମିଶ୍ର, ଶ୍ରୀ କବିରାଜ ସ୍ୱାଇଁଙ୍କ ସମେତ କଟକ, ବାଲେଶ୍ଵର, ଗଞ୍ଜାମ ତଥା ବଲାଙ୍ଗୀର ଆଦି ଜିଲ୍ଲାର ବ୍ୟବସାୟୀ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking