27.7 C
Bhubaneswar
Tuesday, April 7, 2026
Homeଓଡିଶାତୃଣମୂଳ ଶାସନ ପାଇଁ ଦକ୍ଷତା ବିକାଶର ପୁନଃକଳ୍ପନା” କର୍ମଶାଳା ଆୟୋଜିତ

ତୃଣମୂଳ ଶାସନ ପାଇଁ ଦକ୍ଷତା ବିକାଶର ପୁନଃକଳ୍ପନା” କର୍ମଶାଳା ଆୟୋଜିତ

ଭୁବନେଶ୍ୱର: ସାରା ଦେଶରେ ପାଳିତ ହେଉଥିବା ‘ସାଧନା ସପ୍ତାହ’ (୨-୮ ଏପ୍ରିଲ ୨୦୨୬) ଅଭିଯାନର ଅଂଶସ୍ୱରୂପ ଆଜି ଭୁବନେଶ୍ୱର କୃଷିଭବନଠାରେ “ତୃଣମୂଳ ଶାସନ ପାଇଁ ଦକ୍ଷତା ବିକାଶର ପୁନଃକଳ୍ପନା” (Reimagining Capacity Building for Grassroots Governance) ଶୀର୍ଷକ ଏକ କର୍ମଶାଳା ସଫଳତାର ସହ ଆୟୋଜିତ ହୋଇଯାଇଛି। କ୍ୟାପାସିଟି ବିଲଡିଂ କମିଶନ (ସିବିସି), କର୍ମଚାରୀ ଚୟନ ଓ ପ୍ରଶିକ୍ଷଣ ବିଭାଗ, କର୍ମଯୋଗୀ ଭାରତ ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ “ପ୍ରଯୁକ୍ତିବିଦ୍ୟା, ପରମ୍ପରା ଏବଂ ବାସ୍ତବ ପରିଣାମ” ଆଧାରରେ ତୃଣମୂଳ ସ୍ତରର ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଆଲୋଚନା କରାଯାଇଥିଲା।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ କହିଛନ୍ତି ଯେ, ସାମଗ୍ରିକ ଓ ସ୍ଥାୟୀ ବିକାଶ ପାଇଁ ଶକ୍ତିଶାଳୀ ପଞ୍ଚାୟତ ହେଉଛି ମୂଳଦୁଆ। ପଞ୍ଚାୟତିରାଜ ପ୍ରତିନିଧିମାନଙ୍କୁ ସଶକ୍ତ କରିବା ପାଇଁ ଏକ ନିରନ୍ତର ଓ ଦକ୍ଷତା ଭିତ୍ତିକ ପ୍ରଶିକ୍ଷଣ ବ୍ୟବସ୍ଥାର ଆବଶ୍ୟକତା ରହିଛି। କର୍ମଯୋଗୀ ସରକାରୀ ଅଧିକାରୀଙ୍କ ସହାୟତାରେ ପଞ୍ଚାୟତ ସ୍ତରରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ସେ ସଂକଳ୍ପବଦ୍ଧ ବୋଲି ପ୍ରକାଶ କରିଥିଲେ।

କାପାସିଟି ବିଲଡିଂ କମିଶନର ସଦସ୍ୟ (ଏଚଆର) ଡଃ ଆର. ବାଲାସୁବ୍ରମଣ୍ୟମ ‘ମିଶନ କର୍ମଯୋଗୀ’ର ପରିକଳ୍ପନା ଏବଂ ସରକାରୀ କ୍ଷେତ୍ରରେ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ସିବିସିର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ସେ ଶାସନ ବ୍ୟବସ୍ଥାକୁ ‘ନିୟମ-ଭିତ୍ତିକ’ରୁ ‘ଭୂମିକା-ଭିତ୍ତିକ’କୁ ପରିବର୍ତ୍ତନ କରିବା ଏବଂ ନାଗରିକ-କୈନ୍ଦ୍ରିକ ସେବା ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ। ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ ରାଜେଶ କୁମାର ସିଂ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର-ତଥା -ସଚିବ ଶ୍ରୀ ଗିରିଶ ଏସ୍.ଏନ୍, ଏସଆଇଆରଡି ନିର୍ଦ୍ଦେଶିକା ଶ୍ରୀମତୀ ମଧୁସ୍ମିତା ସାମଲଙ୍କ ସହ ଓଡ଼ିଶା ପଞ୍ଚାୟତିରାଜ ବିଭାଗର ଅନ୍ୟାନ୍ୟ ଅଧିକାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନିଜର ମତାମତ ରଖିଥିଲେ।

ଏହି କର୍ମଶାଳାରେ “ବିକଶିତ ପଞ୍ଚାୟତ କର୍ମଯୋଗୀ” ଅଭିଯାନ ଉପରେ ସବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏହି ଅବସରରେ ପଞ୍ଚାୟତିରାଜ କର୍ମଚାରୀଙ୍କ ପାଇଁ ଏକ କୃତ୍ରିମ ପ୍ରଜ୍ଞା-ଆଧାରିତ (AI based) ‘ବିକଶିତ ପଞ୍ଚାୟତ’ ହ୍ୱାଟସଆପ୍ ଚାଟବଟ୍ ଏବଂ ସ୍ୱତନ୍ତ୍ର ଇ-ଲର୍ନିଂ ମଡ୍ୟୁଲ ଉନ୍ମୋଚିତ ହୋଇଛି। ଆଇଗଟ କର୍ମଯୋଗୀ ପ୍ଲାଟଫର୍ମ ମାଧ୍ୟମରେ ଏହି ସୁବିଧା ଉପଲବ୍ଧ ହେବ, ଯାହା ଗ୍ରାମ ପଞ୍ଚାୟତ ପ୍ରତିନିଧିମାନଙ୍କୁ ବୈଷୟିକ ଜ୍ଞାନକୌଶଳ ଏବଂ ସମସ୍ୟାର ତୁରନ୍ତ ସମାଧାନ କ୍ଷେତ୍ରରେ ସାହାଯ୍ୟ କରିବ। ସୂଚନାଯୋଗ୍ୟ ଯେ, ଏହି ଅଭିଯାନ ଅଧୀନରେ ଓଡ଼ିଶାର କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ ଏବଂ ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକର ଗ୍ରାମ ପଞ୍ଚାୟତଗୁଡ଼ିକୁ ପାଇଲଟ ପ୍ରକଳ୍ପ ଭାବେ ଚୟନ କରାଯାଇଛି। ଦେଶର ମୋଟ ୬୦ଟି ପଞ୍ଚାୟତରେ ଚାଲିଥିବା ଏହି ପାଇଲଟ ପ୍ରକଳ୍ପ ମାଧ୍ୟମରେ ତୃଣମୂଳ ସ୍ତରରେ ଡିଜିଟାଲ ଶିକ୍ଷା, ଗ୍ରାମସଭାରେ ସକ୍ରିୟ ଅଂଶଗ୍ରହଣ ଏବଂ ସ୍ଥାନୀୟ ଆବଶ୍ୟକତା ଅନୁଯାୟୀ ବିକାଶ ମୂଳକ ଯୋଜନା ପ୍ରସ୍ତୁତ କରାଯାଉଛି। ଶେଷରେ, ବିକଶିତ ଭାରତ ବିକଶିତ ଓଡିଶା ଗଠନ ପାଇଁ ବିକଶିତ ପଞ୍ଚାୟତର ଗୁରୁତ୍ୱକୁ ସମସ୍ତ ପ୍ରତିନିଧି ସ୍ୱୀକାର କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking