34.1 C
Bhubaneswar
Saturday, April 4, 2026
Homeଓଡିଶାପିଲାଙ୍କ ପାଠ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ, ହାତଧରି ଲେଖାଇଲେ ମା’, ‘ବାପା’

ପିଲାଙ୍କ ପାଠ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ, ହାତଧରି ଲେଖାଇଲେ ମା’, ‘ବାପା’

ଭୁବନେଶ୍ୱର:  ରାଜ୍ୟର ପ୍ରତି ଗାଁରେ, ପ୍ରତି ସାହିଗଳିରେ ବିଦ୍ୟା ଆରମ୍ଭ ପର୍ବକୁ ଉତ୍ସବ ଭାବେ ପାଳନ କରାଯାଉଛି। ଏହାଦ୍ୱାରା ପିଲାଙ୍କ ନାମଲେଖା ପାଇଁ ବାପା ମା’ମାନେ ଉତ୍ସାହିତ ହେଉଛନ୍ତି। ଆଜି ରାଜ୍ୟ ସ୍ତରୀୟ  ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ଭୁବନେଶ୍ୱର ରାଜଭବନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ଖଡି ଓ ସିଲଟରେ ମା’ ଓ ବାପା ଶବ୍ଦ ଲେଖାଇ ପାଠପଢା ଆରମ୍ଭ କରାଇଥିଲେ। ଜଣେ ଅନୁଭବୀ ଶିକ୍ଷକ ଓ ମୁରବି ଭଳି ପିଲାର ମାନସିକତାକୁ ଲକ୍ଷ୍ୟ କରି ମୁଖ୍ୟମନ୍ତ୍ରୀ ପିଲାଙ୍କ ମନ ଜିଣିଲା ଭଳି ପିଲାଙ୍କୁ ପଚାରିଥିଲେ ‘ମା’ଙ୍କ ନାଁ କଣ? ବାପାଙ୍କ ନାଁ କଣ? ମାମୁଁ ଘର କେଉଁଠି? କଣ ଖାଇକି ଆସିଛ? ଇତ୍ୟାଦି’। ଏହିପରି ମନକୁ ଛୁଇଁଲା ପରି କଥାବାର୍ତ୍ତା ଜରିଆରେ ସେମାନଙ୍କର ଉତ୍ସାହ ବୃଦ୍ଧି କରି ବିଦ୍ୟାରମ୍ଭକୁ ସହଜ କରିଥିଲେ ମୁଖ୍ୟମନ୍ତ୍ରୀ ।

ପ୍ରଥମେ ମୁଖ୍ୟମନ୍ତ୍ରୀ ‘ନିପୁଣ ଓଡିଶା’ ଓ ‘ପଢିବା, ଗଢିବା ଓଡିଶା’ ଅଭିଯାନରେ ବିଭିନ୍ନ ବିଦ୍ୟାଳୟମାନଙ୍କରେ ପିଲାଙ୍କ ପାଇଁ ବିକଶିତ କରାଯାଇଥିବା ବିଷୟବସ୍ତୁ ଆଧାରିତ ଶିକ୍ଷଣୀୟ ସାମଗ୍ରୀ ପ୍ରଦର୍ଶନୀକୁ ବୁଲି ଦେଖିଥିଲେ।  ଏହି ଅବସରରେ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ଶିକ୍ଷା ସହାୟତା ସାମଗ୍ରୀ କିଟ୍ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ପିଲାଙ୍କ ଦ୍ୱାରା ଅନୁଷ୍ଠିତ ହେଉଥିବା ଚିତ୍ରାଙ୍କନ ଷ୍ଟଲକୁ ବୁଲି ଦେଖିବା ସହିତ ପିଲାମାନଙ୍କୁ ପ୍ରଶଂସା କରିଥିଲେ। ଛୋଟ ଛୋଟ ପିଲାମାନେ ମଧ୍ୟ ସେମାନଙ୍କ ସ୍ୱଅଙ୍କିତ ଚିତ୍ର ମୁଖ୍ୟମନ୍ତ୍ରୀଙ୍କୁ ଉପହାର ଦେଇଥିଲେ।

ପିଲାମାନଙ୍କୁ ତଥା ଉପସ୍ଥିତ ଅଭିଭାବକମାନଙ୍କୁ ଶୁଭକାମନା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଖଡିଛୁଆଁ ଆମ ଓଡିଆ ସଂସ୍କୃତିରେ ଏକ ପବିତ୍ର ପରମ୍ପରା। ଗତ ବର୍ଷଠାରୁ ଏହି ପରମ୍ପରାକୁ ସରକାରୀ ସ୍ତରରେ କାର୍ଯ୍ୟକାରୀ କରାଯାଇଛି। ପିଲାଙ୍କ ନାମଲେଖା ହାରକୁ ବ୍ୟାପକ କରିବା ଲକ୍ଷ୍ୟରେ ଆମେ ରାଜ୍ୟରେ ରେକର୍ଡ ସଂଖ୍ୟକ ପ୍ରାୟ ୫ ଲକ୍ଷ ନିମନ୍ତ୍ରଣ ପତ୍ର ଚଳିତ ବର୍ଷ ବଣ୍ଟନ କରିଛୁ। ରାଜ୍ୟରେ କୌଣସି ବି ଶିଶୁ ଯେପରି ଶିକ୍ଷାରୁ ବଞ୍ଚିତ ନହୁଅନ୍ତୁ, ତାକୁ ସୁନିଶ୍ଚିତ କରିବା ପାଇଁ ଆମେ ଏହି ଉତ୍ସବ ଆରମ୍ଭ କରିଛୁ। ଶିଶୁର ମନରେ ଶିକ୍ଷାପ୍ରତି ଯେପରି ଭୟ ନୁହଁ, ଆଗ୍ରହ ଓ ଶ୍ରଦ୍ଧା ସୃଷ୍ଟି ହେବ, ଆମେ ସେଥିପାଇଁ ସମସ୍ତ ପଦକ୍ଷେପ ନେଉଛୁ। ଆମର ଲକ୍ଷ୍ୟ ହେଉଛି ଶତ ପ୍ରତିଶତ ନାମଲେଖା ବୋଲି ସେ କହିଥିଲେ। ନୂତନ ଶିକ୍ଷାନୀତି ଅନୁଯାୟୀ ଅଙ୍ଗନବାଡି ଗୁଡିକ  ପର୍ଯ୍ୟାୟକ୍ରମେ ଶିଶୁବାଟିକାରେ ମିଶିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆପଣମାନେ ସରକାରଙ୍କ ବିଭିନ୍ନ ଯୋଜନା ଓ ଜନସାଧାରଣଙ୍କ ମଧ୍ୟରେ ଏକ ସେତୁ ଭଳି କାମ କରିଥାନ୍ତି। ଓଡିଶାର ପ୍ରତିଟି ଶିଶୁ ହେଉଛି ଆମର ଭବିଷ୍ୟତ। ତେଣୁ ଶିକ୍ଷା ହିଁ ପ୍ରକୃତ ସମ୍ପଦ ବୋଲି ଜନସଚେତନତା ସୃଷ୍ଟି କରନ୍ତୁ। ଆମର ଏହି ଶିକ୍ଷା ଅଭିଯାନକୁ ଆପଣମାନେ ବିଭିନ୍ନ ଗଣମାଧ୍ୟମ ଜରିଆରେ ରାଜ୍ୟବ୍ୟାପୀ ଏକ ଆନ୍ଦୋଳନରେ ପରିଣତ କରନ୍ତୁ। ଶିକ୍ଷକ ଶକ୍ଷୟିତ୍ରୀମାନଙ୍କୁ ପରାମର୍ଶ ଦେଇ କହିଲେ ଯେ, ପିଲାମାନଙ୍କୁ ନିଜ ପିଲାଭଳି ସ୍ନେହ କରନ୍ତୁ, ସେମାନଙ୍କ ପ୍ରତିଭାକୁ ସଠିକ୍ ଭାବେ ନିରୁପଣ କରି ତା’ର ବିକାଶ ପ୍ରତି ଯତ୍ନବାନ ହୁଅନ୍ତୁ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଏକାମ୍ର-ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂ, ଖୋର୍ଦ୍ଧା ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ଜଗଦେବ, ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ, ସମାଜସେବୀ ଶ୍ରୀ ଜଗନ୍ନାଥ ପ୍ରଧାନ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଏନ୍. ଥିରୁମାଲା ନାୟକ, ଓସେପାର ପ୍ରକଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ଅନନ୍ୟା ଦାସ ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking