ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ବଢୁଥିବା ଯୁଦ୍ଧ ଯୋଗୁଁ ଏଲପିଜି ଯୋଗାଣ ବାଧାପ୍ରାପ୍ତ ହେବା ଫଳରେ ଭାରତ ପ୍ରମୁଖ ଶିଳ୍ପ ସହର ମୁମ୍ବାଇ ଏବଂ ସୁରଟରୁ ଶ୍ରମିକମାନଙ୍କରେ ଏକ ବଡ ଧରଣର ପଳାୟନ ଆରମ୍ଭ ହୋଇଛି । ଗ୍ୟାସର ପ୍ରବଳ ଅଭାବ ଏବଂ କଳାଜାରରେ ଏହାର ଦର କିଲୋ ପ୍ରତି ୫୦୦ ଟଙ୍କାକୁ ବୃଦ୍ଧି ପାଇବା ଯୋଗୁଁ ପ୍ରବାସୀ ଶ୍ରମିକମାନେ ଖାଦ୍ୟ ରାନ୍ଧିବାକୁ ଅସମର୍ଥ ହେଇ ପରିବାର ସହ ନିଜ ଗାଁ ଅଭିମୁଖେ ବାହାରିଛନ୍ତି । ମଙ୍ଗଳବାର ସୁରଟର ଉଦ୍ଧନା ରେଳ ଷ୍ଟେସନ ଏବଂ ମୁମ୍ବାଇର ପ୍ରମୁଖ ଷ୍ଟେସନଗୁଡିକରେ ହଜାର ହଜାର ଶ୍ରମିକଙ୍କ ଅସମ୍ଭାଳ ଭିଡ ଦେଖିବାକୁ ମିଳିି । ଯାହାଫଳରେ ଗୁଜୁରାଟର ଟେକ୍ସଟାଇଲ ଶିଲ୍ପରେ ଶ୍ରମିକ ଅଭାବ ପରି ଏକ ଗମ୍ଭୀର ସମସ୍ୟା ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ, ଗ୍ୟାସ ସସିଲିଣ୍ଡର ମିଳୁନଥିବାରୁ ଏବଂ ରୁମ ମାଲିକମାନେ କାଠ ଜାଳି ରୋଷେଇ କରିବାକୁ ବାରଣ କରିଥିବାରୁ ଅନେକ ଶ୍ରମିକ ଦିନ ଦିନ ଧରି ଉପାସ ରହୁଛନ୍ତି । ମୁମ୍ବାଇରୁ ଉତ୍ତରପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା କାମାୟନୀ ଏକ୍ସପ୍ରେସ ଓ ହାଓଡ଼ା ମେଲ୍ ଭଳି ଟ୍ରେନଗୁଡ଼ିକରେ ଯାତ୍ରୀ ସଂଖ୍ୟା କ୍ଷମତାଠାରୁ ଅଧିକ ରହୁଛି।










