29.1 C
Bhubaneswar
Tuesday, September 1, 2026
Homeଓଡିଶା୨ ସେପ୍ଟେମ୍ବରରେ ୟୁଏନ୍‌ଡିପି ଓ ସିଭିକ୍‌ଡାଟାଲ୍ୟାବ୍‌ ସହ ଓସଡମାର ଦୁଇ ବୁଝାମଣାପତ୍ର ସ୍ୱାକ୍ଷର

୨ ସେପ୍ଟେମ୍ବରରେ ୟୁଏନ୍‌ଡିପି ଓ ସିଭିକ୍‌ଡାଟାଲ୍ୟାବ୍‌ ସହ ଓସଡମାର ଦୁଇ ବୁଝାମଣାପତ୍ର ସ୍ୱାକ୍ଷର

ଭୁବନେଶ୍ୱର : ଓଡ଼ିଶାରେ ବିପର୍ଯ୍ୟୟ ବିପଦର ଆକଳନ, ତଥ୍ୟ ପରିଚାଳନା, ଡିଜିଟାଲ୍ ଭିତ୍ତିଭୂମି ଏବଂ ତଥ୍ୟଭିତ୍ତିକ ନିଷ୍ପତ୍ତି ଗ୍ରହଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସଡମା) ପକ୍ଷରୁ ୟୁଏନ୍‌ଡିପି (UNDP) ଏବଂ ସିଭିକ୍‌ଡାଟାଲ୍ୟାବ୍‌ (CDL – CivicDataLab) ସହ ଆସନ୍ତା ୨ ସେପ୍ଟେମ୍ବର ୨୦୨୬ରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷର କରାଯିବ। ଏହି ଦୁଇ ସହଭାଗିତା ମାଧ୍ୟମରେ ଓଡ଼ିଶାରେ ଅଧିକ ତଥ୍ୟଭିତ୍ତିକ, ପରସ୍ପର ସମନ୍ୱିତ ଏବଂ ବିପଦ-ସଚେତନ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ଗଠନ ଦିଗରେ ପଦକ୍ଷେପ ନିଆଯିବ।

ଓସଡମା-ୟୁଏନ୍‌ଡିପି ବୁଝାମଣାପତ୍ର:
ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରେ ବ୍ୟାପକ ହାଜାର୍ଡ, ରିସ୍କ ଆଣ୍ଡ ଭଲ୍ନେରାବିଲିଟି ଆସେସମେଣ୍ଟ (ଏଚ୍‌ଆର୍‌ଭିଏ) କରିବ ନିମନ୍ତେ ଓସଡମା ଓ ୟୁଏନ୍‌ଡିପି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହେବ। ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓସଡମା ପାଇଁ ଏକ ରାଜ୍ୟ-ମାଲିକାନାଧୀନ, ଜିଆଇଏସ୍‌ ସକ୍ଷମ ଏଚ୍‌ଆର୍‌ଭିଏ ପ୍ଲାଟଫର୍ମ ବିକଶିତ କରିବା। ଏହା ମାଧ୍ୟମରେ ରାଜ୍ୟରେ ବିଭିନ୍ନ ବିପଦର ତଥ୍ୟଭିତ୍ତିକ ଆକଳନ କରାଯାଇପାରିବ। ବିପଦ, ଏକ୍ସପୋଜର, ଭଲନରେବିଲିଟି ଏବଂ ସାମଗ୍ରିକ ବିପଦ ଆଶଙ୍କା ସମ୍ପର୍କରେ ଅଧିକ ସ୍ପଷ୍ଟ ଚିତ୍ର ମିଳିବା ସହ ବିଭିନ୍ନ ପ୍ରଶାସନିକ ସ୍ତରରେ ତଥ୍ୟଭିତ୍ତିକ ଯୋଜନା ଓ ନିଷ୍ପତ୍ତି ଗ୍ରହଣରେ ଏହା ସହାୟକ ହେବ।

ଓସଡମା-ସିଡିଏଲ୍‌ ବୁଝାମଣାପତ୍ର :
ଏହା ଏକ ଅଣ-ଆର୍ଥିକ ବୁଝାମଣାପତ୍ର। ଓସଡମା ଓ ସିଭିକ୍‌ଡାଟାଲ୍ୟାବ୍‌ (ସିଡିଏଲ୍‌) ବା CivicDataLab ମଧ୍ୟରେ ସ୍ୱାକ୍ଷରିତ ହେବାକୁ ଥିବା ଦ୍ୱିତୀୟ ବୁଝାମଣାପତ୍ରର ଉଦ୍ଦେଶ୍ୟ ହେଉଛି ଓଡ଼ିଶାରେ *ବିପର୍ଯ୍ୟୟ ବିପଦ ହ୍ରାସ (ଡିଆର୍‌ଆର୍‌) ବା Disaster Risk Reduction ପାଇଁ ଡିଜିଟାଲ୍ ପବ୍ଲିକ୍ ଇନ୍‌ଫ୍ରାଷ୍ଟ୍ରକ୍ଚର (ଡିପିଆଇ) ର ବିକାଶ ଓ ରୂପରେଖା ପ୍ରସ୍ତୁତ କରିବା। ଏହି ପଦକ୍ଷେପର ଉଦ୍ଦେଶ୍ୟ ଆଉ ଏକ ସ୍ୱତନ୍ତ୍ର ଡିଜିଟାଲ୍ ପ୍ଲାଟଫର୍ମ ଗଠନ କରିବା ନୁହେଁ; ବରଂ ବିପର୍ଯ୍ୟୟ ସମ୍ପର୍କିତ ତଥ୍ୟ କିପରି ସଂଗୃହୀତ, ପରିଚାଳିତ, ଆଦାନପ୍ରଦାନ, ସମନ୍ୱିତ ଏବଂ ବ୍ୟବହୃତ ହେବ, ସେଥିପାଇଁ ଏକ ସମନ୍ୱିତ ଓ ପରସ୍ପର ସଂଯୋଗକ୍ଷମ ତଥ୍ୟ ପରିବେଶ ସୃଷ୍ଟି କରିବା।

ଏହି ଦୁଇ ପଦକ୍ଷେପର ସମନ୍ୱୟ ଓଡ଼ିଶାରେ ବିପଦ-ସଚେତନ ଶାସନ ବ୍ୟବସ୍ଥା, ଆଗୁଆ ପଦକ୍ଷେପ, ବିପର୍ଯ୍ୟୟ ପ୍ରସ୍ତୁତି, ପ୍ରଶମନ ଏବଂ ସହନଶୀଳ ବିକାଶ ଯୋଜନା ପାଇଁ ଏକ ଅଧିକ ସୁଦୃଢ଼ ଭିତ୍ତି ସୃଷ୍ଟି କରିବ।

ୟୁଏନ୍‌ଡିପି ସମ୍ପର୍କରେ :
ୟୁଏନ୍‌ଡିପି ୧୯୫୧ ମସିହାରୁ ଭାରତରେ ମାନବ ବିକାଶର ପ୍ରାୟ ସମସ୍ତ କ୍ଷେତ୍ର ସହିତ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମଧ୍ୟ କାର୍ଯ୍ୟ କରିଆସୁଛି। ବିପର୍ଯ୍ୟୟ ବିପଦ ହ୍ରାସ (Disaster Risk Reduction) ଏବଂ ସମୁଦାୟଭିତ୍ତିକ ବିପର୍ଯ୍ୟୟ ପ୍ରସ୍ତୁତି (Community Based Disaster Preparedness) କ୍ଷେତ୍ରରେ ୟୁଏନ୍‌ଡିପିର ଦୀର୍ଘ ଅଭିଜ୍ଞତା ରହିଛି। ଓଡ଼ିଶା ସରକାରଙ୍କ ସହ ମଧ୍ୟ ୟୁଏନ୍‌ଡିପିର ଦୀର୍ଘଦିନର ସହଭାଗିତା ରହିଛି।
ଓଡ଼ିଶାରେ ବିପର୍ଯ୍ୟୟ ପ୍ରସ୍ତୁତି, ସହନଶୀଳ ଗୃହ ନିର୍ମାଣ, ଜଳବାୟୁ ସହନଶୀଳତା, ସମୁଦାୟସ୍ତରୀୟ ଦକ୍ଷତା ବିକାଶ ଏବଂ ସ୍ଥାନୀୟସ୍ତରର ବିଭିନ୍ନ ପଦକ୍ଷେପ ମାଧ୍ୟମରେ ସମୁଦାୟର ସହନଶୀଳତା ବୃଦ୍ଧି ଦିଗରେ ୟୁଏନ୍‌ଡିପି ସହଯୋଗ କରିଆସିଛି। ଏଥିସହ ବୃହନ୍‌ମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ୍‌ (ବିଏମ୍‌ସି) ଅଞ୍ଚଳରେ ମଧ୍ୟ ୟୁଏନ୍‌ଡିପି ଏଚ୍‌ଆର୍‌ଭିଏ ଅଧ୍ୟୟନ କରିଛି। ଏହି ଅଭିଜ୍ଞତା ଓ ବିଶେଷଜ୍ଞତାକୁ ଆଧାର କରି ଓସଡମା- ୟୁଏନ୍‌ଡିପି ସହଯୋଗରେ ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରେ ବ୍ୟାପକ ଏଚ୍‌ଆର୍‌ଭିଏ କାର୍ଯ୍ୟକାରୀ କରିବ।

ସିଭିକ୍‌ଡାଟାଲ୍ୟାବ୍‌ ସମ୍ପର୍କରେ:
ସିଭିକ୍‌ଡାଟାଲ୍ୟାବ୍‌ (CivicDataLab) ହେଉଛି ଏକ ଗବେଷଣା ପ୍ରତିଷ୍ଠାନ, ଯାହା ତଥ୍ୟ ଓ ପ୍ରଯୁକ୍ତିର ସମନ୍ୱୟ ମାଧ୍ୟମରେ ତଥ୍ୟଭିତ୍ତିକ ଶାସନ ବ୍ୟବସ୍ଥା ଏବଂ ଜନକଲ୍ୟାଣକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରୁଛି।ବିପର୍ଯ୍ୟୟ ବିପଦ ହ୍ରାସ ଏବଂ ଡିଜିଟାଲ୍ ପବ୍ଲିକ୍ ଇନ୍‌ଫ୍ରାଷ୍ଟ୍ରକ୍ଚର କ୍ଷେତ୍ରରେ ସିଡିଏଲ୍‌ର ଉଲ୍ଲେଖନୀୟ ଅଭିଜ୍ଞତା ରହିଛି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହ ସିଡିଏଲ୍‌ କାର୍ଯ୍ୟ କରିଛି। ସେଠାରେ ଏହାର ଇଣ୍ଟେଲିଜେଣ୍ଟ ଡାଟା ସଲ୍ୟୁସନ୍‌ସ ଫର୍ ଡିଜାଷ୍ଟର ରିସ୍କ ରିଡକ୍ସନ୍‌ (IDS-DRR) ବିପଦ, ଅସୁରକ୍ଷିତତା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ସମନ୍ୱିତ କରି ତଥ୍ୟଭିତ୍ତିକ ବିପଦ ପରିଚାଳନା ଯୋଜନା ଓ ନିଷ୍ପତ୍ତି ଗ୍ରହଣରେ ସହାୟତା କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking